ମୁକ୍ତ ବନ୍ଦୀଙ୍କୁ ଆତ୍ମସମର୍ପଣ ଲାଗି ଦିଲ୍ଲୀ ହାଇକୋର୍ଟଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ : ଦିଲ୍ଲୀ ହାଇକୋର୍ଟଙ୍କ ଗୁରୁତ୍ତ୍ୱପୂର୍ଣ ନିର୍ଦେଶ । କରୋନା ଭାଇରସ ଯୋଗୁ ଗତ ମାର୍ଚ୍ଚ ମାସରେ ଦିଲ୍ଲୀର ଯେଉଁ ବନ୍ଦୀମାନଙ୍କୁ ଅନ୍ତରୀଣ ଜାମିନରେ ମୁକ୍ତ କରାଯାଇଥିଲା ସେମାନଙ୍କୁ ଏବେ ଜେଲକୁ ଫେରିବାକୁ ହେବ। ଏ ନେଇ ଦିଲ୍ଲୀ ହାଇକୋର୍ଟ ମାର୍ଚ୍ଚମାସରେ ଜାରି କରିଥିବା ଆଦେଶରେ ପରିବର୍ତ୍ତନ କରିଛନ୍ତି। ଏଥିରେ ଦିଲ୍ଲୀର ବିଭିନ୍ନ କୋର୍ଟରେ ଯେଉଁ ଅଭିୟୁକ୍ତଙ୍କ ଜାମିନ ନିବେଦନ ଲମ୍ବିତ ରହିଛି ସେମାନଙ୍କୁ ଅଗ୍ରୀମ ଜାମିନ ଦେବାକୁ ହାଇକୋର୍ଟ କହିଥିଲେ। ତେବେ ଏଥିରେ ନିର୍ଦ୍ଦେଶ ମିଳିବାମାତ୍ରେ ଅଭିଯୁକ୍ତ ପୁଣି ଜେଲ ହାଜତକୁ ଫେରିବେ ବୋଲି ହାଇକୋର୍ଟ ସର୍ତ୍ତ ରଖିଥିଲେ।

ହାଇକୋର୍ଟଙ୍କ ନିର୍ଦ୍ଦେଶାନୁସାରେ କରୋନାଭାଇରସ ମହାମାରୀ ଲାଗି ଦିଲ୍ଲୀର ବିଭିନ୍ନ ଜେଲରେ ବନ୍ଦୀ ଥିବା ୫ହଜାର ୫୦୦ରୁ ଅଧିକ ଅଭିଯୁକ୍ତଙ୍କୁ ମଧ୍ୟବର୍ତ୍ତିକାଳୀନ ଜାମିନରେ ମୁକ୍ତ କରାଯାଇଥିଲା। ଏବେ ହାଇକୋର୍ଟ ଏପରି ସର୍ତ୍ତମୂଳକ ଜାମିନରେ ଯାଇଥିବା ବନ୍ଦୀମାନଙ୍କୁ ଜେଲରେ ସରେଣ୍ଡର କରିବାକୁ କହିଛନ୍ତି। ଏଥିଲାଗି କୋର୍ଟ କେଉଁ ଦିନ କେଉଁ ବନ୍ଦୀ କେଉଁ ଜେଲରେ ଆତ୍ମସମର୍ପଣ କରିବେ ସେ ନେଇ ତାରିଖ ମଧ୍ୟ ଧାର୍ଯ୍ୟ କରିଦେଇଛନ୍ତି।

ହାଇକୋର୍ଟଙ୍କ ଆଦେଶ ମୁତାବକ ମଧ୍ୟ ଦିଲ୍ଲୀର ଯେଉଁ ଅଭିଯୁକ୍ତମାନଙ୍କୁ ତିଶହଜାରୀ କୋର୍ଟ ଜାମିନ ପ୍ରଦାନ କରିଥିଲେ ସେମାନଙ୍କୁ ନଭେମ୍ବର ୨,୩ , ତାରିଖ ସୁଧା ଜେଲରେ ସରେଣ୍ଡର କରିବାକୁ କୁହାଯାଇଛି। ସେହିପରି ଯେଉଁମାନେ କଡ଼କଡ଼ଡୁମା କୋର୍ଟରୁ ଜାମିନ ପାଇଥିଲେ ସେମାନଙ୍କୁ ୫, ୬ ଓ ୭ ନଭେମ୍ବରରେ ଜେଲରେ ସରେଣ୍ଡର କରିବାକୁ କୁହାଯାଇଛି। ରୋହିଣୀ କୋର୍ଟରୁ ଜାମିନ ପାଇଥିବା ଅଭିଯୁକ୍ତ ନଭେମ୍ବର ୮ ୯, ରେ ଜେଲକୁ ଫେରିବାକୁ କୁହାଯାଇଛି। ଦ୍ୱାରକା କୋର୍ଟରୁ ଜାମିନ ପାଇଥିବା ଅଭିଯୁକ୍ତଙ୍କୁ ନଭେମ୍ବର ୧୦ରେ ଜେଲକୁ ପହଞ୍ଚିବାକୁ କୁହାଯାଇଛି।

ସାକେତ କୋର୍ଟରୁ ଜାମିନ ପାଇଥିବା ଅଭିଯୁକ୍ତ ନଭେମ୍ବର ୧୧ ଏବଂ ୧୨ ତାରିଖ ସୁଦ୍ଧା ଜେଲରେ ପହଞ୍ଚିବାକୁ କୁହାଯାଇଛି। ରଉଜ ଏଭେନ୍ୟୁ କୋର୍ଟରୁ ଜାମିନ ପାଇଥିବା ବନ୍ଦୀ ନଭେମ୍ବର ୧୩ ତାରିଖରେ ସରେଣ୍ଡର କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଦିଲ୍ଲୀରେ କୋଭିଡ ଜନିତ ପରିସ୍ଥିତି ନେଇ ତିହାର ଓ ଅନ୍ୟ ଜେଲ ଅଧିକାରୀଙ୍କ ରିପୋର୍ଟ ସମୀକ୍ଷା କରିବା ପରେ ହାଇକୋର୍ଟ ଏହି ନିର୍ଦ୍ଦେଶ ଜାରି କରିଛନ୍ତି।