ରାହୁଲଙ୍କୁ ସଦ୍ଦାମ ହୁସେନଙ୍କ ସହ ତୁଳନା କଲେ ଆସାମ ମୁଖ୍ୟମନ୍ତ୍ରୀ
ଭାରତକୁ ଭଲ ଭାବରେ ଚିହ୍ନି ନଥିବା ଲୋକମାନେ ହିଁ କଂଗ୍ରେସକୁ ଭଲ ପାଆନ୍ତି….
ଗାନ୍ଧୀନଗର : ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ଇରାକର ଦିବଂଗତ ଏକଛତ୍ରବାଦୀ ଶାସକ ସଦ୍ଦାମ ହୁସେନଙ୍କ ସହ ତୁଳନା କରିଚନ୍ତି । ଗୁଜରାଟ ନିର୍ବାଚନ ପ୍ରଚାରରେ ଯୋଗଦେଇ ହିମନ୍ତ ବିଶ୍ୱଶର୍ମା ଏକ ଜନସଭାରେ ରାହୁଲଙ୍କ ଦାଢ଼ିକୁ କଟାକ୍ଷ କରିଥିଲେ । ସେ କହିଥିଲେ, ଭାରତର ଇତିହାସ ଓ ସଂସ୍କୃତି ସଂପର୍କରେ କିଛି ନଜାଣି ରାହୁଲ ତୁଚ୍ଛାଟାରେ ଭାରତ ଯୋଡେ଼ା ଯାତ୍ରା’ରେ ବାହାରି ପଡ଼ିଛନ୍ତି ।
ଯାତ୍ରା ଆରମ୍ଭ କାଳରେ ରାହୁଲଙ୍କର ଚେହେରା ଟିକେ ଭଲ ଦିଶୁଥିଲା । ଯାତ୍ରା ଭିତରେ ତାଙ୍କ ମୁହଁକୁ ଦାଢ଼ି ଏଭଳି ଆଚ୍ଛାଦନ କରିଛି ଯେ ସେ ସଦ୍ଦାମ ହୁସେନଙ୍କ ଭଳି ଦିଶିଲେଣି । ରାହୁଲ ନିଜକୁ ସର୍ଦ୍ଦାର ବଲ୍ଲଭଭାଇ ପଟେଲ ନଚେତ ଜବାହରଲାଲ ନେହୁରୁଙ୍କ ଭଳି ସଜାଇ ପାରିଥାନ୍ତେ । କିଚି ନହେଲେ ଗାନ୍ଧୀଜୀଙ୍କ ଭଳି ସଜାଇ ପାରିଥାନ୍ତେ । ମାତ୍ର ସଦ୍ଦାମ ହୁସେନଙ୍କ ଗେଟ୍ ଅପ୍ ଧାରଣ କରି ରାହୁଲ ଜଣାଇ ଦେଇଛନ୍ତି ଯେ କଂଗ୍ରେସର ସଂସ୍କୃତି ଭାରତବାସୀଙ୍କ ନିକଟତର ହୋଇପାରିବନି ।
ଭାରତକୁ ଭଲ ଭାବରେ ଚିହ୍ନି ନଥିବା ଲୋକମାନେ ହିଁ କଂଗ୍ରେସକୁ ଭଲ ପାଆନ୍ତି । ହିମନ୍ତ ବିଶ୍ୱଶର୍ମାଙ୍କ ମନ୍ତବ୍ୟକୁ ସମାଲୋଚନା କରି କଂଗ୍ରେସ ନେତା ମନିଷ ତିୱାରି କହିଚନ୍ତି, ଜଣେ ମୁଖ୍ୟମନ୍ତ୍ରୀଙ୍କ ମୁହଁରେ ଏଭଳି ଶସ୍ତା ଭାଷା ଶୋଭାପାଉନି । ଭାରତର ସଂସ୍କୃତି କେବେ ଏଭଳି ମାମୁଲି ଭାଷାକୁ ନେଇ ରୁଦ୍ଧିମନ୍ତ ନୁହେଁ । ରାହୁଲଙ୍କ ପ୍ରତି କଟାକ୍ଷ କରି ହିମନ୍ତ ବିଜେପିର ମହାନତା ପ୍ରମାଣ କରିଛନ୍ତି ।