ବନ୍ଧା ହେଲେ ତେଲେଙ୍ଗାନାର ବିଜେପି ବିଧାୟକ ଟି.ରାଜା ସିଂହ।

ବନ୍ଧା ହେଲେ ତେଲେଙ୍ଗାନାର ବିଜେପି ବିଧାୟକ ଟି.ରାଜା ସିଂହ। ଧାର୍ମିକ…

ହାଇଦ୍ରାବାଦ: ବନ୍ଧା ହେଲେ ତେଲେଙ୍ଗାନାର ବିଜେପି ବିଧାୟକ ଟି.ରାଜା ସିଂହ। ଧାର୍ମିକ ଭାବନାକୁ ଆଘାତ ଦେବା ଅଭିଯୋଗରେ ତାଙ୍କୁ ପୁଲିସ ଗିରଫ କରିଛି। ସେ ପ୍ରଫେଟ୍‌ ମହମ୍ମଦଙ୍କୁ ନେଇ ବିବାଦୀୟ ଟିପ୍ପଣୀ ଦେଇଥିଲେ।  ତାଙ୍କୁ ବିରୋଧ କରି ହାଇଦ୍ରାବାଦରେ ଶତାଧିକ ଲୋକେ ରାସ୍ତାକୁ ଓହ୍ଲାଇଥିଲେ। ତାଙ୍କୁ ଗିରଫ କରିବାକୁ ଆନ୍ଦୋଳନକାରୀ ଅଡି ବସିଥିଲେ। ଏହାପରେ ଆଜି ସକାଳେ ତାଙ୍କୁ ହାଇଦ୍ରାବାଦରୁ ପୁଲିସ ଗିରଫ କରିଛି। ପୁଲିସ ସୂଚନା ମୁତାବକ, ପ୍ରଫେଟ୍‌ ମହମ୍ମଦଙ୍କ ବିରୋଧରେ ଅପମାନଜନକ ମନ୍ତବ୍ୟ ଦେଇଥିବା ଏକ ଭିଡିଓ ଭାଇରାଲ୍‌ ହେବା ପରେ ସୋମବାର ରାତିରେ ହାଇଦ୍ରାବାଦରେ ବିରୋଧ ପ୍ରଦର୍ଶନ ହୋଇଥିଲା। ଏହାପରେ ଅଭିଯୁକ୍ତ ବିଧାୟକଙ୍କ ବିରୋଧରେ ଏକ ମାମଲା ରୁଜୁ କରାଯାଇଥିଲା।

ଆନ୍ଦୋଳନକାରୀମାନେ ସିଟି ପୁଲିସ୍‌ କମିସନର ସିଭି ଆନନ୍ଦଙ୍କ ଅଫିସ୍‌ ସମ୍ମୁଖ ବ୍ୟତୀତ ସହରର ଅନ୍ୟାନ୍ୟ ଅଞ୍ଚଳରେ ବି ବିରୋଧ ପ୍ରଦର୍ଶନ କରିଥିଲେ। ବିଧାୟକ ଟି.ରାଜା ସିଂହ ପ୍ରଫେଟ୍‌ ମହମ୍ମଦଙ୍କ ବିରୋଧରେ ଅପମାନଜନକ ମନ୍ତବ୍ୟ ଦେଇ ପୂରା ସମ୍ପ୍ରଦାୟର ଭାବପ୍ରବଣତାକୁ ଆଘାତ ଦେଇଥିବା ଆନ୍ଦୋଳନକାରୀ ଅଭିଯୋଗ କରିଛନ୍ତି। ହାଇଦ୍ରାବାଦର ଗୋଶାମାହାଲର ବିଧାୟକ ଟି ରାଜା ସିଂ ଗତ ସପ୍ତାହରେ ଏକ କମେଡି ଶୋ’କୁ ଭଣ୍ଡୁର କରିବାକୁ ଚେଷ୍ଟା କରିଥିଲେ। ଷ୍ଟାଣ୍ଡ ଅପ୍ ହାସ୍ୟ ଅଭିନେତା ମୁନାୱାର୍ ଫାରୁକିଙ୍କ ଶୋ’କୁ ବାତିଲ କରିବାକୁ ପ୍ରାୟ ୫୦ ସମର୍ଥକଙ୍କ ସହ ଘଟଣାସ୍ଥଳରେ ପହଞ୍ଚିବାକୁ ଚେଷ୍ଟା କରିବା ପରେ ତାଙ୍କୁ ଶୁକ୍ରବାର ଦିନ ପୋଲିସ ଗିରଫ କରିଥିଲା।