ନୂଆଦିଲ୍ଲୀ: ଅଷ୍ଟ୍ରେଲିଆରେ ଚାଲିଛି ଟି-୨୦ ବିଶ୍ୱକପ୍ । ପ୍ରଥମ ମ୍ୟାଚ୍ରୁ କ୍ରିକେଟ୍ପ୍ରେମୀଙ୍କୁ ସବୁ କିଛି ଓଲଟା ଦେଖାଗଲାଣି । ଟିମ ଇଣ୍ଡିଆ ଚିନ୍ତା ବଢ଼ିଯିବାର ଆଶଙ୍କା ପ୍ରକାଶ ପାଇଛି । ଟିମ୍ ଇଣ୍ଡିଆକୁ କ୍ୱାଲିଫାଇଙ୍ଗ ରାଉଣ୍ଡ ଦେଇ ସୁପର-୧୨ରେ ପ୍ରବେଶ କରିବାକୁ ପଡ଼ିବ । ବିଶ୍ୱକପ୍ ଆୟୋଜକଙ୍କ ସୁପର-୧୨ ଗାଣିତିକ ସୂତ୍ରକୁ ଦେଖି ଏକାଧିକ ଟିମ୍ ଚିନ୍ତାରେ ପଡ଼ି ଯାଇଛନ୍ତି । ସେମି ଫାଇନାଲରେ ପହଂଚିବା ଟିମ୍ ଇଣ୍ଡିଆ ପକ୍ଷେ କାଠିକର ପାଠ ହୋଇଛି ।
ଯୋଜନା ମୁତାବକ କ୍ୱାଲିଫାଇଙ୍ଗ ରାଉଣ୍ଡରେ ଗ୍ରୁପ-୧ ବିଜେତା ଓ ଗ୍ରୁପ-୨ ଉପ-ବିଜେତା ଆଫଗାନିସ୍ତାନ, ଇଂଲଣ୍ଡ, ଅଷ୍ଟ୍ରେଲିଆ ଓ ନ୍ୟୁଜଲାଣ୍ଡ ଟିମ୍ ଗ୍ରୁପ-ଏ’ରେ ସାମିଲ ହେବେ । ସେହିଭଳି କ୍ୱାଲିଫାଇଙ୍ଗ ରାଉଣ୍ଡରେ ଗ୍ରୁପ-୨ ବିଜେତା ଓ ଗ୍ରୁପ-୧ ଉପ-ବିଜେତା ଭାରତ, ପାକିସ୍ତାନ, ବାଂଲାଦେଶ ଓ ଦକ୍ଷିଣ ଆଫ୍ରିକା ଟିମ ଗ୍ରୁପ-ବି’ରେ ସାମିଲ ହେବେ ।
ନାମିବିୟା ନିକଟରୁ ଶ୍ରୀଲଙ୍କା ହାରିଯିବା ପରେ ସମୀକରଣ ବଦଳିଯାଇଛି । ଶ୍ରୀଲଙ୍କା ଏବେ ନେଦରଲାଣ୍ଡ ଓ ୟୁଏଇ ବିପକ୍ଷରେ ଖେଳିବ । ଶ୍ରୀଲଙ୍କା ଉଭୟ ମ୍ୟାଚରେ ଜିତିଲେ ଗ୍ରୁପ-୧ରେ ଦ୍ୱିତୀୟ ନମ୍ବରରେ ରହିବ । ଫଳରେ ଶ୍ରୀଲଙ୍କାକୁ ସୁପର-୧୨ରେ ଗ୍ରୁପ-ବି’ରେ ସ୍ଥାନ ମିଳିପାରେ । ଏଭଳି ସ୍ଥିତିରେ ସୁପର-୧୨ରେ ଭାରତ ଗ୍ରୁପରେ ଶ୍ରୀଲଙ୍କା ଓ ୱେଷ୍ଟଇଣ୍ଡିଜ ରହିପାରନ୍ତି । ଏ ଯାଏ ଗ୍ରୁପ-ଏ’କୁ ‘ଗ୍ରୁପ୍ ଅଫ୍ ଡେଥ୍’ କୁହାଯାଉଛି ।
କିନ୍ତୁ ସମୀକରଣ ବଦଳିବାର ଆଶଙ୍କା ଥିବାରୁ ସୁପର-୧୨ ଗ୍ରୁପ-ବି’ରେ ଭାରତ ସହିତ ପାକିସ୍ତାନ, ବାଂଲାଦେଶ, ଦକ୍ଷିଣ ଆଫ୍ରିକା, ଶ୍ରୀଲଙ୍କା ଓ ୱେଷ୍ଟଇଣ୍ଡିଜ ରହିପାରନ୍ତି । ଏପରି ଏକ ମାୟାଜାଲ ଭିତର ଦେଇ ସେମି ଫାଇନାଲରେ ପହଂଚିବା ଟିମ୍ ଇଣ୍ଡିଆ ପାଇଁ ଏକ ବଡ଼ ଚାଲେଞ୍ଜ ହୋଇଯିବ । ଭାରତକୁ ପାକିସ୍ତାନ ଓ ଦକ୍ଷିଣ ଆଫ୍ରିକା ସହ ଟି-୨୦ ସ୍ପେଶାଲିଷ୍ଟ ୱେଷ୍ଟଇଣ୍ଡିଜ ଓ ଏସିଆ କପ୍ ଚାମ୍ପିଅନ୍ ଶ୍ରୀଲଙ୍କାକୁ ମଧ୍ୟ ହରାଇବାକୁ ପଡ଼ିବ ।
ଟି-୨୦ ବିଶ୍ୱକପ ୨୦୨୨ (ଭାରତୀୟ ସମୟ ଅନୁସାରେ)
୧. ୨୩ ଅକ୍ଟୋବର ଦ୍ୱିପହର ଗୋଟାଏ ୩୦ ମିନିଟ୍, ମେଲବର୍ଣ୍ଣରେ ଭାରତ-ପାକିସ୍ତାନ
୨. ୨୭ ଅକ୍ଟୋବର ଦ୍ୱିପହର ୧୨ଟା ୩୦ ମିନିଟ୍, ସିଡ୍ନୀରେ ଭାରତ-ଗ୍ରୁପ୍-ଏ ରନର୍ ଅପ୍
୩. ୩୦ ଅକ୍ଟୋବର ଅପରାହ୍ଣ ୪ଟା ୩୦ ମିନିଟ୍, ପର୍ଥରେ ଭାରତ-ଦକ୍ଷିଣ ଆଫ୍ରିକା
୪. ୨ ନଭେମ୍ବର ଦ୍ୱିପହର ଗୋଟାଏ ୩୦ ମିନିଟ୍, ଏଡିଲେଡ୍ରେ ଭାରତ-ବାଂଲାଦେଶ
୫. ୬ ନଭେମ୍ବର ଦ୍ୱିପହର ଗୋଟାଏ ୩୦ ମିନିଟ୍, ମେଲବର୍ଣ୍ଣରେ ଭାରତ-ଗ୍ରୁପ-ବି ବିଜେତା