‘କେହି ଯେପରି ଭୋକରେ ନ ଶୁଅନ୍ତି’

କେନ୍ଦ୍ର ସରକାରଙ୍କୁ ସୁପ୍ରିମକୋର୍ଟଙ୍କ ତାଗିଦ….

ନୂଆଦିଲ୍ଲୀ: ଦେଶକୁ କ୍ଷୁଧା କବଳରୁ ମୁକ୍ତ କରିବା ପାଇଁ ସୁପ୍ରିମକୋର୍ଟ କଠୋର ଆଭିମୁଖ୍ୟ ପୋଷଣ କରିଛନ୍ତି । ପ୍ରତ୍ୟେକ ବ୍ୟକ୍ତି ନିକଟରେ ଖାଦ୍ୟ ପହଂଚାଇବା ଏବେ କେନ୍ଦ୍ର ସରକାରଙ୍କ ପ୍ରଧାନ ଦାୟିତ୍ୱ । ‘କେହି ଯେପରି ଭୋକରେ ନ ଶୁଅନ୍ତି, ସେଥିପ୍ରତି ସଜାଗ ରହିବାକୁ ଆଜି ସୁପ୍ରିମକୋର୍ଟ କେନ୍ଦ୍ରର ମୋଦୀ ସରକାରଙ୍କୁ ପରାମର୍ଶ ଦେଇଛନ୍ତି । କରୋନା ସମୟରେ ଅନ୍ୟ ରାଜ୍ୟର ଶ୍ରମିକଙ୍କ ଦୁର୍ଦ୍ଦଶା ସଂପର୍କୀତ ଏକ ଜନସ୍ୱାର୍ଥ ଆଧାରିତ ମାମଲାର ବିଚାର କରି ସୁପ୍ରିମକୋର୍ଟ ଏପରି ରାୟ ପ୍ରଦାନ କରିଛନ୍ତି ।

ଭୋକ ଦାଉରୁ କେହି ଯେପରି ମୃତ୍ୟୁମୁଖରେ ନ ପଡ଼ନ୍ତି, ତାହା ତଦାରଖ କରିବା ଏବେ କେନ୍ଦ୍ରର ଦାୟିତ୍ୱ । ସୁପ୍ରିମକୋର୍ଟଙ୍କ ମତରେ ଦେଶରେ ପ୍ରଣୀତ ଖାଦ୍ୟ ସୁରକ୍ଷା ଆଇନର ସୁଫଳ ପ୍ରତି ଭୋକିଲାଙ୍କୁ ମିଳୁ । ଜଷ୍ଟିସ୍‌ ଏମ୍‌ ଆର ଶାହ ଓ ଜଷ୍ଟିସ୍‌ ହିମା କୋହଲିଙ୍କ ପୀଠ କେନ୍ଦ୍ର ସରକାରଙ୍କୁ ଇ-ଶ୍ରମ ପୋର୍ଟାଲରେ ଦାଦନ ଶ୍ରମିକ ଓ ଅଣସଂଗଠିତ କ୍ଷେତ୍ରରେ କାର୍ଯ୍ୟରତ ଶ୍ରମିକଙ୍କର ସଦ୍ୟ ତାଲିକା ପ୍ରକାଶ କରିବାକୁ କହିଛନ୍ତି ।

ଖଣ୍ଡପୀଠ କହିଛନ୍ତି, ଆମେ ଏକଥା କହୁନାହୁଁ ଯେ କେନ୍ଦ୍ର ସରକାର ତାଙ୍କ ଦାୟିତ୍ୱକୁ ଠିକ୍‌ ଭାବେ ନିର୍ବାହ କରୁନାହାନ୍ତି । କରୋନା ମହାମାରୀ ସମୟରେ ଭାରତ ସରକାର ଭୋକିଲାଙ୍କୁ ଖାଦ୍ୟ ବିତରଣ କରିଛନ୍ତି । ତେବେ ସେହି ମହତ୍‌ କାମ ଆଗକୁ ଜାରି ରଖିବା ଉଚିତ । ଆମ ସଂସ୍କୃତିରେ କାହାକୁ ଭୋକିଲା ରଖିବା ମହାପାପ । ତେଣୁ ଶେଷ ଲୋକ ନିକଟରେ ଖାଦ୍ୟ ପହଂଚାଇବା ଆମର ପରମ ଧର୍ମ ।