ମତ୍ସ୍ୟଗନ୍ଧା ରୁ ମହାଭାରତ

ଭାଗ-୨..ଦେଖ ମତ୍ସ୍ୟଗନ୍ଧା , ମୁଁ ବୁଝି ପାରୁଛି ଜଣେ ଅବିବାହିତା କନ୍ୟା ପକ୍ଷରେ ମାତୃତ୍ୱ ଗୋଟିଏ..

ମତ୍ସ୍ୟଗନ୍ଧାର ଦୁଇ ଆଖି ଆଶ୍ଚର୍ଯ୍ୟରେ ବିସ୍ଫାରିତ ହୋଇଗଲା ! ମୁହୂର୍ତ୍ତକ ପାଇଁ ପ୍ରଗଳଭା କିଶୋରୀଟି ସ୍ତବ୍ଧ ହୋଇ ରହିଗଲା! ସେ ହୁଏତ ତାର ସ୍ବପ୍ନରେ ସୁଦ୍ଧା ଭାବି ନ ଥିଲା ଯେ ତା ଭଳି ଅନୂଢ଼ା କୁମାରୀଟିକୁ କେହି ଏମିତି ଭାବରେ ମାତୃତ୍ୱ ପ୍ରଦାନ କରିବା ଭଳି ଲଜ୍ଜାକର ପ୍ରସ୍ତାବଟିଏ ଏତେ ସହଜରେ ଦେଇ ପାରିବ !

କଣ ଉତ୍ତର ଦେବ ଭାବି ପାରୁ ନ ଥିଲା ସେ I
ଋଷି ତାର ନିରୁତ୍ତର ରହିବା କଥାଟିକୁ ବୁଝି ପାରିଲେ କି କଣ ସେ ନିଜେ ହିଁ କହିବା ଆରମ୍ଭ କରିଦେଲେI “ଦେଖ ମତ୍ସ୍ୟଗନ୍ଧା , ମୁଁ ବୁଝି ପାରୁଛି ଜଣେ ଅବିବାହିତା କନ୍ୟା ପକ୍ଷରେ ମାତୃତ୍ୱ ଗୋଟିଏ ଆଶୀର୍ବାଦ ନ ହୋଇ ଅଭିଶାପ ସହିତ ସମାନ I ସେଥିପାଇଁ ବି ମୁଁ ଚିନ୍ତା କରି ତାର ସମାଧାନ ବାହାର କରିଛି I ଆମ ଦୁହିଁଙ୍କର ମିଳନ ପରେ ତୁମେ ତତକ୍ଷଣାତ ଗର୍ଭବତୀ ହେବ ଓ ସନ୍ତାନଟି ସେହି ମୁହୂର୍ତ୍ତରେ ହିଁ ଜନ୍ମଗ୍ରହଣ କରିବ I ପିଲାଟି ମଧ୍ୟ କ୍ଷଣକ ଭିତରେ ତାର ଯୌବନ ପର୍ଯ୍ୟନ୍ତର ଜୀବନ ଯାତ୍ରା ଶେଷ କରି ଆମ ମାନଙ୍କ ପାଖରୁ ମେଲାଣି ନେବ I ତା’ ପରେ ତୁମେ ତୁମର କୁମାରୀତ୍ବ ଫେରି ପାଇବ ଓ ଘରକୁ ଫେରି ଯାଇ ପାରିବ I ତେବେ ଭବିଷ୍ୟତରେ କେବେ ଯଦି ତୁମେ ତୁମ ପୁଅ ପାଖରୁ କୌଣସି ସାହାଯ୍ୟ ଚାହିଁବ ତା କଥା ମନେ ପକାଇଲେ ସେ ଯେଉଁଠି ଥାଉନା କାହିଁକି ସେହି ମୁହୂର୍ତ୍ତରେ ଆସି ଦେଖା ଦେବ ଓ ତୁମର ଆଦେଶ ପାଳନ କରିବ I”

ମତ୍ସ୍ୟଗନ୍ଧା ଋଷିଙ୍କ କଥା ଶୁଣି କିଛିଟା ଆଶ୍ବସ୍ତ ହେଲା I କିନ୍ତୁ ତା ମନରେ ତଥାପି ସନ୍ଦେହ ରହିଗଲା ଯେ ସ୍ପଷ୍ଟ ଦିବାଲୋକରେ ଏହା କିପରି ସମ୍ଭବ!
ଋଷି ଯେମିତି ତାର ମନର କଥା ବୁଝି ପାରିଲେ କି କଣ ସଙ୍ଗେ ସଙ୍ଗେ ଏହି ସମସ୍ୟା ର ସମାଧାନ ମଧ୍ୟ କରି ଦେଲେ I ଆଖି ପିଛୁଳାକେ ଯମୁନା ନଦୀ ଭିତରେ ଛୋଟ ଦ୍ବୀପଟିଏ ତିଆରି ହୋଇଗଲା ଓ ନୌକାଟି ତା କୂଳରେ ଅଟକିଗଲା I

ମତ୍ସ୍ୟଗନ୍ଧାର ସବୁଯାକ ସର୍ତ୍ତ ପୂରଣ ହୋଇ ଯାଇଥାଏ I ତା ଦେହରୁ କସ୍ତୁରୀର ଭୁରୁ ଭୁରୁ ଗନ୍ଧ ଯୋଜନ ଦୂର ପର୍ଯ୍ୟନ୍ତ ବିଛୁରିତ ହେଉଥାଏ I

ଋଷିଙ୍କ କହିବା ଅନୁସାରେ କୁମାରୀ କନ୍ୟା ଟିର ଗର୍ଭ ସ୍ଥଳଟି ଫୁଲି ଉଠିଲା ଓ ସଙ୍ଗେ ସଙ୍ଗେ ପ୍ରସବ ବେଦନା ଅନୁଭୂତ ହେଲା I ଶିଶୁଟି ଦ୍ବୀପଟି ଭିତରେ ଅମାଵାସ୍ୟାର ଘନକୃଷ୍ଣ ବର୍ଣ୍ଣ ନେଇ ଜନ୍ମ ନେଇଥିବାରୁ ତାର ନାମ କୃଷ୍ଣଦ୍ବୀପାୟନ ରଖା ହେଲା I ଦେଖୁ ଦେଖୁ ପିଲାଟି ଏକ ପୂର୍ଣ୍ଣ ବୟସ୍କ ଯୁବକରେ ପରିଣତ ହେଲା ଓ ପିତାମାତାଙ୍କ ଚରଣ ସ୍ପର୍ଶ କରି ସେମାନଙ୍କ ପାଖରୁ ମେଲାଣି ମାଗିଲା I

ଏଥର ଦ୍ୱୀପ କୂଳରେ ଅପେକ୍ଷମାଣ ନୌକାରେ ବସି ପିତା ମାତା ଓ ସନ୍ତାନ ଯମୁନା ନଦୀର ପରବର୍ତ୍ତୀ ପାର୍ଶ୍ୱ ଦିଗରେ ଗତି କରିବା ପାଇଁ ଉଦ୍ୟତ ହେଲେ ଓ ଚାହୁଁ ଚାହୁଁ ଦ୍ବୀପଟି ଆଖି ଆଗରେ ଉଭେଇଗଲା I
କୂଳରେ ପହଞ୍ଚିବାକ୍ଷଣି ଯୁବ କୃଷ୍ଣଦ୍ବୀପାୟନ ଜନ ସମୁଦ୍ର ଭିତରେ ମିଶି ଗଲା ଓ କେଉଁ ଆଡ଼େ ଗଲା ପିତାମାତା କେହି ଜାଣି ପାରିଲେ ନାହିଁ I
ଏହି କୃଷ୍ଣଦ୍ବୀପାୟନ ହିଁ ଭବିଷ୍ୟତରେ ବେଦବ୍ୟାସ ନାମରେ ଖ୍ୟାତି ଲାଭ କଲେ ଓ ବେଦର ଶ୍ରେଣୀ ବିଭାଗ ଓ ସମ୍ପାଦନ କରିବା ସହିତ ମହାଭାରତର ରଚନାକାର ହିସାବରେ ପ୍ରସିଦ୍ଧି ଲାଭ କରିଥିଲେ I

ଏହି ବେଦବ୍ୟାସଙ୍କ ସନ୍ତାନ ଶୁକ ମୁନି ଦିନେ ମହାରାଜା ପରିକ୍ଷିତଙ୍କୁ ତାଙ୍କର ଶେଷ ସମୟ ରେ ଭାଗବତର ପୁଣ୍ୟ ବାଣୀ ଶୁଣାଇ ମୋକ୍ଷ ପ୍ରାପ୍ତିର ରାସ୍ତା ପରିଷ୍କାର କରିଥିଲେ I

ଯମୁନା କୂଳରେ ନୌକାରୁ ଅବତରଣ କଲା ପରେ ଋଷି ତାଙ୍କ ଆଶ୍ରମକୁ ଓ ସତ୍ୟବତୀ ନିଜର ପିତୃଭବନକୁ ପ୍ରତ୍ୟାବର୍ତ୍ତନ କଲେ I ଦୁହିଁଙ୍କ ଆଚାର ବ୍ୟବହାର ବା ଚାଲିଚଳଣରେ କୌଣସି ପରିବର୍ତ୍ତନ ପରିଦୃଶ୍ୟ ହୋଇ ନ ଥିଲା I

କିନ୍ତୁ କୌଣସି ମାଆ କଣ ତାର ଜନ୍ମିତ ସନ୍ତାନ କୁ କେବେ ଭୁଲି ପାରେ କି ! ସତ୍ୟବତୀଙ୍କ ମନ ଭିତରେ ପୁଅଟି ପାଇଁ ଗୋଟିଏ ରିକ୍ତ ସ୍ଥାନ ଚିର କାଳ ପାଇଁ ଅପୂରଣୀୟ ହୋଇ ରହିଗଲା !

ଏପଟେ ପିତା ଶକ୍ତି ମୁନିଙ୍କୁ ଜୀବନ୍ତ ଭକ୍ଷଣ କରିଥିବା କଳ୍ମଷପଦ ରାକ୍ଷସର କୃତ କର୍ମର ପ୍ରତିଶୋଧ ପାଇଁ ଋଷି ପରାଶର ଶିବଙ୍କ ସମକ୍ଷରେ କଠୋର ତପସ୍ୟା କରି ବର ପ୍ରାପ୍ତ ହେଲେ ଓ ଅସୁର କୁଳ ବିନାଶ ପାଇଁ ଅସୁରମେଧ ଯଜ୍ଞର ଆୟୋଜନ କଲେ I
ଶତ ସହସ୍ର ରାକ୍ଷସ ସେହି ଯଜ୍ଞର ଅନଳ ଭିତରକୁ ଟାଣି ହୋଇ ଆସି ଆତ୍ମଦାହ କଲେ I ସେହି ଗତିରେ ଯଜ୍ଞ ଚାଲିଥିଲେ ଅଳ୍ପ କିଛି ଦିନ ଭିତରେ ସସାଗରଧରା ଅସୁରଶୂନ୍ୟ ହୋଇ ଯାଇଥାନ୍ତା I ମୃତ ରାକ୍ଷସଙ୍କ ପରିଜନ ମାନଙ୍କ ଆର୍ତ୍ତ ଚିତ୍କାର ପରାଶରଙ୍କ ପିତାମହ ମହର୍ଷି ବଶିଷ୍ଠଙ୍କ କର୍ଣ୍ଣଗୋଚର ହେଲା ଓ ସେ ପୌତ୍ର ପରାଶରଙ୍କ ପାଖରେ ପହଞ୍ଚିଲେ I ଏହି ଖବର ପାଇ ପୁତ୍ର ବେଦବ୍ୟାସ ମଧ୍ୟ ପିତାଙ୍କ ପାଖରେ ଆସି ପହଞ୍ଚିଲେ I

ସେ ଦୁହେଁ ଜଣେ ଅସୁରର କୁକର୍ମ ପାଇଁ ସମସ୍ତ ଅସୁରଙ୍କୁ ଦଣ୍ଡିତ କରିବା ଅନୁଚିତ ଏବଂ କ୍ଷମା ଠାରୁ ବଡ଼ ପୁଣ୍ୟ କିଛି ନାହିଁ ବୋଲି ବୁଝାଇବା ପରେ ଯଜ୍ଞ ଅଧାରୁ ବନ୍ଦ ରହିଲା ଓ ରାକ୍ଷସ କୁଳ ସମୂଳେ ଧ୍ବଂସ ପାଇବାରୁ ବଞ୍ଚିଗଲା I
କ୍ରମଶଃ..