ନୂଆଦିଲ୍ଲୀ: ପାକିସ୍ତାନର ପେଶାୱର ପୁଲିସ ଲାଇନସ୍ଥିତ ମସଜିଦରେ ବଡ଼ ଧରଣର ବିସ୍ଫୋରଣଜନିତ ମୃତ୍ୟୁସଂଖ୍ୟା ଶହେ ଟପିଛି । ମଙ୍ଗଳବାର ସନ୍ଧ୍ୟା ସୁଦ୍ଧା ଉଦ୍ଧାରକାରୀ ଦଳ ଧ୍ୱଂସପ୍ରାପ୍ତ ମସଜିଦ ତଳୁ ବହୁ ମୃତଦେହ ଉଦ୍ଧାର କରିଛି । ପେଶାୱରସ୍ଥିତ ଲେଡି ରିଡିଙ୍ଗ ହସ୍ପିଟାଲରେ ଚିକିତ୍ସାଧୀନ ୨୨୧ ଆହତଙ୍କ ଭିତରୁ ଅଧିକାଂଶ ଗୁରୁତର ଥିବାରୁ ମୃତ୍ୟୁସଂଖ୍ୟା ବୃଦ୍ଧି ପାଇବାର ଆଶଙ୍କା କରାଯାଉଛି ।
ପୁଲିସ ଘଟଣାସ୍ଥଳରୁ ଆତ୍ମଘାତୀଙ୍କ ମୁଣ୍ଡଟିକୁ ଉଦ୍ଧାର କରିଥିବା ଦୃଢ଼ତାର ସହ କହିଛି । ପୁଲିସ କହିଛି, ଆତ୍ମଘାତୀ (ଫିଦାୟିନ) ନମାଜ ପାଠ କରୁଥିବା ଶ୍ରଦ୍ଧାଳୁଙ୍କ ଗହଣରେ ଆଗଧାଡ଼ିରେ ଠିଆ ହୋଇଥିଲା । ନମାଜ ପାଠ ଚାଲିଥିବା ବେଳେ ନିଜକୁ ଉଡ଼ାଇ ଦେଇଥିଲା । ବିସ୍ଫୋରଣ ଏତେ ଶକ୍ତିଶାଳୀ ଥିଲା ଯେ ମସଜିଦର ଛାତର ଗୋଟିଏ ପାଖ ଧସିଯାଇଛି ଓ କାନ୍ଥ ଭୁଶୁଡ଼ି ଯାଇଛି । ସୋମବାର ଦିନ ଗୋଟାଏ ୪୦ ମିନିଟରେ ହୋଇଥିବା ଧମାକାକୁ ୩୦ ଘଂଟା ବିତିଗଲାଣି ।
ଏବେ ସୁଦ୍ଧା ପୁଲିସ ହାତରେ ଠୋସ୍ ପ୍ରମାଣ ମିଳିନାହିଁ । ଆକ୍ରମଣକାରୀ ବହୁ ପୂର୍ବରୁ ପୁଲିସ ଲାଇନରେ ରହୁଥିଲା ଓ ସରକାରୀ ଗାଡ଼ିରେ ବସି ମସଜିଦ ଭିତରେ ପଶିଥିବାର ପୁଲିସ ସନ୍ଦେହ କରୁଛି । ବିସ୍ଫୋରଣର ଶିକାର ଲୋକଙ୍କ ଭିତରୁ ୯୦ ଭାଗ ପୁଲିସ ଥିଲେ । ମସଜିଦରେ ୪୦୦ରୁ ଅଧିକ ଶ୍ରଦ୍ଧାଳୁ ନମାଜ ପାଠ କରୁଥିଲେ ।
ବିସ୍ଫୋରଣ ଘଟିବାର କେତେଘଂଟା ପରେ ପାକ୍ସ୍ଥିତ ତେହେରିକ୍-ଏ-ତାଲିବାନ ନିଜକୁ ଦାୟୀ କରିଥିଲା । ସଂଗଠନ କହିଥିଲା ଯେ ଆତଙ୍କୀ ନେତା ଖାଲିଦ ଖୁରାସନୀଙ୍କ ନିର୍ମମ ହତ୍ୟାକାଣ୍ଡର ପ୍ରତିଶୋଧ ନିଆଯାଇଛି । କିନ୍ତୁ କିଛିଘଂଟା ପରେ ତାଲିବାନ ୟୁ-ଟର୍ନ ନେଇଥିଲା।
ଖାଇବର ପଖତୁନଖ୍ୱା ଆଇଜି ମୌଜମ ଜାହ ଅନସାରୀ କହିଛନ୍ତି ଯେ ବିସ୍ଫୋରଣରେ ଟିଟିପି’ର କୌଣସି ହାତ ନାହିଁ । ପୁଲିସର ସନ୍ଧାନୀ ଦୃଷ୍ଟି ଜମାତୁଲ ଅହରାର ଉପରେ ପଡ଼ିଛି । ସୂଚନାଯୋଗ୍ୟ, ୨୦୨୨ ଅଗଷ୍ଟରେ ଆଫଗାନିସ୍ତାନରେ ଟିଟିପି ନେତା ଉମର ଖାଲିଦ ଖୁରାସନୀଙ୍କ କାର ଉପରକୁ ବୋମାମାଡ଼ କରାଯାଇଥିଲା । ଘଟଣାସ୍ଥଳରେ ଖୁରାସନୀଙ୍କ ସମେତ ତିନିଜଣ ପ୍ରାଣ ହରାଇଥିଲେ ।