ମା’ ଓ ଭଉଣୀମାନଙ୍କ ଦ୍ୱାରା ମହିଳା ବିରୋଧୀ ବିଜେଡି ସରକାରର ପତନ ହେବା ସୁନିଶ୍ଚିତ

ରାଜ୍ୟ କାର୍ଯ୍ୟାଳୟରେ ଆନ୍ତର୍ଜାତିକ ମହିଳା ଦିବସ..

ବିଜେଡି ସରକାରର ଅପାରଗତା କାରଣରୁ ଓଡିଶାର ମହିଳାଙ୍କ ସ୍ଥିତି ବଡ ଉଦ୍‌ବେଗଜନକ: ସ୍ମୃତି ପଟ୍ଟନାୟକ

ଭୁବନେଶ୍ୱର,(ସାକ୍‌ସୀ ନ୍ୟୁଜ୍‌): ବିଶ୍ୱ ଆଜି ଯାହା କହୁଛି ଯଶ୍ୱସୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୦୧୪ରେ ଶାସନକୁ ଆସିବା ପରେ ତାହାକୁ ଭାରତବର୍ଷ କାର୍ଯ୍ୟରେ ରୂପାନ୍ତରିତ କରିଛନ୍ତି । ଆଜି ‘ଇ-ସିଷ୍ଟମ’ ଏବଂ ‘କ୍ୟାସ୍‌ଲେସ’ ସୁବିଧା କାରଣରୁ ମହିଳାମାନେ ଉପକୃତ ହେଉଛନ୍ତି । ଜିରୋ ବ୍ୟାଲେନ୍ସ ଜନଧନ ବ୍ୟାଂକ ଆକାଉଂଟ କାରଣରୁ ମହିଳାମାନଙ୍କ ଆର୍ଥିକ ସଶକ୍ତୀକରଣ ହୋଇଛି । ୨୦୫୦ ସୁଦ୍ଧା ସମଗ୍ର ଦେଶକୁ ଡିଜିଟାଲାଇଜେସନ କରିବା ପାଇଁ ମୋଦି ସରକାର ପ୍ରତଶୃତିବଦ୍ଧ । ମହିଳାମାନଙ୍କୁ ଆର୍ଥିକ ସଶକ୍ତୀକରଣ କରିବା ପାଇଁ ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କ ଜରିଆରେ ବହୁ ଉଚ୍ଚମାନର ପଦକ୍ଷେପ ମୋଦି ସରକାର ଗ୍ରହଣ କରିଛନ୍ତି । ବର୍ତମାନ ଭାରତବର୍ଷ ବିଶ୍ୱ ନେତୃତ୍ୱ ନେବା ପାଇଁ ଅଗ୍ରସର ହେଉଥିବାବେଳେ ଓଡିଶା ଆଜି ବହୁ ପଛରେ ପଡିଯାଇଛି । ବିଜେଡି ସରକାରର ଅପାରଗତା କାରଣରୁ ଓଡିଶାର ମହିଳାଙ୍କ ସ୍ଥିତି ବଡ ଉଦ୍‌ବେଗଜନକ ବୋଲି ଆନ୍ତର୍ଜାତିକ ମହିଳା ଦିବସରେ ମହିଳାମୋର୍ଚ୍ଚା ରାଜ୍ୟ ସଭାନେତ୍ରୀ ଶ୍ରୀମତୀ ସ୍ମୃତି ପଟ୍ଟନାୟକ କହିଛନ୍ତି ।

ମହିଳାମୋର୍ଚ୍ଚା ସଭାନେତ୍ରୀ ଶ୍ରୀମତୀ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଗତ କାଲି ରାଜ୍ୟ କାର୍ଯ୍ୟାଳୟଠାରେ “ଆନ୍ତର୍ଜାତୀୟ ମହିଳା ଦିବସ” ପାଳିତ ହୋଇଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କେନ୍ଦ୍ରମନ୍ତ୍ରୀ ବିଶେଶ୍ୱର ଟୁଡୁ କହିଛନ୍ତି ଯେ, ଭାରତୀୟ ସଂସ୍କୃତିରେ ମହିଳାମାନଙ୍କୁ ଦିଆଯାଉଥିବା ସମ୍ମାନର ମୂଳ ଆଧାର ହେଲା “ଯେଉଁଠି ମହିଳାଙ୍କୁ ସମ୍ମାନ ମିଳେ, ସେଠାରେ ସ୍ୱୟଂ ଭଗବାନ ବାସ କରନ୍ତି”ା ଆଜିର ସମୟରେ ନାରୀ ପ୍ରତ୍ୟେକଟି କ୍ଷେତ୍ରରେ ନିଜର ସ୍ଥାନକୁ ବଜାୟ ରଖିଛି । ଓଡିଆ ମାଁ ଓ ଭଉଣୀମାନେ ନିଜ ନିଜ ପ୍ରଚେଷ୍ଟା ଏବଂ ଦକ୍ଷତା ବଳରେ ଓଡିଶାକୁ ଦେଶ ତଥା ବିଦେଶରେ ସୁନାମ ଆଣି ଦେଇଛନ୍ତି, ଏହା ଆମ ପାଇଁ ଗୈାରବର ବିଷୟ । ଅନ୍ୟ ପଟେ ରାଜ୍ୟରେ ବିଜେଡି ସରକାର ମହିଳାମାନଙ୍କୁ କେବଳ ଭୋଟ ସର୍ବସ୍ୱ କରି ଦଳୀୟ ରାଜନୀତି କରୁଛନ୍ତି । ଆଗକୁ ୨୦୨୪ ନିର୍ବାଚନରେ ମା’ ଓ ଭଉଣୀମାନଙ୍କ ଦ୍ୱାରା ମହିଳା ବିରୋଧୀ ବିଜେଡି ସରକାରର ପତନ ହେବା ସୁନିଶ୍ଚିତ ବୋଲି ଶ୍ରୀ ଟୁଡୁ କହିଛନ୍ତି ।

ନାରୀ ସ୍ୱତନ୍ତ୍ର ତାକୁ ପୁରୁଷ ସହ ତୁଳନା କରିବାର ଆବଶ୍ୟକତା ନାହିଁ ବୋଲି ଅନ୍ୟତମ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ବିଶିଷ୍ଟ ସାହିତ୍ୟିକା ଡ. ଶକୁନ୍ତଳା ବଳିୟାରସିଂହ କହିଛନ୍ତି । ମହିଳାମାନଙ୍କ ମଧ୍ୟରେ ଆତ୍ମବିଶ୍ୱାସ ରହିଲେ, ସେମାନଙ୍କୁ କେହି ରୋକି ପାରିବେ ନାହିଁ ବୋଲି ମୁଖ୍ୟବକ୍ତା ରୂପେ ଯୋଗ ଦେଇ ଅବସରପ୍ରାପ୍ତ ଅତିରିକ୍ତ ଶିକ୍ଷା ନିର୍ଦ୍ଦେଶିକା ଶ୍ରୀମତୀ ପ୍ରୀତି ପ୍ରତିଭା ଭୋଳ କହିଛନ୍ତି ।

ଏହି ଅବସରରେ ରାଜ୍ୟ ଉପସଭାନେତ୍ରୀ ତଥା ମହିଳା ମୋର୍ଚ୍ଚାର ରାଜ୍ୟ ପ୍ରଭାରୀ ଅନୀତା ଶୁଭଦର୍ଶିନୀ, ରାଜ୍ୟ ଉପସଭାନେତ୍ରୀ ସୁକେଶୀ ଓରାମ, ମହିଳା ମୋର୍ଚ୍ଚା ରାଜ୍ୟ ଉପସଭାନେତ୍ରୀ ନିୟତୀ ଗିରି, ଜୟନ୍ତୀ ପଢ଼ିଆରି, ମନ୍ଦାକିନୀ ପାତ୍ର, ବନ୍ଦନା ଦାସ କାନୁନଗୋ, ରଶ୍ମି ପଟ୍ଟନାୟକ, ମାନସୀ ମଞ୍ଜରୀ ରାୟ, ତୃପ୍ତିମୟୀ ମକଦ୍ଦମ, ଲିପା ଦାସ, ରାଜ୍ୟ ଓ ଜିଲ୍ଲାର ଅନ୍ୟାନ୍ୟ ପଦାଧିକାରୀ ଏବଂ କାର୍ଯ୍ୟକର୍ତା ପ୍ରମୁଖ ଯୋଗ ଦେଇଥିଲେ । ଉକ୍ତ କାର୍ଯ୍ୟକ୍ରମରେ ରାଜ୍ୟ ମହିଳାମୋର୍ଚ୍ଚା ଉପସଭାନେତ୍ରୀ କାନନବାଳା ପଟ୍ଟନାୟକ ମଂଚ ସଂଚାଳନ କରିଥିଲେ ଏବଂ ଅନ୍ୟତମ ଉପସଭାନେତ୍ରୀ କସ୍ତୁରୀ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ ।