ଲକ୍ଷେ୍ନø: ବିଏସ୍ପି ବିଧାୟକଙ୍କ ହତ୍ୟାକାଣ୍ଡର ପ୍ରମୁଖ ପ୍ରତ୍ୟକ୍ଷଦର୍ଶୀଙ୍କ ଅପହରଣ ଘଟଣାରେ ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ରକ୍ତମୁଖା ହୋଇଛନ୍ତି । ଶନିବାର ଦିନ ବିଧାନସଭା ଅଧିବେଶନରେ ଯୋଗଦାନ କରି ଆଦିତ୍ୟନାଥ ଚଢ଼଼ାଗଳାରେ କହିଛନ୍ତି, ଗୈରିକ ବସନ ଧାରଣ କରିଛି ବୋଲି ମୋତେ ନିରୀହ ଭାବିଛ? ମୋ ଶାସନରେ ହତ୍ୟାକାଣ୍ଡ ଭିଆରି ଲୁଚିଯିବ ବୋଲି ଭାବୁଛ । ଗୋଟିଗୋଟି କରି ସବୁ ମାଫିଆଙ୍କୁ ୟୁପି ମାଟିରେ ମିଶାଇଦେବି ।
୨୦୦୫ରେ ବିଏସ୍ପି ବିଧାୟକ ରାଜୁ ପାଲଙ୍କ ହତ୍ୟାକାଣ୍ଡର ପ୍ରତ୍ୟକ୍ଷଦର୍ଶୀଙ୍କୁ ମାରି ଦିଆଯିବାରୁ ତାକୁ ଅସ୍ତ୍ର କରି ସମାଜବାଦୀ ପାର୍ଟି ବିଧାନସଭାରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଘେରିଥିଲା । ତହୁଁ ପୂର୍ବତନ ସାଂସଦ ଆତିକ୍ ଅହମଦଙ୍କ ଉଦାହରଣ ଦେଇ ଯୋଗୀ ଆଦିତ୍ୟନାଥ କହିଛନ୍ତି ଯେ ତାଙ୍କ ସରକାର ୟୁପିରେ ବସବାସ କରୁଥିବା ମାଫିଆଙ୍କୁ ଶାନ୍ତିରେ ବସିବାକୁ ଦେବ ନାହିଁ । ଯିଏ ଯୋଉଠି ଲୁଚନ୍ତୁ ନା କାହିଁକି, ମୋ ସରକାର ସେମାନଙ୍କୁ ଠାବ କରି ମାଟିରେ ମିଶାଇବ ।
ସୂଚନା ମୁତାବକ ଶୁକ୍ରବାର ସନ୍ଧ୍ୟାରେ ପ୍ରାୟ ଡଜନେ ଲୋକ ଏକାଠି ହୋଇ ଆଇନଜୀବୀ ଉମେଶ ପାଲଙ୍କ ପ୍ରୟାଗରାଜ ବାସଭବନରୁ ଅପହରଣ କରିଛନ୍ତି । ଅପହର୍ତାମାନେ ଗ୍ୟାଙ୍ଗଷ୍ଟର-ରାଜନେତା ଆତିକ ଅହମଦଙ୍କ ଲୋକ ବୋଲି ପ୍ରାଥମିକ ଅନୁସନ୍ଧାନ କରି ପୁଲିସ ଜାଣିପାରିଛି । ବିଏସ୍ପି ବିଧାୟକଙ୍କ ମୃତ୍ୟୁ ଘଟଣାରେ ଆତିକଙ୍କ ସଂପୃକ୍ତି ରହିଛି ବୋଲି କୋର୍ଟରେ ବୟାନ ନଦେବା ପାଇଁ ଉମେଶଙ୍କ ଉପରେ ଚାପ ପକାଯାଉଛି ।
ସପା ନେତା ଅଖିଲେଶ ଯାଦବଙ୍କ ପ୍ରଶ୍ନର ଜବାବରେ ଯୋଗୀ କହିଛନ୍ତି, ଆପଣମାନେ ପ୍ରଥମେ ଗ୍ୟାଙ୍ଗଷ୍ଟର-ଅପରାଧୀଙ୍କୁ ହାତଯୋଡ଼ି ସ୍ୱାଗତ କରୁଛନ୍ତି । ସେମାନଙ୍କୁ ଘରେ ରହିବାକୁ ଅନୁମତି ଦେଉଛନ୍ତି । ସେହିମାନଙ୍କ ହାତରେ ମରିବା ପରେ ଆମକୁ ଦାୟୀ କରୁଛନ୍ତି । ଯୋଗୀଙ୍କ ଜବାବରେ କ୍ଷୋଭ ପ୍ରକାଶ କରି ଅଖିଲ କହିଛନ୍ତି, ଆମ ଭିତରୁ କିଏ ମାଫିଆଙ୍କୁ ଆଶ୍ରୟ ଦେଇଛି କୁହନ୍ତୁ । ବହୁଜନ ସମାଜ ପାର୍ଟି ସହିତ ବିଜେପି ହାତ ମିଳାଇବା ପରଠାରୁ ସେ ଦଳ ନାମ ପାଟିରେ ଧରୁନାହାନ୍ତି ଆପଣ ।