ତୃତୀୟ ଦିନିକିଆରେ ବାଂଲାକୁ ଭାରତର ୪୧୦ ଟାର୍ଗେଟ୍‌

ଦ୍ରୁତତମ ଦ୍ୱିଶତକ ହାସଲ କରି କ୍ରିସଙ୍କୁ ଟପିଲେ ଈଶାନ୍‌

ଶତକ ହାସଲ କରି ପୁଣି କମାଲ୍‌ ଦେଖାଇଲେ ବିରାଟ…

ନୂଆଦିଲ୍ଲୀ: ଭାରତ ୫୦ ଓଭରରେ ୮ଟି ୱିକେଟ୍‌ ହରାଇ ବାଂଲା ବିପକ୍ଷରେ ୪୦୯ ରନ୍‌ କରିଛି । ଫଳରେ ଭାରତକୁ ପରାସ୍ତ କରିବା ପାଇଁ ବାଂଲାକୁ ୪୧୦ ରନ୍‌ କରିବାକୁ ପଡ଼ିବ । ଆହତ ଅଧିନାୟକ ରୋହିତ ଶର୍ମାଙ୍କ ସ୍ଥାନରେ ତୃତୀୟ ଦିନିକିଆରେ ଖେଳିବାର ସୁଯୋଗ ପାଇ କ୍ରିକେଟିୟର୍‌ ଈଶାନ୍‌ କିଶନ୍‌ ଆନ୍ତର୍ଜାତିକ କ୍ରିକେଟ୍‌ ଦୁନିଆରେ ଦ୍ରୁତତମ ଦ୍ୱିଶତକ ହାସଲ କରିପାରିଛନ୍ତି । ୨୪ ବର୍ଷୀୟ କିଶନ୍‌ ମାତ୍ର ୧୨୬ଟି ବଲରୁ ଐତିହାସିକ ଦ୍ୱିଶତକ ସ୍କୋର କରିଛନ୍ତି । ସେ ୨୪ଟି ଚୌକା ଓ ୧୦ଟି ଛକା ବଳରେ ୨୧୦ ରନ୍‌ କରି ଆଉଟ୍‌ ହୋଇଛନ୍ତି । ୨୦୧୫ରେ ଜିମ୍ବାୱେ ବିପକ୍ଷରେ ବ୍ୟାଟିଂ କରି କ୍ରିସ୍‌ ଗେଲ ୧୩୮ଟି ବଲରୁ ଦ୍ରୁତତମ ଦ୍ୱିଶତକ ହାସଲ କରିଥିଲେ । ଇଶାନଙ୍କୁ ବାଦ୍‌ ଦେଲେ ପୂର୍ବତନ ଅଧିନାୟକ ବିରାଟ କୋହଲି ତାଙ୍କ କ୍ୟାରିୟରର ୪୪ତମ ଦିିନିକିଆ ଶତକ ହାସଲ କରିଛନ୍ତି । ପ୍ରାୟ ୧୨୧୪ ଦିନ ପରେ ବିରାଟଙ୍କ ବ୍ୟାଟ୍‌ରୁ ଶତକ ଦେଖିବାକୁ ମିଳିଛି ।

୨୦୧୯ ଅଗଷ୍ଟ ୧୪ ତାରିଖରେ ବିରାଟ ୱେଷ୍ଟଇଣ୍ଡିଜ ବିପକ୍ଷରେ ବ୍ୟାଟିଂ କରି ଶତକ ହାସଲ କରିଥିଲେ । ତା’ ପରଠାରୁ ପ୍ରାୟ ୨୫ଟି ପାଳି ଖେଳିବାର ସୁଯୋଗ ପାଇଥିଲେ ମଧ୍ୟ ତାଙ୍କ ବ୍ୟାଟ୍‌ରୁ ଚମକ୍ରାରିତା ଦେଖିବାକୁ ମିଳି ନଥିଲା । ଇଶାନ-ବିରୋଟ ଯୋଡ଼ିଙ୍କ ବଳରେ ଭାରତ ୪୭ ଓଭରରେ ୫ ୱିକେଟ୍‌ ହରାଇ ୩୮୫ ରନ୍‌ କରିପାରିଛି । ବିରାଟ୍‌ ୧୧୩ ରନ୍‌ କରି କ୍ୟାଚ୍‌ ଆଉଟ୍‌ ହୋଇଛନ୍ତି ।
ଅଧିନାୟକ କେଏଲ୍‌ ରାହୁଲ ୮, ଶ୍ରେୟସ୍‌ ଆୟାର ୩, ଈଶାନ୍‌ କିଶନ ୨୧୦ ଓ ଶିଖର ଧବନ୍‌ ୩ ରନ୍‌ କରି ପାଭିଲିୟନ୍‌ ଫେରିଛନ୍ତି । ପୂର୍ବରୁ ଦୁଇଟି ମ୍ୟାଚ୍‌ ଜିତି ବାଂଲା ସିରିଜ୍‌ କବ୍‌ଜା କରିସାରିଛି । କେବଳ ସମ୍ମାନ ବଂଚାଇବା ପାଇଁ ଭାରତ ପଡିଆକୁ ଓହ୍ଲାଇଛି ।