ନୂଆଦିଲ୍ଲୀ: ବଙ୍ଗୋପସାଗର ଉପରେ ଗୋଟାଏ ସାମୁଦ୍ରିକ ବାତ୍ୟା ସୃଷ୍ଟି ହେଉଥିବାରୁ ତାମିଲନାଡୁ, ଆନ୍ଧ୍ରପ୍ରଦେଶ ଓ ପଡ୍ଡୁଚେରୀରେ ‘ଏନ୍ଡିଆର୍ଏଫ୍’ ଓ ନୌସେନାଙ୍କୁ ସଜାଗ ରହିବାକୁ ସୂଚନା ଦିଆଯାଇଛି। ଭାରତୀୟ ପାଣିପାଗ ବିଭାଗ ସୂଚନା ଅନୁସାରେ, ଚେନ୍ନାଇର ଦକ୍ଷିଣପୂର୍ବକୁ ପ୍ରାୟ ୯୦୦ କିଲୋମିଟର୍ ଦୂର ବଙ୍ଗୋପସାଗରର ଦକ୍ଷିଣପଶ୍ଚିମ ପ୍ରାନ୍ତରେ ଲଘୁଚାପ କେନ୍ଦ୍ରୀଭୂତ ହେଉଛି।
ଆଜି ସନ୍ଧ୍ୟାସୁଦ୍ଧା ଏହି ଲଘୁଚାପ ସାମୁଦ୍ରିକ ବାତ୍ୟା ‘ମେଣ୍ଡସ୍’ ପାଲଟିବାର ସମ୍ଭାବନା ଅଛି। ଆସନ୍ତାକାଲି ସକାଳ ସୁଦ୍ଧା ‘ମେଣ୍ଡସ୍’ ତାମିଲନାଡୁ, ପୁଡ୍ଡୁଚେରୀ ଓ ଦକ୍ଷିଣ ଆନ୍ଧ୍ରପ୍ରଦେଶ ଉପକୂଳରେ ପହଞ୍ଚିବାର ସମ୍ଭାବନା ଥିବାରୁ ‘ଏନ୍ଡିଆର୍ଏଫ୍’, ସେନା ଓ ନୌସେନାଙ୍କୁ ସଜାଗ ରଖାଯାଇଛି।
ସାମୁଦ୍ରିକ ବାତ୍ୟା ‘ମେଣ୍ଡସ୍’ ପ୍ରଭାବରେ ଆନ୍ଧ୍ର ପ୍ରଦେଶର ଉପକୂଳବର୍ତ୍ତୀ ଜିଲ୍ଲା ଏବଂ ତାମିଲନାଡୁ ଓ ପୁଡ୍ଡୁଚେରୀର ଅଧିକାଂଶ ପ୍ରାନ୍ତରେ ବିଜୁଳି ଘଡ଼ଘଡ଼ି ସଙ୍ଗକୁ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବା କଥା ପାଣିପାଗ ବିଭାଗ କହିଛି।