ଆମେରିକା ନିକଟରୁ ଭାରତ ଆଣିଲା ନିସାର ଉପଗ୍ରହ

ନିସାର ଉପଗ୍ରହଟି ଉଭୟ ଦିନ ଓ ରାତିରେ କାମ କରିବ..

ନୂଆଦିଲ୍ଲୀ: ପ୍ରାକୃତିକ ବିପଦରୁ ସାରାବିଶ୍ୱକୁ ରକ୍ଷା କରିବା ପାଇଁ ଆଜି (ମାର୍ଚ୍ଚ ୯, ୨୦୨୩) ବେଙ୍ଗାଲୁରୁରେ ପହଂଚିଛି ନିସାର ଉପଗ୍ରହ । ଗତମାସରେ ଯୁକ୍ତରାଷ୍ଟ୍ର ଆମେରିକାର ମହାକାଶ ଗବେଷଣା ସଂସ୍ଥା ‘ନାସା’ ଏହି ଉପଗ୍ରହଟିକୁ ଭାରତର ମହାକାଶ ଗବେଷଣା ସଂସ୍ଥା ‘ଇସ୍ରୋ’କୁ ହସ୍ତାନ୍ତର କରିଥିଲା । ଉଭୟ ‘ନାସା’ ଓ ‘ଇସ୍ରୋ’ ଉପଗ୍ରହଟିକୁ ନିର୍ମାଣ କରିଥିଲେ । ନିସାରକୁ ଗ୍ରହଣ କରିବା ପାଇଁ ‘ଇସ୍ରୋ’ ଅଧ୍ୟକ୍ଷ ଡକ୍ଟର ଏସ୍‌ ସୋମନାଥ ଜେଟ୍‌ ପ୍ରୋପଲଶନ ଲାବକୁ ଯାଇଥିଲେ ।

ନିସାର ଏପରି ଗୋଟିଏ ଉପଗ୍ରହ ଯିଏ ବନ୍ୟା, ଅଗ୍ନି, ଭୂକମ୍ପ, ଭୂସ୍ଖଳନ, ତୋଫାନ, ଘୂର୍ଣ୍ଣିବାତ୍ୟା ଭଳି ପ୍ରାକୃତିକ ବିପଦ ସଂପର୍କୀତ ଆଗୁଆ ସୂଚନା ପ୍ରଦାନ କରିପାରିବ । ଏହି ଉପଗ୍ରହଟିରେ ଆହୁରି କିଛି ଯନ୍ତ୍ରାଂଶ ଖଞ୍ଜାଯିବା ପରେ ୨୦୨୪ରେ ମହାକାଶକୁ ପଠାଯିବ । ଉପଗ୍ରହଟିକୁ ୧୦ ହଜାର କୋଟି ଟଙ୍କାରେ କିଣାଯାଇଛି ।

ଏବେ ଉପଗ୍ରହଟିକୁ ବେଙ୍ଗାଲୁରୁସ୍ଥିତ ୟୁଆର ରାଓ ସାଟେଲାଇଟ୍‌ ସେଂଟରରେ ରଖାଯିବ । ଉକ୍ତ କେନ୍ଦ୍ରର ବୈଷୟିକ ଅଧିକାରୀମାନେ ନିସାର ଉପଗ୍ରହରେ ରାଡାର ଓ ସାଟେଲାଇଟ୍‌ ବସ୍‌ ଖଞ୍ଜିବେ । ନିସାର ଉପଗ୍ରହଟି ଉଭୟ ଦିନ ଓ ରାତିରେ କାମ କରିବ ।