ନୂଆଦିଲ୍ଲୀ: ଏମ୍୧ କ୍ୟାଟେଗୋରୀ ଅର୍ଥାତ୍ ୮ ଆସନ ବିଶିଷ୍ଟ କାରରେ ୬ ଏୟାରବ୍ୟାଗ୍ ଲଗାଇବା ଜରୁରୀ ନିଷ୍ପତିକୁ ସରକାର ଏକବର୍ଷ ପାଇଁ ଘୁଂଚାଇ ଦେଇଛନ୍ତି । ୨୦୨୨ ଅକ୍ଟୋବର ପହିଲାରୁ ଏହି ନିୟମ ଲାଗୁ କରିବାର ଥିଲା । ମାତ୍ର ଏତେସଂଖ୍ୟକ ଏୟାରବ୍ୟାଗ୍ ଯୋଗାଇବା ସମ୍ଭବ ହେଉ ନଥିବାରୁ ସରକାରଙ୍କୁ ନିଷ୍ପତି ବଦଳାଇବାକୁ ପଡ଼ିଲା । ଏବେ ୨୦୨୩ ଅକ୍ଟୋବର ପହିଲାରୁ ଏମ୍୧ କ୍ୟାଟେଗୋରୀ ବିଶିଷ୍ଟ ଯାନରେ ୬ ଏୟାରବ୍ୟାଗ୍ ଲଗାଇବା ଜରୁରୀ କରାଯିବ । ଗୁରୁବାର କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନୀତୀନ ଗଡ଼କରୀ ଏହି ସୂଚନା ପ୍ରଦାନ କରିଛନ୍ତି ।
ଗଡ଼କରୀ ଗତବର୍ଷରୁ ୬ ଏୟାରବ୍ୟାଗ୍ ଦେବାର ଯୋଜନା ଉପରେ କାମ ଆରମ୍ଭ କରିଥିଲେ । ୨୦୧୯ ଜୁଲାଇ ପହିଲାରୁ ଚାଳକଙ୍କ ପାଇଁ ଏୟାରବ୍ୟାଗ୍ ଓ ୨୦୨୨ ଜାନୁଆରି ପହିଲାରୁ ସାମ୍ନାରେ ବସୁଥିବା ଯାତ୍ରୀଙ୍କ ପାଇଁ ଏୟାରବ୍ୟାଗ୍ ଖଂଜାଯିବାକୁ ବାଧ୍ୟତାମୂଳକ କରିଥିଲେ । ଏବେ ପଛସିଟ୍ରେ ଦୁଇଜଣ ଯାତ୍ରୀଙ୍କ ପାଇଁ ଦୁଇଟି ଏୟାରବ୍ୟାଗ୍ ଖଂଜାଯିବାର ନିୟମ ଲାଗୁ ହୋଇଛି । ସରକାରଙ୍କ ନିର୍ଦ୍ଦେଶ ମୁତାବକ ଏବେ ଏନ୍ ଓ ଏମ୍ କ୍ୟାଟେଗୋରୀ ବିଶିଷ୍ଟ କାରରେ ଚାରିଟି ଏୟାରବ୍ୟାଗ୍ ଲଗାଇବା ବାଧ୍ୟତାମୂଳକ କରାଯାଇଛି ।
ଏନ୍ କ୍ୟାଟେଗୋରୀ କହିଲେ ଚାରିଚକିଆ ଛୋଟକାର ଓ ଏମ୍ କହିଲେ ଚାରିଚକିଆ ବିଶିଷ୍ଟ ଭାରୀ ଯାନ ଯୋଉଥିରେ ଚାରିଟି ଆସନ ଥିବ ଓ ମାଲ ପରିବହନ ବ୍ୟବସ୍ଥା ଥିବ । ଏହି ଦୁଇ କ୍ୟାଟେଗୋରୀ ବିଶିଷ୍ଟ ଯାନରେ ଆଗ ଓ ପଛରେ ଥିବା ସିଟ୍ ନିକଟରେ ଏୟାରବ୍ୟାଗ୍ ଲଗାଯିବା ଜରୁରୀ ହୋଇଛି । ଟାଟା ଗ୍ରୁପର ପୂର୍ବତନ ଅଧ୍ୟକ୍ଷ ସାଇରସ୍ ମିସ୍ତ୍ରୀଙ୍କ ମୁତ୍ୟୁକୁ ଦୃଷ୍ଟିରେ ରଖି କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରଣାଳୟ କାର ଯାତ୍ରୀଙ୍କ ସୁରକ୍ଷିତ ଯାତ୍ରା ପାଇଁ ଏପରି ନିୟମ କଡ଼ାକଡ଼ି କରିଛନ୍ତି ।
ଅଟୋ ନିର୍ମାତା କହୁଛନ୍ତି ଯେ ୬ଟି ଏୟାରବ୍ୟାଗ୍ ଲଗାଇବା ପାଇଁ କାରରେ ଆବଶ୍ୟକ ବ୍ୟବସ୍ଥା ଖର୍ଚ୍ଚକୁ ମିଶାଇ କାର ମୂଲ୍ୟ ୩୦ରୁ ୪୦ ହଜାର ବଢ଼ିଯିବାର ଆଶଙ୍କା ରହିଛି । ତେବେ କାର ନିର୍ମାତାଙ୍କ ଯୁକ୍ତିକୁ ପଛକୁ ପକାଇ ଲୋକଙ୍କ ସୁରକ୍ଷିତ ଜୀବନକୁ ଅଧିକ ପ୍ରାଧାନ୍ୟ ଦେଇଛନ୍ତି ସରକାର ।