ପିଲାଙ୍କ ମୃତ୍ୟୁ ଅପେକ୍ଷାରେ ମୁଖ୍ୟମନ୍ତ୍ରୀ ନବୀନ

ଦିଆଯାଉଛି ନିମ୍ନମାନର ମଧ୍ୟାହ୍ନଭୋଜନ

ଉଦଳା: ସ୍କୁଲପିଲାଙ୍କୁ ପୁଷ୍ଟିକର ମଧ୍ୟାହ୍ନଭୋଜନ ଖୁଆଇବାର ପ୍ରତିଶ୍ରୁତି ଦେଇ ମୁଖ୍ୟମନ୍ତ୍ରୀ ଆରମ୍ଭ କରିଥିଲେ ଯୋଜନାଟିଏ । ମଧ୍ୟାହ୍ନଭୋଜନ ପ୍ରସ୍ତୁତି ଓ ବିତରଣ ପ୍ରକ୍ରିୟାରେ ସ୍ୱଚ୍ଛତା ରକ୍ଷା କରିବା ପାଇଁ ସରକାରୀ ପଦକ୍ଷେପ ନିଆଗଲା । ସହରାଂଚଳରେ ମଧ୍ୟାହ୍ନଭୋଜନ ରନ୍ଧନ ଓ ଯୋଗାଣ ପାଇଁ ଠିକା ସଂସ୍ଥାକୁ ଦାୟିତ୍ୱ ଦିଆଗଲା । ମାତ୍ର ଗ୍ରାମାଂଚଳରେ ବିଦ୍ୟାଳୟ କମିଟିକୁ ଦାୟିତ୍ୱ ଦିଆଗଲା । ଦାୟିତ୍ୱ ପ୍ରଦାନ ପରେ ବିଦ୍ୟାଳୟ କମିଟିର ମଧ୍ୟାହ୍ନଭୋଜନ ବ୍ୟବସ୍ଥା ପ୍ରତି କଡ଼ା ଦୃଷ୍ଟି ରଖିବାକୁ ଭୁଲିଗଲେ ସରକାର । ପିଲାମାନଙ୍କୁ ନିମ୍ନମାନର ମଧ୍ୟାହ୍ନଭୋଜନ ଦିଆଯାଉଥିବା ଅଭିଯୋଗ ସାମ୍ନାକୁ ଆସିଛି । ପିଲାମାନଙ୍କ ଅଭିଭାବକମାନେ ଏକଜୁଟ୍‌ ହୋଇ ବିଦ୍ୟାଳୟ ଅଧ୍ୟକ୍ଷଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ।
ଆମେ ମୟୂରଭଞ୍ଜ ଜିଲ୍ଲାର ଉଦଳା ବ୍ଲକ ଅନ୍ତର୍ଗତ ଉପର ଖୁଂଟାପାଳ ପ୍ରାଥମିକ ବିଦ୍ୟାଳୟରେ ପିଲାମାନଙ୍କୁ ନିମ୍ନମାନର ମଧ୍ୟାହ୍ନଭୋଜନ ଦିଆଯାଉଥିବା କଥା ଶୁଣିବାକୁ ପାଉଛୁ । ଏପରିକି ପିଲାଙ୍କୁ ପଚା ଅଣ୍ଡା ଦିଆଯାଉଛି ବୋଲି ଅଭିଭାବକ ଓ ପିଲାମାନେ କହୁଛନ୍ତି । ତା’ ସହିତ ଆବଶ୍ୟକଠାରୁ କମ୍‌ ପରିମାଣର ଭୋଜନ ଦିଆଯାଉଛି । ପିଲାମାନଙ୍କ ଅଭିଭାବକମାନେ ବିଦ୍ୟାଳୟର ଅଧ୍ୟକ୍ଷ ପ୍ରତିମା ସେଠୀଙ୍କୁ ଦାୟୀ କରିଛନ୍ତି । ପ୍ରତିମାଙ୍କୁ ବିଦ୍ୟାଳୟର ଅଧ୍ୟକ୍ଷ ଦାୟିତ୍ୱରୁ ଅବ୍ୟାହତି ଦେଲେ, ସବୁ ଠିକ୍‌ ହୋଇଯିବ ବୋଲି ଧାରଣାରତ ଅଭିଭାବକ ଓ ଛାତ୍ରଛାତ୍ରୀମାନେ ଗଣମାଧ୍ୟମକୁ କହିଛନ୍ତି ।