ଆମେରିକାରେ ଭାରତର ଦୂତାବାସ ଉପରେ ଖଲିସ୍ଥାନୀ ହମ୍‌ଲା

ଆମେରିକାରେ ବସବାସ କରୁଥିବା ଭାରତୀୟ ପରିବାରଙ୍କ ଦ୍ୱାରା ଗଠିତ….

ୱାଶିଂଟନ: ଆଜି ଆମେରିକାର ସାନ୍‌ ଫ୍ରାନ୍‌ସିସ୍‌କୋରେ ଅବସ୍ଥିତ ଭାରତୀୟ ବାଣିଜ୍ୟ ଦୂତାବାସ ଉପରେ ଖଲିସ୍ଥାନୀ ସମର୍ଥକମାନେ ହମ୍‌ଲା କରିଛନ୍ତି । ଖଲିସ୍ଥାନୀ ନେତା ଅମୃତପାଲ ସିଂଙ୍କ ବିରୋଧରେ ଭାରତ ସରକାରଙ୍କ କଡ଼ା କାର୍ଯ୍ୟାନୁଷ୍ଠାନକୁ ବିରୋଧ କରି ଏଭଳି କାଣ୍ଡ ଘଟିଛି । ଶତାଧିକ ଖଲିସ୍ଥାନୀ ସମର୍ଥକ ଦୂତାବାସ ଭିତରକୁ ଧସେଇ ପଶିଥିଲେ । ସେମାନଙ୍କ ହାତରେ ଖଲିସ୍ଥାନୀ ପତାକା ଥିଲା ।

ପଞ୍ଜାବ ପୁଲିସ ଅମୃତପାଲଙ୍କ ଗିରଫଦାରି ପାଇଁ ଯଥାସାଧ୍ୟ ଉଦ୍ୟମ କରୁଛି । ଅମୃତପାଲଙ୍କର ଶତାଧିକ କର୍ମୀଙ୍କୁ ପୁଲିସ ଗିରଫ କରିଛି । ଅମୃତପାଲଙ୍କର ଘନିଷ୍ଠ କୁହାଯାଉଥିବା ୫ ଜଣଙ୍କ ବିରୋଧରେ ରାଷ୍ଟ୍ରୀୟ ସୁରକ୍ଷା କାନୁନ ପ୍ରଯୋଗ କରାଯାଇଛି । ଆମେରିକାରେ ବସବାସ କରୁଥିବା ଭାରତୀୟ ପରିବାରଙ୍କ ଦ୍ୱାରା ଗଠିତ ଫାଉଣ୍ଡେସନ ଫର୍‌ ଇଣ୍ଡିଆ ଆଣ୍ଡ ଡାୟସ୍ପୋରା ଷ୍ଟଡିଜ ପକ୍ଷରୁ ଘଟଣାକୁ ତୀବ୍ର ନିନ୍ଦା କରାଯାଇଛି ।

ସଂଗଠନ କହିଛି, ଆମେ ଲଣ୍ଡନ ଓ ସାନ୍‌ ଫ୍ରାନ୍‌ସିସ୍କୋରେ ଥିବା ଭାରତୀୟ କାର୍ଯ୍ୟାଳୟର ସୁରକ୍ଷା ବ୍ୟବସ୍ଥା ପ୍ରତି କ୍ଷୋଭ ପ୍ରକାଶ କରୁଛୁ । ଦୁଇଟି ଯାକ ସ୍ଥାନର କାନୁନ ବ୍ୟବସ୍ଥା ସଂପୂର୍ଣ୍ଣ ଫେଲ । ହାତଗଣତି କିଛି କଟ୍ଟରପନ୍ଥୀ ଲୋକ ଭାରତୀୟ କାର୍ଯ୍ୟାଳୟ ଉପରେ ହମ୍‌ଲା କରିବାର ସତ୍‌ସାହସ ଦେଖାଇ ପାରିଲେ । ଦୂତାବାସ ବାହାରେ ଥିବା ବ୍ୟାରିକେଡ୍‌କୁ ଅତିକ୍ରମ କରି କାର୍ଯ୍ୟାଳୟ ଭିତରେ ପଶିବା ଅତ୍ୟନ୍ତ ଦୁଃଖର ବିଷୟ ।