ମୋଦୀଙ୍କ ନିର୍ବାଚନ ସଲାମି: ରନ୍ଧନ ଗ୍ୟାସ ସିଲିଣ୍ଡର ୧୧୨୯ ଟଙ୍କା
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱିତୀୟ ପାଳି ଶେଷ ….
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱିତୀୟ ପାଳି ଶେଷ ବଜେଟ୍କୁ ବହୁତ ସାବାସି ମିଳିଛି । ରାଷ୍ଟ୍ରପତିଙ୍କ ଅନୁମୋଦନ ଲାଭ ପୂର୍ବରୁ ତା’ର ପ୍ରଭାବ ଗରିବ ଖଟିଖିଆ ମା’ଙ୍କ ହାଣ୍ଡିଶାଳରେ ଦେଖିବାକୁ ମିଳିଛି । ଦିନକ ପୂର୍ବରୁ ରନ୍ଧନ ଗ୍ୟାସ୍ ସିଲିଣ୍ଡର ପିଛା ୫୦ ଟଙ୍କା ବୃଦ୍ଧି ପାଇଛି । ଫଳରେ ୧୪ କିଲୋ ୨୦୦ ଗ୍ରାମ ବିଶିଷ୍ଟ ସିଲିଣ୍ଡର ମୂଲ୍ୟ ୧୧୨୯ ଟଙ୍କା ହୋଇଛି ।
ଉଜ୍ଜ୍ୱଳା ଯୋଜନାରେ ଉପକୃତ ପରିବାର ପକ୍ଷେ ସିଲିଣ୍ଡର କିଣିବା କଷ୍ଟକର ବ୍ୟାପାର ହୋଇଛି । ଅତ୍ୟାବଶ୍ୟକ ଦ୍ରବ୍ୟର ଦରଦାମ ବୃଦ୍ଧି ସାଙ୍ଗକୁ ଗ୍ୟାସ୍ ସିଲିଣ୍ଡର ଦରବୃଦ୍ଧି ବୋଝ ଉପରେ ନଳିତା ବିଡ଼ା ହୋଇଛି । ଚଳିତ ବର୍ଷର ପ୍ରଥମ ଦୁଇମାସରେ ରନ୍ଧନ ଗ୍ୟାସ ଦରରେ ୭୫ ଟଙ୍କା ବୃଦ୍ଧି ଘଟିଛି । ଜାନୁଆରୀରେ ୨୫ ଟଙ୍କା ଓ ମାର୍ଚ୍ଚ ପହିଲାରୁ ୫୦ ଟଙ୍କା ବୃଦ୍ଧି କାରଣରୁ ଭୁବନେଶ୍ୱରରେ ୧୪ କିଲୋ ୨୦୦ ଗ୍ରାମ ବିଶିଷ୍ଟ ଗ୍ୟାସ୍ ସିଲିଣ୍ଡର ମୂଲ୍ୟ ୧୧୨୯ ଟଙ୍କା ହୋଇଛି ।
ସେହିପରି ୧୯ କିଲୋ ବିଶିଷ୍ଟ କମର୍ସିଆଲ ଏଲ୍ପିଜି ସିଲିଣ୍ଡର ପିଛା ୨୨୫୨ ଟଙ୍କା ହୋଇଛି । ଲୋକସଭା ନିର୍ବାଚନ ଶେଷ ପର୍ଯ୍ୟନ୍ତ ଏହି ଦର ରହିବା ଆଶଙ୍କା କରାଯାଉଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ରାଜ୍ୟାଭିଷେକ ସମୟରେ ଅର୍ଥାତ୍ ୨୦୧୪ ମାର୍ଚ୍ଚରେ ରନ୍ଧନ ଗ୍ୟାସ ମୂଲ୍ୟ ୪୧୦ ଟଙ୍କା ଥିଲା । ୯ ବର୍ଷର ଶାସନ ଭିତରେ ଗ୍ୟାସ ସିଲିଣ୍ଡର ପିଛା ୭୧୯ ଟଙ୍କା ବୃଦ୍ଧି ପାଇଥିଲେ ମଧ୍ୟ ବିଜେପିର କୌଣସି ନେତା ସେ ସଂପର୍କରେ ସାମାନ୍ୟତମ ପାଟି ଫିଟାଉ ନାହାନ୍ତି । ଏପରିକି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ପାଟିରେ ତୁଣ୍ଡି ପକାଇଛନ୍ତି । ବିଜେଡିର ଅନ୍ୟ ନେତାମାନେ ବିଜେପି ସରକାରଙ୍କ ଗ୍ୟାସ୍ ଦରବୃଦ୍ଧିକୁ ପ୍ରତିବାଦ କରୁଛନ୍ତି; ମାତ୍ର ସେସବୁ ପ୍ରତିବାଦ ମାମୁଲି ହୋଇଛି । ୨୦୨୧ ଜୁନ ସମୟରୁ ଗ୍ୟାସ୍ ଦର କ୍ରମାଗତ ବୃଦ୍ଧି ପାଉଛି । ଗ୍ୟାସ୍ ଦରବୃଦ୍ଧି ସାଙ୍ଗକୁ ସବସିଡି ପରିମାଣ ହ୍ରାସ ପାଉଥିବା କାରଣରୁ ଆଗାମୀ ନିର୍ବାଚନରେ ତା’ର ପ୍ରଭାବ ଦେଖିବାକୁ ମିଳିବ ।
ଲୋକଙ୍କ ମନରେ ଆଉ ମୋଦୀଙ୍କ ପ୍ରତି ସରାଗ ନାହିଁ । ସମସ୍ତଙ୍କ ମୁହଁରେ ଗୋଟିଏ କଥା, ବିଜେପି ଓ କଂଗ୍ରେସ ଗୋଟିଏ ମୁଦ୍ରାର ଦୁଇଟି ପାଶ୍ୱର୍ । ଲୋକଙ୍କୁ ଲୁଟିବାରେ କେହି କାହାକୁ କୌଣସି ଗୁଣରେ କମ୍ ନୁହନ୍ତି ।