ବନ୍ୟାପାଣିକୁ ପୂଜାର୍ଚ୍ଚନା; ଆଶ୍ଚର୍ଯ୍ୟ ଲାଗୁଛି ନା’
ଆଗାମୀ ଦିନରେ ହେବାର ଆଶଙ୍କା ନାହିଁ ବୋଲି ଜଣେ ଧର୍ମପରାୟଣ ବ୍ୟକ୍ତି କହିଚନ୍ତି…..
ଲକ୍ଷନୌ: ପ୍ରୟାଗରାଜ ନିକଟରେ ଗଙ୍ଗା-ଯମୁନା ନଦୀ ଫୁଲିଲେ, ଲୋକଙ୍କ ମନରେ ଭକ୍ତି ଓ ଭୟ ଦେଖାଦିଏ । ବନ୍ୟାପାଣିକୁ ଡରିଲେ ମଧ୍ୟ ତା’ର ପୂଜାର୍ଚ୍ଚନା କରିବାକୁ ଧାଇଁଯାନ୍ତି ହନୁମାନ ମନ୍ଦିରକୁ । ପ୍ରୟାଗରାଜ ସହରରେ ପ୍ରତିଷ୍ଠିତ ହନୁମାନ ମନ୍ଦିରରେ ବନ୍ୟାପାଣି ପଶିବା ମାତ୍ରେ ସହରବାସୀ ଘଂଟ କାହାଳୀ, ଶଙ୍ଖନାଦ, ହରିବୋଲ ଓ ହୁଳହୁଳି ଭିତରେ ସ୍ୱାଗତ କରନ୍ତି । ସହରବାସୀ ପୁଜାରୀ ସହିତ ମିଶି ମା’ ଗଙ୍ଗାଙ୍କର ଜୟ ଜୟକାର କରନ୍ତି । ଲୋକଙ୍କ ବିଶ୍ୱାସ, ମା’ ଗଙ୍ଗାଙ୍କ କରୁଣାରୁ ବନ୍ୟାପାଣି ଆସି ପ୍ରଭୁ ହନୁମାନଙ୍କ ପୀଠକୁ ଛୁଇଁଯାଏ ।
ପ୍ରୟାଗରାଜ ନିକଟରେ ଗଙ୍ଗା-ଯମୁନା-ସରସ୍ୱତୀ ମିଶିଛନ୍ତି । ତ୍ରିବେଣୀ ସଙ୍ଗମଠାରୁ ପ୍ରାୟ ୧୦ କିମି ଦୂର ପର୍ଯ୍ୟନ୍ତ ମାଘମେଳା ଅନୁଷ୍ଠିତ ହୋଇଥାଏ । ୨୦ କିମି ଦୂର ଯାଏ କୁମ୍ଭ ଓ ମହାକୁମ୍ଭ ମେଳା ଅନୁଷ୍ଠିତ ହୋଇଥାଏ । ଗଙ୍ଗା-ଯମୁନାରେ ବନ୍ୟାପାଣି ଆସିଲେ କୂଳଠାରୁ ୨୦ କିମି ଅଂଚଳ ବୁଡ଼ିଯାଏ । ଗଙ୍ଗାକୂଳଠାରୁ ୧୦ କିମି ଦୂରରେ ପ୍ରସିଦ୍ଧ ହନୁମାନ ମନ୍ଦିରଟି ରହିଛି ।
ଲୋକମାନେ ଉକ୍ତ ମନ୍ଦିରରେ ବସି ଆଗ୍ରହର ସହ ବନ୍ୟାପାଣିକୁ ଅପେକ୍ଷା କରିବା କଥା ଖୋଦ୍ ପୂଜାରୀ ମାନିଛନ୍ତି । ମା’ ଗଙ୍ଗାଙ୍କ ଉପରେ ପ୍ରୟାଗରାଜବାସୀଙ୍କର ବହୁତ ବିଶ୍ୱାସ ରହିଛି । ମା’ ଗଙ୍ଗାଙ୍କ କରୁଣାରୁ ପ୍ରୟାଗରେ ସେଭଳି ବଡ଼ ଧରଣର ବନ୍ୟା ହୋଇନାହିଁ । ଆଗାମୀ ଦିନରେ ହେବାର ଆଶଙ୍କା ନାହିଁ ବୋଲି ଜଣେ ଧର୍ମପରାୟଣ ବ୍ୟକ୍ତି କହିଚନ୍ତି ।