ନୂଆଦିଲ୍ଲୀ: ସୁପର-୧୨ର ଗ୍ରୁପ-୨ରେ ଭାରତ, ଦକ୍ଷିଣ ଆଫ୍ରିକା ଓ ପାକିସ୍ତାନ ଭିତରୁ ସେମି ଫାଇନାଲ ଦାବିଦାର ବଛାଯିବେ । ଏହି ତିନୋଟି ଦଳକୁ ରବିବାର ମ୍ୟାଚ୍ ଖେଳିବାକୁ ପଡ଼ିବ । ରବିବାର ମ୍ୟାଚରୁ ସେମି ଫାଇନାଲ ପାଇଁ ଦୁଇଟି ଦଳ ସ୍ପଷ୍ଟ ହୋଇଯିବ । ଏମିତି ଦେଖିଲେ ଭାରତ ସର୍ବାଧିକ ପଏଂଟ ପାଇ ଗ୍ରୁପ-୨ ତାଲିକାର ଟପ୍ରେ ରହିଛି । ଭାରତ-ଜିମ୍ବାୱେ ମ୍ୟାଚ୍ ଯଦି ବର୍ଷାରେ ଧୋଇଯାଏ, ତେବେ ଗୋଟିଏ ପଏଂଟ ପାଇ ଭାରତ ତାଲିକାର ଶୀର୍ଷରେ ରହିବ । ଯଦି ତିନୋଟି ଯାକ ଦଳ ଖେଳନ୍ତି, ତେବେ ପାକିସ୍ତାନର ସେମି ଫାଇନାଲ ଆଶା ମାଟିରେ ମିଶିବ ।
ଅଷ୍ଟ୍ରେଲିଆରେ ଚାଲିଥିବା ଟି-୨୦ ବିଶ୍ୱକପକୁ ପ୍ରଥମ ସେମି ଫାଇନାଲ ଟିମ୍ ମିଳିଯାଇଛି । ଶୁକ୍ରବାର (ନଭେମ୍ବର ୪) ଆୟର୍ଲାଣ୍ଡକୁ ୩୫ ରନ୍ ବ୍ୟବଧାନରେ ହରାଇ ନ୍ୟୁଜିଲାଣ୍ଡ ସେମି ଫାଇନାଲରେ ପ୍ରବେଶ କରିଛି ।
ନଭେମ୍ବର ୫ ତାରିଖରେ ସେମି ଫାଇନାଲରେ ଖେଳିବାକୁ ଥିବା ଦ୍ୱିତୀୟ ଟିମ୍ ମିଳିଯିବ । ଇଂଲଣ୍ଡ-ଅଷ୍ଟ୍ରେଲିଆ ଭିତରୁ ଜଣେ ସେମି ଫାଇନାଲକୁ ଯାଇପାରନ୍ତି । ଏଥିପାଇଁ ଅଷ୍ଟ୍ରେଲିଆ ପକ୍ଷେ ଆଫଗାନିସ୍ତାନକୁ ହରାଇବା ଜରୁରୀ । ଯଦି ଅଷ୍ଟ୍ରେଲିଆ ହାରିଯାଏ, ତେବେ ଶ୍ରୀଲଙ୍କା ଓ ଇଂଲଣ୍ଡ ଭିତରୁ ଯିଏ ଜିତିବ, ସେହି ଟିମ ସେମି ଫାଇନାଲ ଖେଳିବାର ସୌଭାଗ୍ୟ ପାଇବ ।