ପୂର୍ବ ଲଦାଖର ଏଲ୍‌ଏସିରେ ସ୍ଥିତି ବହୁତ ଜଟିଳ; ଭାରତ ଏବଂ ଚୀନର ସୈନିକ ମୁହାଁମୁହିଁ ସ୍ଥିତିରେ

ଦ୍ରୁତଗତିରେ ଭିତ୍ତିଭୂମି ନିର୍ମାଣ କାର୍ଯ୍ୟ ଜାରି ରଖି ସୀମାରେ ବିପୁଳ ସୈନ୍ୟ ମୁତୟନ କରିଛି ଚୀନ୍‌..

ନୂଆଦିଲ୍ଲୀ : ପୂର୍ବ ଲଦାଖରେ ଭାରତ-ଚୀନ୍‌ ମଧ୍ୟରେ ଗତ ତିନି ବର୍ଷ ହେଲା ଲାଗି ରହିଛି ଉତ୍ତେଜନାପୁର୍ଣ ମୁହୂର୍ତ, ଅର୍ଥାତ ଏଠାରେ ଉଭୟ ଦେଶର ସେନା ମୁହାଁମୁହିଁ ସ୍ଥିତିରେ ଅଛନ୍ତି। ଏହା ମଧ୍ୟରେ ଚୀନ୍‌ ବାସ୍ତବ ନିୟନ୍ତ୍ରଣ ରେଖା (ଏଲଏସି)ରେ ଦ୍ରୁତ ଗତିରେ ଭିତ୍ତିଭୂମି ନିର୍ମାଣ କାର୍ଯ୍ୟ ଜାରି ରଖିଛି ବୋଲି ସ୍ଥଳ ସେନାମୁଖ୍ୟ ଜେନେରାଲ ମନୋଜ ପାଣ୍ଡେ କହିଛନ୍ତି। ସୀମାରେ ବେଜିଂ ବିପୁଳ ସୈନିକଙ୍କୁ ମୁତୟନ କରିଛି।

ଏଲ୍‌ଏସିରେ ସ୍ଥିତି ଅତି ଜଟିଳ: ଏସ୍‌ ଜୟଶଙ୍କର
ବୈଦେଶିକ ମନ୍ତ୍ରୀ ଏସ୍‌ ଜୟଶଙ୍କର ଶନିବାର ଏକ ନ୍ୟୁଜ ଚ୍ୟାନେଲର କାର୍ଯ୍ୟକ୍ରମରେ ସାମିଲ ହୋଇ ଚୀନ୍‌, ୟୁକ୍ରେନ-ରୁଷ୍‌ ଯୁଦ୍ଧ ଏବଂ ସିଏଏ ପ୍ରସଙ୍ଗରେ ଭାରତକୁ ବିରୋଧ କରିଥିବା ଆମେରିକା ରାଷ୍ଟ୍ରଦୂତ ମନ୍ତବ୍ୟ ଉପରେ ଖୋଲାଖୋଲି ଭାବେ ଆଲୋଚନା କରିଛନ୍ତି। ଏହା ସହିତ ଚଳିତ ଦଶନ୍ଧି ଶେଷ ସୁଦ୍ଧା ଭାରତ ବିଶ୍ବର ତୃତୀୟ ଶକ୍ତିଶାଳୀ ରାଷ୍ଟ୍ର ହେବ ବୋଲି ସେ କହିଛନ୍ତି।

ଜୟଶଙ୍କର ବର୍ତ୍ତମାନର ଭାରତ-ଚୀନ୍‌ ସମ୍ପର୍କକୁ ଆହ୍ବାନପୂର୍ଣ୍ଣ କହିଛନ୍ତି। ପୂର୍ବ ଲଦାଖର ଏଲ୍‌ଏସିରେ ସ୍ଥିତି ବହୁତ ଜଟିଳ ରହିଛି। କିଛି ଅଞ୍ଚଳରେ ଭାରତ ଏବଂ ଚୀନର ସୈନିକ ମୁହାଁମୁହିଁ ସ୍ଥିତିରେ ଅଛନ୍ତି। ଏହା ସ୍ଥିତିକୁ ଅଧିକ ଜଟିଳ କରିଦେଇଛି। ତେବେ କିଛି କ୍ଷେତ୍ରରେ ସୈନିକ ପଛକୁ ହଟିବା ପ୍ରକ୍ରିୟା ଜାରି ରହିଛି। ଚୁକ୍ତି ଉଲ୍ଳଙ୍ଘନ କରି ସବୁକିଛି ସ୍ବାଭାବିକ ଅଛି ବୋଲି ଦର୍ଶାଇ ହେବ ନାହିଁ। ପୂର୍ବରୁ ହୋଇଥିବା ଚୁକ୍ତିକୁ ଚୀନ୍‌ ଉଲ୍ଲଙ୍ଘନ କରିଛି। ଚୁକ୍ତି ଉଲ୍ଲଙ୍ଘନକୁ ଭାରତ କେବେ ବି କୋଣସିମତେ ବରଦାସ୍ତ କରିବନି ବୋଲି ପୂର୍ବରୁ ସ୍ପଷ୍ଟ କରିଦେଇଛି।

ଦେଖିବାକୁଗଲେ ଚୀନ୍‌ ୨୦୨୦ ଏପ୍ରିଲ-ମେ’ରେ ପୂର୍ବ ଲଦାଖରେ ଅନେକ ଥର ଅନୁପ୍ରବେଶ ଉଦ୍ୟମ କରିଥିଲା। ତେବେ ପିପୁଲ୍ସ ଲିବରେସନ ଆର୍ମୀ (ପିଏଲଏ) ସେଠାରେ ପ୍ରାୟ ୫୦ ହଜାର ସୈନିକ ଏବଂ ଭାରି ଯୁଦ୍ଧାସ୍ତ୍ର ମୁତୟନ କରିଛି। ମାତ୍ର ଭାରତୀୟ ସେନା ମଧ୍ୟ ସତର୍କ ରହିଛି। ପୂର୍ବ ଲଦାଖରୁ ଅରୁଣାଚଳ ପ୍ରଦେଶ ପର୍ଯ୍ୟନ୍ତ ବ୍ୟାପିଥିବା ଏଲଏସିରେ ସମସ୍ତ ତିନୋଟି କ୍ଷେତ୍ର ଉପରେ ତୀକ୍ଷ୍ଣ ନଜର ସହ ସେନା ମଧ୍ୟ ମୁତୟନ କରାଯାଇଛି।

ସେହିପରି ଯେକୌଣସି ସ୍ଥିତିର ମୁକାବିଲା ପାଇଁ ସର୍ବଦା ସେନା ପ୍ରସ୍ତୁତ ହୋଇ ରହିଛି। ନୂଆ ଜ୍ଞାନକୌଶଳ ଏବଂ ଅସ୍ତ୍ରଶସ୍ତ୍ର ସହିତ ସେନାର କ୍ଷମତା ବୃଦ୍ଧି କରିବାର ପ୍ରୟାସ କ୍ରମାଗତ ଭାବେ ଜାରି ରହିଛି ଓ ରହିବ। ବିଶେଷ କରି ରାସ୍ତା, ହେଲିପ୍ୟାଡ ଭଳି ଭିତ୍ତିଭୂମି ବିକାଶ ଦିଗରେ ଅଧିକ ଧ୍ୟାନ ଦିଆଯାଉଛି।

ପୂର୍ବ ଲଦାଖ ବିବାଦର ସମାଧାନ ଲାଗି ଚୀନ୍‌ ସହ କ୍ରମାଗତ ଭାବେ ଆଲୋଚନା ଜାରି ରହିଛି। ଏହା ସମାଧାନ ନ ହେବା ପର୍ଯ୍ୟନ୍ତ ସେନା ମୁତୟନ ଏବଂ ସତର୍କତା ବଜାୟ ରହିବ। କୂଟନୈତିକ ଏବଂ ସେନାସ୍ତରୀୟ ଆଲୋଚନାରେ ପୂର୍ବ ଲଦାଖର ଦେପସାଙ୍ଗ ଅଞ୍ଚଳ ଏବଂ ଡେମଚୋକକୁ ନେଇ ଥିବା ବିବାଦର ସମାଧାନ ହୋଇଯିବ।