ଧରମଛଡ଼ାଙ୍କ ପାଇଁ ବିଜେପି ହାତରୁ ଚାଲିଯିବ ଧାମନଗର ଆସନ

ବିଜେଡିକୁ ବଦନାମ କରି ଜିତିବାର ଆଶା ଭୁଲିଯାଉ ବିଜେପି

ଭୁବନେଶ୍ୱର: ନିଜେ ମହାଦୁର୍ନୀତିର ବ୍ରାଣ୍ଡ୍‌ ଆମ୍ବାସାଡ଼ର ବନିଥିବା ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପୋଷାକରେ ଦୁର୍ନୀତିର ଦାଗ ଲଗାଇବା ଧର୍ମେନ୍ଦ୍ରଙ୍କ ପକ୍ଷେ ଶୋଭାପାଉନି । ଧାମନଗର ଉପନିର୍ବାଚନରେ ଭୋଟରଙ୍କୁ ମନାଇବା ପାଇଁ ବିଜେଡି ସୁପ୍ରିମୋଙ୍କ ଦୋଷତ୍ରୁଟିକୁ ବାଛିବା ବଦଳରେ ଧର୍ମେନ୍ଦ୍ରଙ୍କ ପାଖରେ ସତେ ଯେପରି ଆଉ କୌଣସି ବାଟ ନାହିଁ । ଏମିତି ଆଭିମୁଖ୍ୟ ପୋଷଣ କରି ବିଜେଡି ହରାଇବାର ରଣନୀତି ବିଜେପିକୁ ଆହୁରି କ୍ଷତିରେ ପକାଇବ ।

କେନ୍ଦ୍ର ସରକାରଙ୍କ ସବୁ ଯୋଜନାକୁ ରାଜ୍ୟର ପ୍ରତ୍ୟେକ ପରିବାର ନିକଟରେ ପହଂଚାଇବା ବିଜେପିର ମୁଖ୍ୟ ଉଦ୍ଦେଶ୍ୟ ରହିବା ଦରକାର । କେନ୍ଦ୍ର ସରକାରଙ୍କ ଯୋଜନାରୁ ବାଦ୍‌ ପଡ଼ିଥିବା ପରିବାରକୁ ଯୋଜାନାଭୁକ୍ତ କରି ଉପକୃତ କରାଇବା ବିଜେପିର ପ୍ରଧାନ କର୍ତବ୍ୟ ହେଉ । ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନାରୁ ବାଦ ପଡ଼ିଥିବା ପରିବାରକୁ ସେମାନଙ୍କର ହକ୍‌ ଦେବା ଦିଗରେ ବିଜେପି ନିଜକୁ ସାମିଲ କରିବା ଦରକାର । ଏଭଳି କାର୍ଯ୍ୟ କରିବା ଫଳରେ ବିଜେପି ଲୋକଙ୍କର ପ୍ରିୟଭାଜନ ହୋଇପାରିବ । ଅନ୍ୟର ଦୋଷତ୍ରୁଟିକୁ ବାଛିବା ଦିଗରେ ସମୟ ନଷ୍ଟ କରିବା ଭିତରେ ମଣିଷ ନିଜର ମହାନ ଉଦ୍ଦେଶ୍ୟଠାରୁ ବାଟ ହୁଡ଼ିଯାଏ । ରାଜ୍ୟ ବିଜେପିକୁ ବହୁତ ମହାନ୍‌ କାମ କରିବାର ଅଛି । ସେଗୁଡ଼ିକ ପ୍ରତି ମନ ନଦେଇ ବିଜେପି ଅଯତା ବିଜେଡି ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପଛରେ ପଡ଼ିଛି ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମୁହଁକୁ ଲାଜ ନାହିଁ ବୋଲି ଧରମଛଡ଼ା ଧର୍ମେନ୍ଦ୍ର ପ୍ରଧାନଙ୍କୁ କ୍ୟାବିନେଟ୍‌ରେ ରଖିଛନ୍ତି । ତାଙ୍କୁ ରାଜ୍ୟ ବିଜେପିର ତ୍ରାଣକର୍ତା ଭାବେ ସଜାଇଛନ୍ତି । ମୋଦୀଙ୍କ ବୁଦ୍ଧି ଉଦୟ ପାଇଁ ବିଜେପିକୁ ଧାମନଗର ଉପନିର୍ବାଚନରେ ହରାଇବା ଜରୁରୀ । ବିଜେପି ହାତରୁ ବାଲେଶ୍ୱର ସଦର ଆସନ ଚାଲିଗଲା । ସେଥିରେ ମୋଦୀଙ୍କର ବୁଦ୍ଧି ଉଦୟ ହେଲାନି । ଏବେ ଧାମନଗର ଆସନଟି ଚାଲିଗଲେ ହୁଏତ ତାଙ୍କର ଧର୍ମେନ୍ଦ୍ର ପ୍ରୀତି ଚାଲିଯିବ । ଆଉ ରହିଲା କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ ଓ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ କଥା । ବିଜେଡିର ବଳି ପଡ଼ିଥିବା ବିଧାୟକଙ୍କ ସହାୟତାରେ ରାଜ୍ୟସଭାକୁ ଯାଇଥିବା ଅଶ୍ୱିନୀ ବୈଷ୍ଣବ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦୟାର ପାତ୍ର । ତାଙ୍କ ମୁହଁରେ ବିଜେଡିକୁ ସମାଲୋଚନା ଅର୍ଥ ବିଶ୍ୱାସଘାତକତା । ମୟୁରଭଞ୍ଜ ଲୋକସଭା ଆସନରୁ ବିଶ୍ୱେଶ୍ୱର ଟୁଡୁଙ୍କୁ ଠିଆ କରିବାର ଆଶା ବିଜେପି ପାଇଁ କ୍ଷତିକାରକ ସାବ୍ୟସ୍ତ ହେବ ।

ସତକଥା ହେଉଛି, ଓଡ଼ିଶାରେ ମୋଦୀ ବ୍ରାଣ୍ଡ୍‌ ବିଜେପି କାମ କରିବ ନାହିଁ । ରାଜ୍ୟ ବିଜେପି ଅନ୍ୟ ଛୋଟଛୋଟ ଦଳ ସହିତ ହାତ ନ ମିଳାଇବା ଯାଏ ବିଜେଡିକୁ ପରାଜିତ କରିପାରିବ ନାହିଁ ।