ଧାମନଗର : ଧାମନଗର ଭୋଟର କାହା କଥାରେ ଭଳିଯିବା ଜନ୍ତୁ ନୁହନ୍ତି । ସେମାନେ ସଚେତନ । କାହାକୁ ଭୋଟ ଦେଇ ପ୍ରତିନିଧି ଭାବେ ବାଛିବେ । ତାଙ୍କ ଉପରେ ଛାଡ଼ି ଦିଆଯାଉ । ଦଳୀୟ ପ୍ରଚାରରେ ଯାଇ ବିଜେପିର କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଲେ, ଧାମନଗର ଯୁବଶକ୍ତି ଓ ମହିଳାଶକ୍ତି ବିଜେପି ପ୍ରାର୍ଥୀଙ୍କୁ ଜିତାଇବେ । ଧର୍ମେନ୍ଦ୍ରଙ୍କ ବାଣକୁ କାଟୁ କରିବା ପାଇଁ ବିଜେଡି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଗୁଡ଼ିକୁ କିଣିବା ଆରମ୍ଭ କଲା ।
ଗୋଟିଏ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ମୁଖିଆଙ୍କୁ ବିଜେଡି ୪ ହଜାର ଟଙ୍କା ଦେଇଥିବା ଅଭିଯୋଗ କରିଛି ବିଜେପି ମହିଳା ମୋର୍ଚ୍ଚା । ଶାସକ ଦଳ ପକ୍ଷରୁ ଏପରି ପ୍ରୟାସ ନୂଆ ନୁହେଁ । ସରକାରୀ କର୍ମଚାରୀମାନେ ମଧ୍ୟ ଶାସକ ଦଳ ପାଇଁ ଜନମତ ସୃଷ୍ଟି କରୁଛନ୍ତି । ସରକାରୀ କର୍ମଚାରୀଙ୍କ ଏଭଳି ଅପରାଧ ବିରୋଧରେ ନିର୍ବାଚନ ଆୟୋଗ କ’ଣ କରିପାରିବେ । ଅତି ବେଶିରେ ଅଭିଯୁକ୍ତ କର୍ମଚାରୀଙ୍କୁ ଅନ୍ୟତ୍ର ବଦଳି କରିପାରିବେ ନଚେତ୍ ଚାକିରିରୁ ନିଲମ୍ବିତ କରିବେ ।
ଚାକିରିରୁ ବିଦା କରିପାରିବେନି ତ? ବିଜେପି ଯେଉଁ ମହିଳା ସ୍ୱୟଂ ସହାୟକ ଦଳର ଅଧ୍ୟକ୍ଷାକୁ ଅସ୍ତ୍ର କରି ନିର୍ବାଚନ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଛି । ତାଙ୍କୁ କେତେକ୍ଷଣ ସୁରକ୍ଷା ଦେଇପାରିବ । ଉପନିର୍ବାଚନରେ ବିଜେଡି ପ୍ରାର୍ଥୀ ଜିତିଯିବା ପରେ ସଂପୃକ୍ତ ଏସ୍ଏଚ୍ଜି ଗ୍ରୁପ ଅଧ୍ୟକ୍ଷାଙ୍କ ପରିବାର ପ୍ରତି ବିପଦ ସୃଷ୍ଟି ହେବାର ଆଶଙ୍କା ରହିଛି । ବିଜେପି ନେତ୍ରୀ ଲେଖାଶ୍ରୀ ସାମନ୍ତ ସିଂହାରଙ୍କ ଅଭିଯୋଗକୁ ଫିକା କରିବା ପାଇଁ ବିଜେଡି ପକ୍ଷରୁ ମଙ୍ଗ ଧରିଛନ୍ତି ଇପ୍ସିତା ସାହୁ ।
ବିଜେପି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ବିରୋଧରେ ଅପପ୍ରଚାର କରି ନାରୀଶକ୍ତିକୁ ଅପମାନିତ କରିଛି ବୋଲି ଇପ୍ସିତା ସାମ୍ବାଦିକ ସମ୍ମିଳନୀରେ ଅଭିଯୋଗ କରିଛନ୍ତି । ବିଜେଡିକୁ ବଦନାମ କରିବା ପାଇଁ ବିଜେପି ଜାଲ ଭିଡିଓ ତିଆରି କରିଥିବା କଥା କହିଛନ୍ତି ଇପ୍ସିତା ।
ନିର୍ବାଚନ ସମୟରେ ଶାସକ ଓ ବିରୋଧୀ ଦଳ ପରସ୍ପରକୁ କାଦୁଅ ଫିଙ୍ଗିବା ନୂଆ ନୁହେଁ । ଗୁଜରାଟରେ ଆପ୍ ନେତା ଅରବିନ୍ଦ କେଜ୍ରିୱାଲଙ୍କୁ କଳାପତାକା ଦେଖାଇ ବିଜେପି କର୍ମୀମାନେ ‘ଚୋର ଚୋର’ କହିବା ଯଦି ଯଥାର୍ଥ । ଧାମନଗରରେ ବିଜେପି ଓ ବିଜେଡି ମହିଳାଙ୍କୁ ଅସ୍ତ୍ର କରିବା ଯୁକ୍ତିସଙ୍ଗତ ।
ଏପରି ସମୟରେ ‘ଆମ ଜନତା ଦଳ’ ଧାମନଗର ଭୋଟରଙ୍କୁ ଗୋଟିଏ ଅନୁରୋଧ କରୁଛି, ‘ଆପଣମାନେ ଗଣତନ୍ତ୍ରର ସଚେତନ ଭୋଟର । କାହା କଥାରେ ଭାସିଯାଇ, କ୍ଷଣିକ ପାଇଁ ମଦମାଂସରେ ମାତିଯାଇ ଆପଣଙ୍କ ମୂଲ୍ୟବାନ ଭୋଟଟିକୁ ଅପାତ୍ରରେ ଦାନ କରନ୍ତୁ ନାହିଁ । ଆପଣଙ୍କ ବିବେକ ଓ ବୁଦ୍ଧି ବଳରେ ଯାହାକୁ ଉପଯୁକ୍ତ ନେତା ଭାବୁଛନ୍ତି; ସେଇଆକୁ ମତଦାନ କରି ଜିତାନ୍ତୁ । ଆପଣମାନେ ଗଣତନ୍ତ୍ରଣ ପଶୁ ନୁହନ୍ତି ଯେ ଖଣ୍ଡିଏ ରୁଟି ଓ ଭାତ ମୁଠାଏ ପାଇଁ ଆପଣଙ୍କ ପୁଅଝିଅମାନଙ୍କର ଭବିଷ୍ୟତକୁ ନର୍କ ଭିତରକୁ ଠେଲିଦେବେ ।
କେନ୍ଦ୍ରର ବିଜେପି ଓ ରାଜ୍ୟର ବିଜେଡି ଦୁର୍ନୀତି ମୁଦ୍ରାର ଦୁଇପାଖ । ଉକ୍ତ ମୁଦ୍ରାଟିକୁ ଧରିଥିବା ହାତଟି ମଧ୍ୟ ଦୁର୍ନୀତିଗ୍ରସ୍ତ । ତେଣୁ ଏଜେଡି ଦୃଷ୍ଟିରେ କେହି ଭଦ୍ରଲୋକ ନୁହନ୍ତି । ବିଜେଡିର ବିଦ୍ରୋହୀ ବୋଲାଉଥିବା ରାଜେନ୍ଦ୍ର ଦାସ ମଧ୍ୟ ଭଦ୍ରଲୋକ ନୁହନ୍ତି । ବିଜେଡି ଟିକେଟ୍ ପାଇଥିଲେ ସେ ମଧ୍ୟ ବିଜେଡି ଗୁଣ ଗାଇଗାଇ ଭୋଟ ମାଗୁଥାନ୍ତେ ।