ରାମଚନ୍ଦ୍ର ପୌଡେଲ ନେପାଳର ନୂଆ ରାଷ୍ଟ୍ରପତି
ନେପାଳର ତୃତୀୟ ରାଷ୍ଟ୍ରପତି..
କାଠମାଣ୍ଡୁ: ଗୁରୁବାର ନେପାଳୀ କଂଗ୍ରେସ ନେତା ରାମଚନ୍ଦ୍ର ପୌଡେଲ ନେପାଳର ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଛନ୍ତି । ନେପାଳୀ କଂଗ୍ରେସ ଓ ସିପିଏନ୍ (ମାଓବାଦୀ ସେଂଟର) ସମେତ ଆଠଟି ଦଳ ପକ୍ଷରୁ ରାଷ୍ଟ୍ରପତି ପଦବୀ ପାଇଁ ପ୍ରାର୍ଥୀ ହୋଇଥିଲେ ପୌଡେଲ । ନେପାଳ ସଂସଦର ୨୧୪ ସାଂସଦ ଓ ପ୍ରାଦେଶିକ ବିଧାନସଭାର ୩୫୨ ବିଧାୟକଙ୍କ ସମର୍ଥନ ବଳରେ ପୌଡେ଼ଲ ପ୍ରତିପକ୍ଷକୁ ପରାସ୍ତ କରିଛନ୍ତି ।
କୌତୁହଳର ବିଷୟ ହେଉଛି, ପ୍ରଧାନମନ୍ତ୍ରୀ ଦୌଡ଼ରେ ୧୭ ଥର ଯୋଗଦାନ କରି ପୌଡେ଼ଲ ପ୍ରତିଥର ହାର ମାନିଛନ୍ତି । ନେପାଳୀ କଂଗ୍ରେସର ବରିଷ୍ଠ ନେତା ଶେର ବାହାଦୁର ଦେଓବା ଟ୍ୱିଟ୍ କରି ପୌଡେଲଙ୍କୁ ଶୁଭକାମନା କରିଛନ୍ତି । ତାଙ୍କ ବିପକ୍ଷରେ ଲଢୁଥିଲେ ନେପାଳ କମ୍ୟୁନିଷ୍ଟ ପାର୍ଟି ୟୁଏମ୍ଏଲ୍ ନେତା ସୁବାସ ନେମ୍ବାଂଗ । ପୌଡେ଼ଲ ନେପାଳର ତୃତୀୟ ରାଷ୍ଟ୍ରପତି ।
ତୃତୀୟ ଥର ପାଇଁ ନେପାଳରେ ରାଷ୍ଟ୍ରପତି ନିର୍ବାଚନ ଅନୁଷ୍ଠିତ ହୋଇଥିଲା । ପୌଡେଲ ସୋମବାର ଦିନ ରାଷ୍ଟ୍ରପତି ପଦ ଓ ଗୋପନୀୟତାର ଶପଥ ଗ୍ରହଣ କରିବେ । ରାଷ୍ଟ୍ରପତି ନିର୍ବାଚନ ପାଇଁ ମତଦାତାଙ୍କ ସଂଖ୍ୟା ୮୮୨ ଥିଲାବେଳେ ସେମାନଙ୍କ ଭିତରୁ ୩୩୨ ସାଂସଦ । ଅବଶିଷ୍ଟ ୫୫୦ ମତଦାତା ହେଉଛନ୍ତି ସାତୋଟି ରାଜ୍ୟର ବିଧାୟକ । ତୃତୀୟ ରାଷ୍ଟ୍ରପତି ନିର୍ବାଚନରେ ମତଦାନ କରିଥିଲେ ୩୧୩ ସାଂସଦ ଓ ୫୧୮ ବିଧାୟକ । ୨୦୦୮ରେ ନେପାଳରେ ଗଣତନ୍ତ୍ର ଶାସନ ପ୍ରତିଷ୍ଠା ହୋଇଥିଲା ।