ନୂଆଦିଲ୍ଲୀ: ସଂସଦର ମୌସୁମୀ ଅଧିବେଶନ ଆସନ୍ତା ସେପ୍ଟେମ୍ବର ଦ୍ୱିତୀୟ ସପ୍ତାହରୁ ଆରମ୍ଭ ହେବ ବୋଲି ସୂଚନା ମିଳିଛି। ତେବେ ସାମାଜିକ ଦୂରତ୍ୱ ବଜାୟ ରଖିବା ଲାଗି ଦିନେ ଲୋକସଭା ଏବଂ ପର ଦିନ ରାଜ୍ୟସଭା ଏହି କ୍ରମରେ ଚାଲିବ।
ଲୋକସଭା ଅଧିବେଶନ ଦିନ ସମସ୍ତ ସଦସ୍ୟଙ୍କୁ ଲୋକସଭା କକ୍ଷ, ରାଜ୍ୟସଭା କକ୍ଷ ଏବଂ ସେଣ୍ଟ୍ରାଲ ହଲରେ ଭାଗ ଭାଗ କରି ବସାଯିବ। ସେହିପରି ରାଜ୍ୟସଭା ଅଧିବେଶନ ଦିନ ସାଂସଦ ମାନେ ଉଭୟ ଲୋକସଭା କକ୍ଷ ଏବଂ ରାଜ୍ୟସଭା କକ୍ଷରେ ବସିବେ। ଭୂତାଣୁ ସଂକ୍ରମଣ ଜାରି ରହିଥିବାରୁ ପ୍ରତିଷେଧକ ଲାଗି ଏଭଳି ପନ୍ଥା ଆପଣାଯିବ।
ଏଥର ମୌସୁମୀ ଅଧିବେଶନରେ ପ୍ରଶ୍ନକାଳ ଏବଂ ଶୂନ୍ୟକାଳ ରହିବ ନାହିଁ। ଏହାସହ ପ୍ରତି ସ୍ଥାନରେ ସ୍କ୍ରିନିଂ ଏବଂ ସାନିଟାଇଜେସନ ବ୍ୟବସ୍ଥା ରହିବ। କୋଭିଡ୍ ଗାଇଡ୍ ଲାଇନ୍ ଅନୁଯାୟୀ ଦୁଇ ଗୃହର କାର୍ଯ୍ୟକ୍ରମ ୪ ସପ୍ତାହ ପର୍ଯ୍ୟନ୍ତ ଚାଲିବାର ସମ୍ଭାବନା ରହିଛି ।
ସୂଚନାଯୋଗ୍ୟ ଯେ, କରୋନା ଭାଇରସ୍ ଯୋଗୁଁ ସଂସଦର ବଜେଟ୍ ଅଧିବେଶନ ସ୍ଥଗିତ କରିଦିଆଯାଇଥିଲା । ଭାରତୀୟ ସମ୍ବିଧାନ ଅନୁଯାୟୀ ସଂସଦର ଅଧିବେଶନ ଶେଷ ଏବଂ ଆଗାମୀ ଅଧିବେଶନର ଆରମ୍ଭ ମଧ୍ୟରେ ୬ମାସରୁ ଅଧିକ ସମୟ ପାର୍ଥକ୍ୟ ରହିପାରିବ ନାହିଁ । ଏଥିପାଇଁ ମୌସୁମୀ ଅଧିବେଶନ ଆରମ୍ଭ କରିବା ପାଇଁ ସେପ୍ଟେମ୍ବର ୨୩ ତାରିଖ ଡେଡଲାଇନ ରହିଛି ।