ଶଙ୍ଖ ଏବେ କାହାର? ନବୀନଙ୍କର ନା ପ୍ରଭୁ ନାରାୟଣଙ୍କର

ଶଙ୍ଖ ମୋ ଗର୍ବ..

ମହାପ୍ରଭୁ ଜଗନ୍ନାଥ ବଡ଼ ଦୟାଳୁ । ନବୀନବାବୁଙ୍କ ମୁଣ୍ଡ ଉପରୁ ବାପା ବିଜୁ ପଟ୍ଟନାୟକଙ୍କ ହାତ ଚାଲିଯିବା ପରେପରେ ମହାବାହୁ ପଠାଇଦେଲେ ଶଙ୍ଖଟିକୁ । ବାସ୍‌ ସେଇଦିନଠାରୁ ଶଙ୍ଖଟି ଲାଗିଯାଇଛି ଭକ୍ତ ନବୀନ ପଟ୍ଟନାୟକଙ୍କ ସେବାରେ । ବିଜୁ ଜନତା ଦଳର ନିର୍ବାଚନ ଚିହ୍ନ ହେବା ପରଠାରୁ ଆଉ ନାରାୟଣଙ୍କ ହାତକୁ ଫେରିନି । ୟା’ ଭିତରେ ଶଙ୍ଖଟିକୁ ବିଜେଡିର ତୁଙ୍ଗନେତାଙ୍କଠାରୁ ଆରମ୍ଭ କରି ମଳିମୁଣ୍ଡିଆ ନେତାମାନେ ଶଙ୍ଖକୁ ନେଇ ଗର୍ବ କରୁଛନ୍ତି ।

ବିଚାରି ଶଙ୍ଖ ଯେତେଚେଷ୍ଟା କଲେ ମଧ୍ୟ ଆଉ ପ୍ରଭୁ ନାରାୟଣଙ୍କ ସିରସ୍ତାକୁ ଫେରିପାରୁନି । ବହୁତ ମନ କଷ୍ଟ କରୁଛି । ନାରାୟଣଙ୍କ ହାତରେ ଥିଲାବେଳେ ଭକ୍ତଙ୍କ ଦୃଷ୍ଟିରେ କେତେ ମହାନ ଥିଲା; ବିଜେଡିର ନିର୍ବାଚନ ଚିହ୍ନ ହେବା ପରଠାରୁ ବିଜେପି ନେତାମାନେ ନାକ ଟେକିଟେକି ବଜାଉଛନ୍ତି ।

ମନ୍ଦିରରେ ବ୍ରାହ୍ମଣମାନେ ମଧ୍ୟ ନାକ ଟେକିଟେକି ଶଙ୍ଖଟିରେ ପାଣି ଭରି ଠାକୁରଙ୍କୁ ଅର୍ପଣ କରୁଛନ୍ତି । ବିଜେଡିର ମା’ ଭଉଣୀମାନେ ବଡ଼ ଗର୍ବର ସହ ଶଙ୍ଖ ବଜାଉଛନ୍ତି । ମାତ୍ର ବିଜେପିର ମା’ ଭଉଣୀମାନେ ଶଙ୍ଖକୁ ତେରେଚ୍ଛା ଚାହାଣୀରେ ଅନାଉଛନ୍ତି ।
ଏବେ ସୋସିଆଲ ମିଡିଆରେ ଆରମ୍ଭ ହୋଇଛି ‘ମୋ ଗର୍ବ ଶଙ୍ଖ’ ଅଭିଯାନ । ସୋସିଆଲ ମିଡିଆରେ ସକ୍ରିୟ ରହିଥିବା ବିଜେଡି ନେତାମାନେ ଏହି ଅଭିଯାନକୁ ପୂର୍ଣ୍ଣପ୍ରାଣରେ ଆଦରି ନେଇଛନ୍ତି । ଅନ୍ୟ ଦଳର ଲୋକମାନେ ଶଙ୍ଖ ପ୍ରତି ଘୃଣା ମନୋଭାବ ପୋଷଣ କରୁଛନ୍ତି । ଲୋକଙ୍କ ମନରେ ଏଭଳି ପାତର ଅନ୍ତର ନୀତିକୁ ଶଙ୍ଖଟି ଆଦୌ ବରଦାସ୍ତ କରିପାରୁନି । ମହାପ୍ରଭୁ ନାରାୟଣଙ୍କ ଦୃଷ୍ଟିରେ ସମସ୍ତେ ସମାନ । ସମସ୍ତଙ୍କୁ ସମାନ ମର୍ଯ୍ୟାଦା ଦିଆଯାଇଛି; ହେଲେ ଛାର ମଣିଷ ଶଙ୍ଖ ପ୍ରତି ବୈମାତୃକ ମନୋଭାବ ପୋଷଣ କରିବା ଘୋର ପରିତାପର ବିଷୟ ।

ଏକଦା ଘରେଘରେ ଶଙ୍ଖ କାର୍ଯ୍ୟକ୍ରମ ଜରିଆରେ ପ୍ରତି ଘରେ ନବୀନଙ୍କ ବିକାଶମୂଳକ ଯୋଜନା ପହଂଚାଇଥିଲା ବିଜୁ ଜନତା ଦଳ । ଏବେ ଶଙ୍ଖ ମୋ ଗର୍ବ ଅଭିଯାନ ଜରିଆରେ ନିଜ ଦଳର ଗରିମା ଅକ୍ଷୁର୍ଣ୍ଣ ରଖିବା ସହ ବିରୋଧୀଙ୍କ ଅପପ୍ରଚାରକୁ ଜବାବ ଦେବାକୁ ରୋଡମ୍ୟାପ ପ୍ରସ୍ତୁତ କରୁଛି ଦଳ । ବିଜେଡିର ଜଣେ ନେତାଙ୍କ ମତରେ ଏହି ଅଭିଯାନକୁ ସୋସିଆଲ ମିଡିଆରେ ଭରପୁର ସମର୍ଥନ ମିଳୁଛି । ‘ଶଙ୍ଖ ମୋ ଗର୍ବ’ ସ୍ଲୋଗାନ ଭିଡିଓକୁ ଅପଲୋଡ୍‌ କରିବା ପାଇଁ ଦଳର ସାଂସଦ-ବିଧାୟକଙ୍କଠାରୁ ଆରମ୍ଭ କରି ରାଜ୍ୟ, ଜିଲ୍ଲା, ବ୍ଲକସ୍ତରର ନେତାମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।