ମାନବିକତାର କାଠଗଡ଼ାରେ ପ୍ରଧାନମନ୍ତ୍ରୀ ମୋଦୀ!

୧୧ ଜଣ ଆସାମୀଙ୍କୁ ଛାଡ଼ି ଠିକ୍‌ କରିଛି ଗୁଜରାଟ!

ପୀଡ଼ିତା ବିଲକିସ୍‌ ବାନୋ ପାଇଲେ କ’ଣ?……

ଅହମ୍ମଦାବାଦ: ଗାନ୍ଧୀନଗରଠାରୁ ୧୯୪ କିମି ଦୂରରେ ଦାହୋଦ ଅନ୍ତର୍ଗତ ରନ୍ଧିକପୁର ଗାଁ । ଗାଁର ଟିକିଏ ଭିତରକୁ ଗଲେ, ଗୋଟିଏ ପାଖରେ ବିଲକିସ୍‌ ବାନୋଙ୍କ ବସ୍ତିକୁ ପଡ଼ିଛି ସରୁ ଗଳିଟିଏ । ବସ୍ତି ଆରମ୍ଭରୁ ସବୁ ଘର ଶୂନଶାନ୍‌ । ମାତ୍ର ୪/୫ଟି ଘର ଆଗରେ ଟହଲ ମାରୁଛନ୍ତି ଜଣେ ଦି’ଜଣ । ଆଜକୁ ଠିକ୍‌ ୨୦ ବର୍ଷ ତଳେ ମାହୋଲ ଟିକେ ଅଲଗା ଥିଲା । ସେତେବେଳେ ବସ୍ତିଟି କୋଳାହଳମୟ ଥିଲା, ଏବେ ସବୁ ଖାଁ ଖାଁ । ସେତେବେଳେ ଚାଲିଥିଲା ହଣାକଟା; କଥା କଥାକେ ବୁଲୁଥିବା ଖଣ୍ଡା, ଭୁଜାଲି ଓ ଫାର୍ଶା । ଏବେ କାନରେ ପଡ଼ିବ ଫିସ୍‌ଫିସ୍‌ ଶବ୍ଦ । ତା’ପୁଣି ଦୁଇ ଚାରିଟିରୁ ଅଧିକ ନୁହଁ । ୨୦ ବର୍ଷ ତଳେ ୨୦୦୨ ଫେବୃଆରୀ ୨୭ । ଅଯୋଧ୍ୟାରୁ ଗୋଧ୍ରା ଯାଉଥିବା ଟ୍ରେନ୍‌ଟିର ଦୁଇଟି ବଗିରେ ନିଅାଁ ଲଗାଇ ଦେଇଥିଲେ କିଛି ମୁସଲିମ । ଟ୍ରେନବଗିରେ ପୋଡ଼ି ହୋଇ ମଲେ ୫୯ ।

ତା’ପରେ ଗୁଜରାଟରେ ଯାହା ଘଟିଲା, ସେଥିରେ ୧୦୪୪ ଜଣଙ୍କର ଜୀବନ ଚାଲିଗଲା । ଆମେ ସରକାରୀ ରେକର୍ଡ ପଢ଼ି ଏତିକି ତଥ୍ୟ ଦେଉଛୁ । ରନ୍ଧିକପୁର ଗାଁର ଏହି ବସ୍ତିରେ ମଧ୍ୟ ରକ୍ତମୁଖା ଲୋକଙ୍କ ହାତରେ ଥିଲା ଖଣ୍ଡା, ଭୁଜାଲି, ଫାର୍ଶା, କୁରାଢ଼ି, ଲୁହାରଡ୍‌ ଇତ୍ୟାଦି । ବସ୍ତିର ପ୍ରତିଟି ପରିବାର ଆତଙ୍କିତ । ଘରୁ ଭିଡ଼ିଆଣି ଖଣ୍ଡାରେ ହାଣି ଦେଉଥିଲେ ରକ୍ତପିପାସୁ ମଣିଷ । ଉତ୍ୟକ୍ତ ଲୋକଙ୍କ କବଳରୁ ଖସି ପଳାଇବାକୁ ଉଦ୍ୟମ କଲେ ବିଲକିସ୍‌ ବାନୋଙ୍କ ସମେତ ୧୫ ଜଣ ପୁରୁଷ ଓ ମହିଳା । ମାତ୍ର ପାରିଲେନି; ଜଙ୍ଗଲିଆ ରାସ୍ତାରେ ଦଉଡୁ ଦଉଡୁ ଧରା ପଡ଼ିଗଲେ ଉତ୍ୟକ୍ତ ଲୋକଙ୍କ ହାବୁଡ଼ରେ । ବାସ୍‌ ଆରମ୍ଭ ହୋଇଗଲା ରକ୍ତର ହୋଲି । ମାତ୍ର କେଇ ମିନିଟ୍‌ ଭିତରେ ୨ ଜଣ ନିରୀହ ପିଲାଙ୍କ ସମେତ ୧୩ ଜଣଙ୍କୁ ଖଣ୍ଡ ଖଣ୍ଡ କରି କାଟି ଦିଆଗଲା । ମୃତକଙ୍କ ଭିତରେ ଗୋଟିଏ ଗର୍ଭସ୍ଥ ଭ୍ରୁଣ ଥିଲା । କ୍ରୋଧାନ୍ଧ ଲୋକମାନେ ୬ ଜଣ ମହିଳାଙ୍କୁ ଦୁଷ୍କର୍ମ କରି ନିର୍ମମ ଭାବେ ହତ୍ୟା କଲେ ।

ସୌଭାଗ୍ୟକୁ ବଂଚିଗଲେ ପୀଡ଼ିତା ବିଲକିସ୍‌ ବାନୋ । ବଂଚିଗଲା ୭ ବର୍ଷର ସଦ୍ଦାମ । ତା’ପରେ ହିଂସାକାଣ୍ଡର ପରବର୍ତୀ ପର୍ଯ୍ୟାୟ । ସିବିଆଇ ତଦନ୍ତ ରିପୋର୍ଟ ଓ କୋର୍ଟ କଚେରୀକୁ ୧୫ ବର୍ଷର ଧାଁ ଧଉଡ଼ର ପରିଣାମ ସାମାନ୍ୟ ଆଶ୍ୱସ୍ତ ଆଣିଥିଲା । ୨୦୧୭ ମେ’ ମାସରେ ବମ୍ବେ ହାଇକୋର୍ଟ ଗଣଦୁଷ୍କର୍ମ ଓ ହତ୍ୟା ମାମଲାରେ ୧୧ ଜଣଙ୍କୁ ଦୋଷୀ ସାବ୍ୟସ୍ତ କରି ଆଜୀବନ କାରାଦଣ୍ଡ ପ୍ରଦାନ କଲେ ।
ସବୁ ଆସାମୀ ଜେଲରେ ଥିଲେ ।

ମାତ୍ର ଚଳିତ ଅଗଷ୍ଟ ୧୫ ତାରିଖରେ ଗୁଜରାଟ ସରକାର ସବୁ ଆସାମୀଙ୍କୁ ମୁକ୍ତ କରିଦେଲେ । ଜେଲ ବାହାରେ ୧୧ ଜଣ ଆସାମୀଙ୍କୁ ଫୁଲମାଳ ପିନ୍ଧାଇବା ଓ ମିଠାଇ ଖୁଆଇବା ଘଟଣାକୁ ସବୁ ଗଣମାଧ୍ୟମ ପ୍ରସାରଣ କଲେ ।
ଆସାମୀଙ୍କ ପ୍ରତି ଗୁଜରାଟ ସରକାରଙ୍କ କୋହଳ ଆଭିମୁଖ୍ୟକୁ ତୀବ୍ର ସମାଲୋଚନା କରି ବହୁ ସଂଗଠନ ସୁପ୍ରିମକୋର୍ଟଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । ମାମଲା ଏବେ ବିଚାରାଧୀନ ଅଛି । ୨୦ ବର୍ଷ ପରେ ରନ୍ଧିକପୁର ଗାଁ ପୁଣି ଚୁପଚାପ । ବସ୍ତିରେ ପ୍ରାୟ ୭୫ଟି ଘର ଭିତରୁ ମାତ୍ର ୪/୫ଟି ଘରେ ଜଣେ ଦୁଇଜଣ ରହୁଛନ୍ତି । ତା’ ପୁଣି କେବଳ ଦିନରେ ।

ରାତି ହୋଇଗଲେ ସେମାନେ ସରକାରୀ ଆଶ୍ରୟ ଶିବିରକୁ ପଳାଉଛନ୍ତି । ଅନ୍ୟ ସବୁ ଘର ଦୁଆର ମୁହଁରେ ତାଲା ଝୁଲୁଛି । ଜେଲରୁ ମୁକୁଳିଥିବା ଆସାମୀଙ୍କ ଘର ଦୁଆର ମୁହଁରେ ମଧ୍ୟ ଝୁଲୁଛି ତାଲା । ରନ୍ଧିକପୁର ଗାଁରେ ବିଲକିସ୍‌ଙ୍କ ଶାଶୁଘର । ବିଲକିସଙ୍କ ଘରଠାରୁ ୩୦୦ ମିଟରଠାରୁ ଆରମ୍ଭ କରି ୨ କିଲୋମିଟର ଭିତରେ ୧୧ ଜଣ ଆସାମୀଙ୍କ ଘର । ମାତ୍ର ସବୁ ଆସାମୀ ମାନସିକ ପୂରଣ ପାଇଁ ଚାଲି ଯାଇଥିଲା ବେଳେ ବିଲକିସ୍‌ଙ୍କ ବସ୍ତିର ସବୁ ଲୋକମାନେ ସରକାରଙ୍କ ଆଶ୍ରୟ ଶିବିରରେ ରହୁଛନ୍ତି । ସମସ୍ତଙ୍କ ମନରେ ଗୋଟିଏ ଭୟ । ସବୁ ଆସାମୀ ଏବେ ଖୋଲା ମଇଦାନରେ ବୁଲୁଛନ୍ତି । କେତେବେଳେ କ’ଣ କରିବେ, କିଏ ଜାଣିଛି?

ଆସାମୀଙ୍କ ଜେଲରୁ ଖଲାସ ସମ୍ପର୍କରେ ବିଲକିସ୍‌ଙ୍କ ପ୍ରତିକ୍ରିୟା ଜାଣିବା ପାଇଁ କିଛି ରିପୋର୍ଟର ଉକ୍ତ ଗାଁକୁ ଯାଇଥିଲେ । ମାତ୍ର ବସ୍ତିର କୌଣସି ଲୋକ ବିଲକିସ୍‌ଙ୍କ ଠିକଣା କହିବାକୁ ରାଜି ନୁହନ୍ତି । ସମସ୍ତଙ୍କ ମୁହଁରୁ ଗୋଟିଏ କଥା ଶୁଣିବାକୁ ମିଳୁଛି, ୧୧ ଜଣ ଆସାମୀଙ୍କୁ ପୁଣି ଜେଲକୁ ପଠା ନଯିବା ପର୍ଯ୍ୟନ୍ତ ବିଲକିସ୍‌ଙ୍କ ଗୁପ୍ତ ଠିକଣା କାହାକୁ କହିବୁନି ।

ଗଣମାଧ୍ୟମ ନାଁ ଶୁଣିଲେ, ରାଗୁଛନ୍ତି ଆସାମୀଙ୍କ ପରିବାର । ସେମାନଙ୍କ ମତରେ ଗଣମାଧ୍ୟମ କେବଳ ପୀଡ଼ିତାଙ୍କ ପ୍ରତି ସଦୟ ରହୁଛି । ଅଭିଯୁକ୍ତଙ୍କ ପରିବାର ପ୍ରତି ଗଣମାଧ୍ୟମ ମନରେ ଟିକିଏ ଦରଦ ନାହିଁ । ଯେଉଁମାନଙ୍କୁ ଅଭିଯୁକ୍ତ କରି କାଠଗଡ଼ାରେ ଠିଆ କରାଇ ଦିଆଗଲା । ସେମାନଙ୍କ ପରିବାର କିପରି ଦିନ କାଟୁଥିବେ, ସେ ବିଷୟରେ କୌଣସି ଗଣମାଧ୍ୟମ ପଦୁଟେ ଲେଖିଲେନି । ଅଭିଯୁକ୍ତଙ୍କୁ ଯୋଉ ନଜରରେ ଦେଖାଗଲା । ଅଭିଯୁକ୍ତଙ୍କ ପରିବାରକୁ ମଧ୍ୟ ସେହି ନଜରରେ ଦେଖାଗଲା । ପରିଣତି ଏପରି ହେଲା ଯେ ଦଶଖଣ୍ଡ ମୌଜାର ଲୋକମାନେ ଅଭିଯୁକ୍ତଙ୍କ ପରିବାରକୁ ଛି ଛି କହି ନାକ ଟେକିଲେ । ଅଭିଯୁକ୍ତଙ୍କ ପିଲାମାନେ ଅଧା ପାଠୁଆ ହୋଇ ଘରେ ରହିଲେ । ସ୍କୁଲକୁ ଗଲେ, ଶିକ୍ଷକ ଶିକ୍ଷୟିତ୍ରୀ ଓ ସାଙ୍ଗସାଥିଙ୍କ ତିରସ୍କାର ଶୁଣିବାକୁ ପଡୁଥିଲା ।

ଏହିସବୁ ଘଟଣାକୁ ଭଲଭାବରେ ଅନୁଧ୍ୟାନ କଲେ, ଗୋଟିଏ କଥା ମନକୁ ଗୋଳେଇଦିଏ । ଆସାମୀଙ୍କୁ ଜେଲରୁ ମୁକ୍ତ କରି ଗୁଜରାଟ ସରକାର ମସ୍ତବଡ଼ ଭୁଲ କରିଛନ୍ତି? ଏହାର ଜବାବ କେବଳ ହଁ କି ନା’ରେ ଦେବା ମୁସ୍କିଲ । ତକ୍ରାଳୀନ ଗୁଜରାଟ ସରକାର ଏବେ ମଧ୍ୟ ଦେଶବାସୀଙ୍କ କାଠଗଡ଼ାରେ । ତକ୍ରାଳୀନ ମୁଖ୍ୟମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଦେଶର ପ୍ରଧାନମନ୍ତ୍ରୀ । ମାତ୍ର ଆଜିବି ତାଙ୍କ ପ୍ରତି ଦେଶବାସୀଙ୍କ ମନରେ ସନ୍ଦେହ । ଗୋଧ୍ରା ଟ୍ରେନପୋଡ଼ି ପରେ ଗୁଜରାଟରେ ଯାହା ସବୁ ଘଟିଗଲା, ତା’ର ମୂଳରେ ନରେନ୍ଦ୍ର ମୋଦୀ ନାହାନ୍ତି ତ?