କଲେଜ ଛାତ୍ରୀଙ୍କୁ ନିର୍ମମ ହତ୍ୟା,ସିସିଟିଭିରେ ରେକର୍ଡ ହତ୍ୟାକାଣ୍ଡ

ଫରିଦାବାଦ: ଦିନ ଦ୍ୱିପ୍ରହରରେ ଯୁବତୀଙ୍କୁ ନିର୍ମମ ହତ୍ୟା । ଏହି ହତ୍ୟାକାଣ୍ଡ ରେକର୍ଡ ହୋଇଛି ସିସିଟିଭିରେ। ହରିୟାଣାର ଫରିଦାବାଦର ବଲ୍ଲଭଗଡରେ ଦିନ ଦିପହରେ ଜଣେ ଯୁବତୀଙ୍କୁ ହତ୍ୟାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଉତ୍ତେଜନା ଦେଖା ଦେଇଛି । ମଙ୍ଗଳବାର ଦିନ ସକାଳେ ଉତ୍ୟକ୍ତ ଲୋକେ ମାଂସ ଦୋକାନରେ ପଶି ଦୋକାମ ଭଙ୍ଗାରୁଜା କରିଥିବା ସୂଚନା ମିଳିଛି । ଏହା ପରେ ଉତ୍ତ୍ୟକ୍ତ ଲୋକେ ଏବଂ ଯୁବତୀଙ୍କ ପରିବାର ମିଳିତ ଭାବେ ରାସ୍ତା ଅବରୋଧ କରିଛନ୍ତି ।

ମୃତ ଯୁବତୀଙ୍କ ପରିବାର କହିଛନ୍ତି ଯେ, ଏହା ପ୍ରେମ ସମ୍ପର୍କ ଜନିତ ଘଟଣା । ଏହାସହ, ଯୁବତୀଙ୍କ ମାଆ କହିଛନ୍ତି ଯେ ଅପରାଧୀମାନେ ମୋ ଝିଅକୁ ଯେମିତି ମାରିଛନ୍ତି ସେମାନଙ୍କୁ ଠିକ୍ ସେମିତି ଏନକାଉଣ୍ଟର କରାଯାଉ । ଏନକାଉଣ୍ଟର ନହେବା ପର୍ଯ୍ୟନ୍ତ, ମୁଁ ମୋ ଝିଅର ଶବ ସଂସ୍କାର କରିବି ନାହିଁ । ତେବେ ପୋଲିସ ମୁଖ୍ୟ ଅଭିଯୁକ୍ତ ତୌଫିକଙ୍କୁ ଗିରଫ କରିଛି । କୁହାଯାଉଛି ଯେ ୨୦୧୮ରେ ମଧ୍ୟ ନିକିତାଙ୍କ ପରିବାର ତୌଫିକଙ୍କ ବିରୋଧରେ ମାମଲା ରୁଜୁ କରିଥିଲେ, କିନ୍ତୁ ପରେ ମାମଲାର ସମାଧାନ ହୋଇଯାଇଥିଲା ।

ସୂଚନା ଅନୁସାରେ ବଲ୍ଲଭଗଡରେ ଦିନଦିପହରେ ଜୋରଜବରଦସ୍ତ ଯୁବତୀଙ୍କୁ କାର ଭିତରକୁ ଟାଣି ନେବାକୁ ଚେଷ୍ଟା କରିଥିଲେ । ସେଠାରେ ଥିବା ଯୁବତୀଙ୍କ ଜଣେ ବନ୍ଧୁ ବିରୋଧ ମଧ୍ୟ କରିଥିଲେ । ପରେ ସେମାନେ ଯୁବତୀଙ୍କୁ ବନ୍ଧୁକ ଦେଖାଇ ଡରାଇବାକୁ ଲାଗିଥିଲେ । ଯେତେବେଳେ ଯୁବତୀ ଡରି ନଥିଲା ଯୁବକ ଜଣଙ୍କ ଗୁଳି ଚଳାଇ ଦେଇଥିଲା । ସେଠାରେ ହିଁ ଯୁବତୀଙ୍କ ମୃତ୍ୟୁ ହୋଇଥିଲା । ତେବେ ମୃତ ଯୁବତୀଙ୍କ ନାଁ ନିକିତା ତୋମାର । ସେ +୩ ପରୀକ୍ଷା ଦେଇ ବଲାଭଗଡର ଅଗ୍ରୱାଲ କଲେଜରୁ ଫେରୁଥିଲେ । ଆଉ ଏବେ ଏହି ଘଟଣାକୁ ନେଇ ଉତ୍ତେଜନା ଦେଖାଦେଇଛି । ଯଦିଓ ପୋଲିସ ଏହି ଘଟଣାର ମୁଖ୍ୟ ଅଭିଯୁକ୍ତକୁ ଗିରଫ କରିଛି ଏବଂ ଅନ୍ୟ ଜଣେ ଏବେ ବି ଫେରାର୍ ଅଛି ।