ଭାରତର ଜି୨୦ ଅଧ୍ୟକ୍ଷତା ସମୟରେ ଦେଶର ୫୦ରୁ ଅଧିକ ସହରରେ ୨୦୦ରୁ ଅଧିକ ବୈଠକ ଆୟୋଜନ କରାଯିବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଘୋଷଣା କରିଛନ୍ତି ଯେ ଭାରତର ଅଧ୍ୟକ୍ଷତା କାଳରେ ‘ବସୁଧୈବ କୁଟୁମ୍ବକମ’ ବା ସାରା ବିଶ୍ବ ଏକ ପରିବାର ବାର୍ତ୍ତା ପ୍ରଚାର କରାଯିବ । ଏକ ପୃଥିବୀ, ଏକ ପରିବାର, ଏକ ଭବିଷ୍ୟତ ବାର୍ତ୍ତା ନେଇ ଭାରତ ଜି୨୦ ରାଷ୍ଟ୍ର ଗୋଷ୍ଠୀକୁ ନେତୃତ୍ବ ପ୍ରଦାନ କରିବ ।
ଏହି ଅବସରରେ ଗଣମାଧ୍ୟମକୁ ସମ୍ବୋଧିତ କରି ଶ୍ରୀ ପଟ୍ଟନାୟକ କହିଥିଲେ ଯେ, ଭାରତର ଲୋଗୋ ଏବଂ ଜି୨୦ ଅଧ୍ୟକ୍ଷତାର ବିଷୟବସ୍ତୁ ଦେଶର ପ୍ରାଚୀନ ଜ୍ଞାନ ଓ ମୂଲ୍ୟବୋଧକୁ ପ୍ରତିନିଧିତ୍ବ କରୁଛି । ଆମ ଦେଶରେ ପୁରାତନ କାଳରୁ ବସୁଧୈବ କୁଟୁମ୍ବକମର ବାର୍ତ୍ତା ପ୍ରଚଳିତ ହୋଇ ଆସିଛି । ସାରା ବିଶ୍ବକୁ ଗୋଟିଏ ପରିବାର ଭାବେ ଗ୍ରହଣ କରିବା ଲାଗି ଏହି ଜ୍ଞାନ ଆମକୁ ଶିକ୍ଷା ଦେଇଥାଏ । ଭାରତ ପାଖରେ ଥିବା ଏହି ମହାନ ଜ୍ଞାନକୁ ଏବେ ଜି୨୦ ମଞ୍ଚ ଜରିଆରେ ସମଗ୍ର ବିଶ୍ବରେ ବାଣ୍ଟିବାର ସମୟ ଆସିଛି ।
ସୂଚନା ଯୋଗ୍ୟ ଯେ, ପ୍ରତିବର୍ଷ ଡିସେମ୍ବର ପହିଲାରୁ ୫ ତାରିଖ ପର୍ଯ୍ୟନ୍ତ କୋଣାର୍କରେ ଆୟୋଜିତ ହେଉଥିବା ଅନ୍ତର୍ଜାତୀୟ ବାଲୁକା କଳା ମହୋତ୍ସବରେ ସୁଦର୍ଶନ ପଟ୍ଟନାୟକଙ୍କ ବାଲୁକା କଳାକୃତି ପ୍ରଦର୍ଶିତ ହେଉଛି । ଚଳିତ ବର୍ଷ ଏଥିରେ ବହୁ ବିଦେଶୀ କଳାକାରମାନେ ଅଂଶଗ୍ରହଣ କରୁଛନ୍ତି। ମନ୍ଦିର ସହର କୋଣାର୍କର ଚନ୍ଦ୍ରଭାଗା ବେଳାଭୂମିରେ ୫ଦିନରୁ ଅଧିକ ସମୟ ଧରି ଆୟୋଜିତ ହେବାକୁ ଥିବା ବାଲୁକା କଳା ମହୋତ୍ସବରେ ୫ ଲକ୍ଷରୁ ଅଧିକ ପର୍ଯ୍ୟଟକଙ୍କ ଭିଡ଼ ହେବ ବୋଲି ଆଶା କରାଯାଉଛି ।