ବିଜେଡି ଅମଳରେ ବୃଦ୍ଧି ପାଉଛି ମହିଳା ଅପରାଧ

ମହିଳାଙ୍କୁ ନ୍ୟାୟ ଦେବାରେ ନବୀନବାବୁ ବିଫଳ…….

ଭୁବନେଶ୍ୱର: ରାଜ୍ୟର ନାରୀ ସମାଜ ପ୍ରତି ଅପରାଧ ହାର କ୍ରମାଗତ ବୃଦ୍ଧି ପାଉଛି । ରାଜ୍ୟର ବିଜେଡି ସରକାର ପୀଡ଼ିତାଙ୍କୁ ତୁରନ୍ତ ନ୍ୟାୟ ଦେବାକୁ ବିଫଳ ହୋଇଛି । ମାସକୁ ପଞ୍ଜୀକୃତ ମହିଳା ନିର୍ଯାତନା ମାମଲା ୮୮ ହଜାର ଥିଲାବେଳେ ମାତ୍ର ୩୫ ହଜାର ସମାଧାନ ହୋଇପାରୁଛି । ଅବଶିଷ୍ଟ ମାମଲା ବିଚାରାଧୀନ ଅବସ୍ଥାରେ ପଡ଼ିରହୁଛି ।

ବିଳମ୍ବିତ ନ୍ୟାୟ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ପାଇଁ ରାଜ୍ୟର ବହୁ ସ୍ଥାନରେ ଫାଷ୍ଟ ଟ୍ରାକ୍‌ କୋର୍ଟ, ଫାଷ୍ଟ ଟ୍ରାକ୍‌ ସ୍ପେଶାଲ କୋର୍ଟ ପ୍ରତିଷ୍ଠା ଉପରେ କେନ୍ଦ୍ର ଆଇନମନ୍ତ୍ରୀ କିରେନ୍‌ ରିଜିଜୁ ଗୁରୁତ୍ୱାରୋପ କରି ଓଡ଼ିଶା ହାଇକୋର୍ଟ ମୁଖ୍ୟ ବିଚାରପତିଙ୍କୁ ଚିଠି ଲେଖିଛନ୍ତି । ନିର୍ଯାତିତା ମହିଳା, ଶୋଷିତ ଶିଶୁ ଓ ଉପେକ୍ଷିତ ବରିଷ୍ଠ ନାଗରିକଙ୍କୁ ତୁରନ୍ତ ନ୍ୟାୟ ପ୍ରଦାନ କରିବା ସଭ୍ୟ ସମାଜର ପ୍ରଥମ କର୍ତବ୍ୟ ବୋଲି କେନ୍ଦ୍ର ଆଇନମନ୍ତ୍ରୀ ମନ୍ତବ୍ୟ ଦେଇଛନ୍ତି ।

ତଥ୍ୟ ମୁତାବକ, ପଶ୍ଚିମବଙ୍ଗ ଫାଷ୍ଟଟ୍ରାକ୍‌ ଅଦାଲତଗୁଡ଼ିକରେ ୩୫,୬୫୩ ମାମଲା ବିଚାରାଧୀନ ଥିଲାବେଳେ ବିହାର (୨୨୫୯୨), ତାମିଲନାଡୁ (୨୦,୦୩୭), ଓଡ଼ିଶା (୧୯,୨୧୪), ରାଜସ୍ଥାନ (୧୮,୦୭୭. କେରଳ (୧୪,୩୯୨), ଗୁଜରାଟ (୧୨,୩୪୭) ଓ ତେଲଙ୍ଗାନାରେ ୧୨,୨୪୮ ମାମଲା ବିଚାରାଧୀନ ଅଛି ।

ସମାଜର ଦୁର୍ବଳ ଶ୍ରେଣୀକୁ ନିର୍ଦ୍ଧାରିତ ସମୟ ଭିତରେ ବିଚାର ପ୍ରକ୍ରିୟା ସାରିବା ପାଇଁ ରାଜ୍ୟ ସରକାରଙ୍କ ସହ ଆଲୋଚନା କରି ଆବଶ୍ୟକ ପରିମାଣର ଫାଷ୍ଟଟ୍ରାକ୍‌ ଅଦାଲତ ପ୍ରତିଷ୍ଠା କରିବାକୁ କେନ୍ଦ୍ର ସରକାର ନିଷ୍ପତି ନେଇଛନ୍ତି । କେନ୍ଦ୍ର ଆଇନ ମନ୍ତ୍ରୀଙ୍କ ମତରେ କେବଳ ଫାଷ୍ଟଟ୍ରାକ୍‌ କୋର୍ଟ ପ୍ରତିଷ୍ଠା କରିଦେଲେ ଚଳିବନି; ଉକ୍ତ କୋର୍ଟରୁ ପୀଡ଼ିତା ଠିକ୍‌ ସମୟରେ ନ୍ୟାୟ ପାଉଛନ୍ତି କି ନା’, ତା’ ତଦାରଖ କରିବା ଦାୟିତ୍ୱ ରାଜ୍ୟ ସରକାରଙ୍କର ।