ପାଟନାରେ ଗୁଳି ଖାଇ ଟଳିଲେ ପାଂଚ

ଅନ୍ୟ ଲୋକମାନଙ୍କର ଚଳପ୍ରଚଳରେ ବାଧା ସୃଷ୍ଟି ହୋଇଥିଲା…

ପାଟନା: ନୀତୀଶ କୁମାରଙ୍କ ହାତରୁ ଖସିଯାଉଛି ବିହାର । ଆଉ ପାଟନାରେ ନୀତୀଶଙ୍କ କାଟ୍‌ତି ନାହିଁ ବୋଲି ଲୋକମାନେ କୁହାକୁହି ହେଲେଣି । ଛୋଟ ଘଟଣାରୁ ପାଟନା ଛାତିରେ ଗୁଳି ଫୁଟିବା ଫଳରେ ଜଣେ ପ୍ରାଣ ହରାଇଛନ୍ତି । ସୂଚନା ମୁତାବକ ପାର୍କିଂକୁ କେନ୍ଦ୍ର କରି ଦୁଇ ଗୋଷ୍ଠୀ ଭିତରେ ପ୍ରବଳ ଯୁକ୍ତିତର୍କ ଆରମ୍ଭ ହୋଇଥିଲା । ପରେ ହଠାତ୍‌ ଆଖିବୁଜା ଗୁଳିଫୁଟା ଆରମ୍ଭ ହୋଇଗଲା ।

ଘଟଣାସ୍ଥଳରେ ଜଣକର ମୃତ୍ୟୁ ହୋଇଥିଲା । ଖବର ପାଇ ପୁଲିସ ସେଠାରେ ପହଂଚି ରକ୍ତ ଜୁଡୁବୁଡ଼ୁ ଚାରିଜଣଙ୍କୁ ଡାକ୍ତରଖାନାକୁ ପଠାଇଥିଲା । ମୃତକଙ୍କ ପରିବାର ଅଭିଯୋଗ କରିଛନ୍ତି, ଉମେଶ ନାମକ ଗୋଟିଏ ଗୁଣ୍ଡା ସଂପୃକ୍ତ ଅଂଚଳକୁ ଥରହର କରୁଛି । ସେ ଗୋଟିଏ ଗୋଡ଼ିଭରା ଟ୍ରକଟିକୁ ରାସ୍ତା ଉପରେ ଠିଆ କରି ମାଲ କାଢ଼ୁଥିଲା ।

ଅନ୍ୟ ଲୋକମାନଙ୍କର ଚଳପ୍ରଚଳରେ ବାଧା ସୃଷ୍ଟି ହୋଇଥିଲା । ଯାନବାହନ ଚଳପ୍ରଚଳକୁ କେନ୍ଦ୍ର କରି କଥା କଟାକଟି, ହାତାହାତି ଓ ଗୁଳିକାଣ୍ଡର ସୂତ୍ରପାତ ହୋଇଥିଲା । ପୁଲିସ ଅଭିଯୋଗ ପାଇ ମାମଲା ରୁଜୁ କରିଛି । ଗତମାସରେ ସରସ୍ୱତୀ ପୂଜା ଭସାଣିକୁ କେନ୍ଦ୍ର କରି ପାଟନା ବିଶ୍ୱବିଦ୍ୟାଳୟର ଜଣେ ଛାତ୍ର ଗୁଳିମାଡ଼ରେ ପ୍ରାଣ ହରାଇଥିଲେ ।