ଚାଉଳ ଜମା କରିନାହାନ୍ତି ଶଙ୍ଖ ମିଲର

ଭୁବନେଶ୍ୱର: ଚଳିତବର୍ଷ ନଭେମ୍ବର ସୁଦ୍ଧା ୪୮ ଲକ୍ଷ ୭ ହଜାର ୯୩୬ ମେଟ୍ରିକ୍‌ ଚାଉଳ ଜମା କରାଯିବା କଥା । ମାତ୍ର ଜମା କରାଯାଇଛି ୪୩ ଲକ୍ଷ ୧୩ ହଜାର ୫୮୨ ମେଟ୍ରିକ୍‌ ଟନ୍‌ । ଚାଉଳ ଜମା କରି ନଥିବା ମିଲରଙ୍କ ବିରୋଧରେ ମାମଲା ରୁଜୁ କରିବା ପାଇଁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି । ମୁଖ୍ୟ ଶାସନ ସଚିବଙ୍କ ନିର୍ଦ୍ଦେଶକୁ ମାନିବା ପାଇଁ ଜିଲ୍ଲାପାଳମାନେ ଚିନ୍ତାରେ ପଡ଼ିଯାଇଛନ୍ତି । କଥା କ’ଣ କି, ରାଜ୍ୟରେ ଶଙ୍ଖ ମାର୍କା ମିଲରମାନେ ନବୀନବାବୁଙ୍କ ଅଭୟ ପାଇ ଚାଉଳ ଜମା କରିନାହାନ୍ତି । ଜିଲ୍ଲାପାଳମାନେ ଶଙ୍ଖ ମାର୍କା ମିଲରଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପଛାଉଛନ୍ତି ।

ଚଳିତ ବର୍ଷ ୧୬ ଲକ୍ଷ ୯୯ ହଜାର ଚାଷୀ ପଞ୍ଜୀକରଣ କରିଛନ୍ତି । ସେମାନଙ୍କ ଭିତରୁ ନାମମାତ୍ର ଚାଷୀ ୭.୫୨% ଓ କ୍ଷୁଦ୍ର ଚାଷୀ ୫.୨୯% ଓ ଭାଗଚାଷୀ ମାତ୍ର ୦.୭୯% । ମାଲକାନଗିରି, ମୟୂରଭଞ୍ଜ, ପୁରୀ ଓ ସମ୍ବଲପୁରରେ ଚାଷୀ ପଞ୍ଜୀକରଣ କମିଯାଇଛି । ତଥ୍ୟ ମୁତାବକ ମୟୂରଭଞ୍ଜରେ ୧୧% ଓ ମାଲକାନଗିରିରେ ୪% ଚାଷୀ ପଞ୍ଜୀକରଣ କମିଛି । ଚାଷୀଙ୍କଠାରୁ ଧାନ ସଂଗ୍ରହ କରିବା ପାଇଁ ୩୦୫୮ ସମବାୟ ସମିତି ଓ ୪୫୧ ସ୍ୱୟଂ ସହାୟକ ଗୋଷ୍ଠୀ ଅନୁମତି ପାଇଛନ୍ତି । ସରକାରଙ୍କ ନିର୍ଦ୍ଦେଶ ମୁତାବକ ଅଧିକ ସଂଖ୍ୟକ ସ୍ୱୟଂ ସହାୟକ ଗୋଷ୍ଠୀକୁ ଧାନ ସଂଗ୍ରହ ପାଇଁ ଦାୟିତ୍ୱ ଦିଆଯାଇଛି ।
୨୦୦୩ରୁ ସରକାର ଓ ଚାଷୀଙ୍କ ମଧ୍ୟରେ ମିଲରମାନେ ଦଲାଲି କରି ଆସୁଛନ୍ତି । ମିଲ ଜରିଆରେ ଚାଷୀଙ୍କଠାରୁ ଧାନ କିଣି ଆସୁଛନ୍ତି ସରକାର । ୨୦୦୩ରୁ ୨୦୧୬ ଭିତରେ ବହୁ ମିଲ ମାଲିକମାନେ ସରକାରଙ୍କଠାରୁ ୧୮୭ କୋଟି ୫୨ ହଜାର ଟଙ୍କାର ରାଜସ୍ୱ ଠକିଛନ୍ତି । ଦୀର୍ଘଦିନ ବିତିଯିବା ପରେ ମଧ୍ୟ ୯୨ ମିଲ ମାଲିକଙ୍କଠାରୁ ୧୪୧ କୋଟି ୬୮ ଲକ୍ଷ ଟଙ୍କା ବକେୟା ଆଦାୟ କରାଯାଇନି । ବକେୟା ପଇଠ କରି ନଥିବା ୯୨ ମିଲ ମାଲିକଙ୍କ ଭିତରୁ ୩ ଜଣଙ୍କ ବିରୋଧରେ କ୍ରାଇମ ବ୍ରାଂଚ, ୪ ଜଣଙ୍କ ବିରୋଧରେ ଭିଜିଲାନ୍ସ ଓ ୫୮ ମିଲ ବିରୋଧରେ ସାର୍ଟିଫାଏଡ୍‌ ମାମଲା ରୁଜୁ ହୋଇଛି । ବକେୟା ପଇଠ କରି ନଥିବା ମିଲ ମାଲିକମାନେ ସବୁ ଶଙ୍ଖ ମାର୍କାର ନୁହନ୍ତି ତ?