ମହାନବମୀରେ ମହୀଷାମର୍ଦ୍ଦିନୀ ବେଶରେ ପୂଜା ପାଉଛନ୍ତି ମା’ଦୁର୍ଗା

ଭୁବନେଶ୍ବର(ଏସ୍ ନ୍ଯୁଜ) : ଜଗତଜନନୀ ମା ଦୁର୍ଗାଙ୍କ ଆଗମନକୁ ନେଇ ସାରା ରାଜ୍ୟରେ ନବମୀ ପୂଜାର୍ଚ୍ଚନା ଜାରି ରହିଛି ।ସବୁ ଶକ୍ତି ପୀଠରେ ଚାଲିଛି ମାଙ୍କ ଷୋଡଶ ଉପଚାର ।
ଆଜି ମା ଦୁର୍ଗା ମହୀଷାମର୍ଦ୍ଦିନୀ ରୂପରେ ଭକ୍ତଙ୍କୁ ଦର୍ଶନ ଦେବେ । ଦକ୍ଷିଣ ଭାରତରେ ଏହିଦିନକୁ ଅସ୍ତ୍ର ପୂଜା ବା ଆୟୁଧ ପୂଜା ବୋଲି ମଧ୍ୟ କୁହାଯାଇଥାଏ । ମହାଷ୍ଟମୀରେ ସନ୍ଧିପୂଜା ପରେ ମହାନବମୀ ମୁହୁର୍ତ୍ତ ଆରମ୍ଭ ହୋଇଥାଏ ।ମହନବମୀରେ ମହାସ୍ନାନ ପରେ ମାତାଙ୍କ ପୂଜାର୍ଚ୍ଚନା ରୀତିନୀତି ଆରମ୍ଭ ହୋଇଥାଏ ।

ଆଜି ମହିଷାସୁରର ଅନ୍ତ କରି ବିଜୟ ପରେ ମା ଦୁର୍ଗା ମହିଷାସୁରମର୍ଦ୍ଦିନୀ ରୂପରେ ଭକ୍ତଙ୍କୁ ଦର୍ଶନ ଦେଇଥାନ୍ତି । ଭକ୍ତମାନେ ସମୃଦ୍ଧି ଏବଂ ଉତ୍ତମ ସ୍ବାସ୍ଥ୍ୟ ପାଇଁ ମାତାଙ୍କୁ ପ୍ରାର୍ଥନା କରନ୍ତି। ପଶ୍ଚିମବଙ୍ଗ, ଓଡିଶା, ଆସାମ, ବିହାର, ଝାଡଖଣ୍ଡ ଏବଂ ତ୍ରିପୁରାରେ ଏହି ଉତ୍ସବକୁ ପାଳନ କରିଥାନ୍ତି । ଉତ୍ତର ଭାରତରେ ମହାନବମୀରେ କନ୍ୟା ପୂଜନର ପ୍ରଥା ରହିଛି । ଏହି ରୀତିରେ ୯ ଝିଅଙ୍କୁ ନିମନ୍ତ୍ରଣ କରାଯାଏ । ସେମାନଙ୍କର ପୂଜାର୍ଚ୍ଚନା କରିବା ସହ ଭୋଜନ ମଧ୍ୟ ପ୍ରସ୍ତୁତ କରାଯାଏ ।

ମାଙ୍କ ପାଖରେ ଏହି ଦିନ ସାଗୁଦାନା ଖିଚିଡିର ଭୋଗ ଲାଗେ । ଅନେକ ସ୍ଥାନାରେ ଖୀରି, ପୁରୀ ମଧ୍ୟ ଭୋଗ କରାଯାଏ । ବ୍ରତଧାରୀ ମାନେ ମଧ୍ୟ ପୂଜା ପରେ ଏହି ଭୋଗ ଗ୍ରହଣ କରିପାରିବେ ।ଏପରିକି ବିଶ୍ବାସ କରାଯାଏ ଯେ ଭଗବାନ ରାମ, ରାବଣର ଅନ୍ତ କରିବା ପୂର୍ବରୁ ୯ ଦିନ ପର୍ଯ୍ୟନ୍ତ ଦେବୀ ଦୁର୍ଗାଙ୍କୁ ପୂଜା କରିଥିଲେ। ଏହି କାରଣରୁ ନବରାତ୍ରୀକୁ ପାଳନ କରାଯାଏ ।