ଦାଦନ ଚାଲାଣ ପଛରେ ବିଜେଡି ହାତ!

ଶ୍ରମିକ ସନ୍ଧାନରେ ଆସି ୨ ଇଟାଭାଟି ମାଲିକ ଗିରଫ…

ବଲାଙ୍ଗୀର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କୌଣସି ଜନକଲ୍ୟାଣକାରୀ ଯୋଜନା ଓଡ଼ିଶାରୁ ଦାଦନ ଚାଲାଣ ଅଟକାଇପାରୁନି । ନୂଅାଁଖାଇ ପରେପରେ ବାହାର ରାଜ୍ୟର ଦାଦନ ସର୍ଦ୍ଦାର ଓ ଇଟାଭାଟି ମାଲିକ ଆସି ଓଡ଼ିଶାରେ ଭିଡ଼ ଜମାଇଛନ୍ତି । କଂଟାବାଂଜି ସହରରେ ଏଭଳି ଘଟଣା ଦେଖିବାକୁ ମିଳିଛି । ଗୋଟିଏ ଲଜ ଉପରେ ପୁଲିସ ଚଢ଼ାଉ କରି ୮୦ ଲକ୍ଷ ଟଙ୍କା ଜବତ କରିଛି । ପ୍ରାଥମିକ ତଦନ୍ତ ପରେ ପୁଲିସ କହିଛି ଯେ ଅଟକ ଲୋକମାନେ ପଡେ଼ାଶୀ ରାଜ୍ୟର । ସେମାନେ କିଛି ଦାଦନ ଶ୍ରମିକଙ୍କୁ ଟଙ୍କା ବିନିମୟରେ ନେବାକୁ ଆସିଥିଲେ ।

ସୂଚନା ମୁତାବକ କଂଟାବାଂଜି ସହର ପର୍ଶୁରାମ ଛକ ନିକଟରେ ଥିବା ଏକ ଲଜରେ ଅଣଓଡ଼ିଆ ଲୋକମାନେ ରହିଥିବାର ଖବର ପାଇ ପୁଲିସ ବିଳମ୍ବିତ ରାତିରେ ଚଢ଼ଉ କରିଥିଲା । ଅଭିଯୁକ୍ତଙ୍କଠାରୁ ସନ୍ତୋଷଜନକ ଜବାବ ନପାଇବାରୁ ପୁଲିସ ଗିରଫ କରିବାକୁ ବାଧ୍ୟ ହୋଇଛି । ଗିରଫ ୭ ଜଣଙ୍କ ଭିତରେ ଦୁଇଜଣ ଇଟାଭାଟି ମାଲିକ ଥିବାର ସନ୍ଦେହ କରାଯାଉଛି । ରାଜ୍ୟରେ ଦ୍ରୁତ ବିକାଶ ଚାଲିଛି ଅଥଚ ରାଜ୍ୟ ବାହାରକୁ ଦାଦନ ଚାଲାଣ ଜାରି ରହିଛି ।

ଆଦର୍ଶ ମୁଖ୍ୟମନ୍ତ୍ରୀଙ୍କ ରାଜ୍ୟରେ ଦାଦନ ଚାଲାଣ ଅତ୍ୟନ୍ତ ଲଜ୍ଜାଜନକ ଘଟଣା । ଅଟକ ଲୋକମାନେ କହିଛନ୍ତି ଯେ ସ୍ଥାନୀୟ ଦଲାଲମାନେ କିଛି ଶ୍ରମିକଙ୍କୁ ଠିକ୍‌ କରିଛନ୍ତି ଯେଉଁମାନେ ବାହାର ରାଜ୍ୟରେ କାମ କରିବାକୁ ଚାହୁଁଛନ୍ତି । ସେଇମାନଙ୍କ ପରାମର୍ଶ ଅନୁସାରେ ବାହାର ରାଜ୍ୟର ବ୍ୟବସାୟୀ ଓ ଠିକା ସର୍ଦ୍ଦାରମାନେ କଂଟାବାଂଜି ଆସିଥିଲେ । ସ୍ଥାନୀୟ ଅଂଚଳର କିଛି ବାସିନ୍ଦା କହିଛନ୍ତି ଯେ କ୍ଷମତାସୀନ ଦଳର କିଛି କର୍ମୀ ଲଜରେ ପହଂଚି ଅଣଓଡ଼ିଆ ଲୋକଙ୍କୁ ଭେଟିଥିଲେ ।