ବିଶ୍ୱକପ୍‌କୁ ବାସନ୍ଦ କରିବାର ଧମକ ଦେଲା ପାକିସ୍ତାନ

ମାତ୍ର ପିସିବି ତାଙ୍କ ପରାମର୍ଶକୁ ଏଡ଼ାଇ ଯାଇଛି…..

ନୂଆଦିଲ୍ଲୀ : ଏସିଆ କ୍ରିକେଟ୍‌ କାଉନ୍‌ସିଲ ଅଧ୍ୟକ୍ଷ ଓ ବିସିସିଆଇ ସଚିବ ଜୟ ଶାହଙ୍କ ମନ୍ତବ୍ୟ ଶୁଣିବା ପରେ ପାକିସ୍ତାନ କ୍ରିକେଟ୍‌ ବୋର୍ଡ (ପିସିବି) ପାଲଟା ଧମକ ଦେଇଛି । ଟିମ୍‌ ଇଣ୍ଡିଆ ଏସିଆ କପ୍‌ ଖେଳିବା ପାଇଁ ପାକିସ୍ତାନ ଯିବ ନାହିଁ ବୋଲି ଜୟ ଶାହଙ୍କ କଡ଼ା ଟିପ୍ପଣୀ ଜବାବରେ ପିସିବି କହିଛି, ଟିମ୍‌ ଇଣ୍ଡିଆ ପାକିସ୍ତାନ ନଆସିଲେ, ପାକିସ୍ତାନ ବିଶ୍ୱକପ୍‌ ଖେଳିବା ପାଇଁ ଭାରତ ଯିବ ନାହିଁ । ଏସିଆ କପ୍‌ ଟୁର୍ଣ୍ଣମେଂଟକୁ ପାକିସ୍ତାନ ବାହାରେ ଆୟୋଜନ କରିବା ପାଇଁ ଜୟ ଶାହ ପରାମର୍ଶ ଦେଇଥିଲେ । ମାତ୍ର ପିସିବି ତାଙ୍କ ପରାମର୍ଶକୁ ଏଡ଼ାଇ ଯାଇଛି ।

ଏସିଆ କପ୍‌ ଆୟୋଜନ କରି ପାକିସ୍ତାନ ତା’ର ମୁଣ୍ଡରୁ କଳଙ୍କ ପୋଛିବାର ସ୍ୱପ୍ନ ଦେଖୁଥିଲା । ନିଜ ମାଟିରେ ଟିମ ଇଣ୍ଡିଆକୁ ଖେଳିବାର ସୁଯୋଗ ଦେଇ ପାକିସ୍ତାନ ବିଶ୍ୱବାସୀଙ୍କ ଦୃଷ୍ଟିରେ ଧୁଆମୁଗ ହେବାକୁ ବସିଥିଲା । ଟିମ ଇଣ୍ଡିଆ ପାକିସ୍ତାନ ଯାଇଥିଲେ; ପାକିସ୍ତାନ ଦୀର୍ଘ ୧୫ ବର୍ଷ ପରେ ଟିମ୍‌ ଇଣ୍ଡିଆକୁ ସ୍ୱାଗତ କରିବାର ସୁଯୋଗ ପାଇଥାନ୍ତା । ଏସିଆ କପ୍‌ରୁ ପାକିସ୍ତାନ ଭଲ ଆୟ କରିବାର ଆଶା ରଖିଥିଲା । କିନ୍ତୁ ଟିମ୍‌ ଇଣ୍ଡିଆ ପାକିସ୍ତାନ ଯିବନି ବୋଲି ଜୟ ଶାହଙ୍କ ଘୋଷଣା ପିସିବିର ଆଶାକୁ ଧୂଳିସାତ୍‌ କରିଦେଲା ।

ଆସନ୍ତା ମାସ ଜୁଲାଇ-ଅଗଷ୍ଟରେ ଏସିଆ କପ୍‌ ଓ ଅକ୍ଟୋବର-ନଭେମ୍ବରରେ ବିଶ୍ୱକପ୍‌ ଖେଳାଯିବାର ଅଛି । ପାକିସ୍ତାନର ଧମକରେ କେତେ ଦମ୍‌ ଅଛି; ତାହା ପରଖିବାର ସମୟ ଆସିଛି । ଟିମ୍‌ ଇଣ୍ଡିଆ ପାକିସ୍ତାନ ଯାଇ ଏସିଆ କପ୍‌ ନଖେଳିଲେ ସତରେ କ’ଣ ପାକିସ୍ତାନ ବିଶ୍ୱକପ୍‌କୁ ବାସନ୍ଦ କରିଦେବ?