ଖଲିସ୍ତାନୀଙ୍କୁ ମିଳୁଛି ପାକିସ୍ତାନ, ବ୍ରିଟେନ୍‌, ଆମେରିକାରୁ ମୁଠାମୁଠା ଟଙ୍କା

ମାତ୍ର ଭାରତକୁ ଫେରିଲା ତ ମନରେ ଗୋଟିଏ ଅଭିଳାଷ- ରାଜ କରିବ ଖାଲସା…..

ନୂଆଦିଲ୍ଲୀ: ମୁଣ୍ଡ ଟେକିଛି ପଞ୍ଜାବରେ ଖଲିସ୍ତାନୀ ସଂଗଠନ । ପଞ୍ଜାବ ପୁଲିସ ଲାଗିପଡ଼ିଛି ଖଲିସ୍ଥାନୀ ନେତା ଅମୃତପାଲ ସିଂ’କୁ ଧରିବାକୁ । ପୁଲିସ ଆଖିରେ ପୁଟୁଳି ବାନ୍ଧି ଏ ଗଳିରୁ ସେ ଗଳି, ଏ ସହରରୁ ସେ ସହରକୁ, ଏ ଜିଲ୍ଲାରୂୁ ସେ ଜିଲ୍ଲାକୁ ଧାଇଁଛି ଅମୃତପାଲ । ଖାଲି ପଞ୍ଜାବ ପୁଲିସ ନୁହେଁ, କେନ୍ଦ୍ରର କିଛି ଅଭିଜ୍ଞ ସନ୍ଧାନୀ ପୁଲିସ ମଧ୍ୟ ଅମୃତପାଲ ପଛରେ ପଡ଼ିଛନ୍ତି ।

ପଞ୍ଜାବର ବାସ୍ତବ ସ୍ଥିତିକୁ ଅନୁଧ୍ୟାନ କଲେ, ସବୁକିଛି ଯେମିତି ଅଟକି ଯାଇଥିବା ମନେହୁଏ । ସେଠାରେ ଇଂଟରନେଟ୍‌ ସେବା ବନ୍ଦ ହୋଇଛି । ଚାରିଆଡେ଼ ୧୪୪ ଧାରା ଜାରି କରାଯାଇଛି । ପଞ୍ଜାବ ସୀମାକୁ ସିଲ କରି ଦିଆଯାଇଛି । ସବୁ ଫାଟକ ନିକଟରେ ଗଦାଗଦା ପୁଲିସ । ପ୍ରତି ଗାଡ଼ିକୁ ଯାଂଚ କରାଯାଉଛି । ସବୁରି ମୂଳରେ ରହିଛି ଜଣେ ୩୦ ବର୍ଷ ବୟସର ବଳିଷ୍ଠ ଯୁବକ ଅମୃତପାଲ । ମୁଣ୍ଡରେ କେତେବେଳେ ନୀଳ ଅବା ହଳଦିଆ ପଗଡ଼ି ଓ ହାତରେ ତଲୱାର ।

ଦ୍ୱାଦଶ ଣ୍ରେଣୀ ଯାଏ ପଢ଼ିଥିବା ଯୁବକ ଦିନେ ଦୁବାଇରେ ଟ୍ରକ ଚଲାଉଥିଲା । ମାତ୍ର ଭାରତକୁ ଫେରିଲା ତ ମନରେ ଗୋଟିଏ ଅଭିଳାଷ- ରାଜ କରିବ ଖାଲସା । ପାକିସ୍ତାନର ସ୍ୱପ୍ନକୁ ପୂରଣ କରିବା ପାଇଁ ଅମୃତପାଲ ଗୁରୁ ଗୋବିନ୍ଦ ସିଂହଙ୍କ ସ୍ଲୋଗାନକୁ ମୁଖ୍ୟ ଆୟୁଧ କରିଛି । ଭାରତକୁ ପ୍ରତ୍ୟାବର୍ତନ କରିବାର କିଛିଦିନ ଭିତରେ ଯୁବକଜଣକ ‘ୱାରିସ୍‌ ପଞ୍ଜାବ ଦେ’ ସର୍ଦ୍ଦାର ହୋଇଗଲା । ଗତ ଚାରିଦିନ ଧରି ଅମୃତପାଲ ପଞ୍ଜାବ ପୁଲିସ ଓ ଇଂଟେଲିଜେନ୍ସକୁ ଚକ୍‌ମା ଦେଇ ବୁଲୁଛି ।

କାହା ବଳରେ ଅମୃତପାଲ ସିଂ ପଞ୍ଜାବ ଓ ମୋଦୀ ସରକାରଙ୍କ ସହ ଖେଳୁଛି । ଶୁଣିବାକୁ ମିଳୁଛି, ପାକିସ୍ତାନ, ବ୍ରିଟେନ୍‌, ଆମେରିକା ଓ ଅଷ୍ଟ୍ରେଲିଆରେ ବସବାସ କରୁଥିବା ବହୁ ଖଲିସ୍ତାନୀ ସମର୍ଥକମାନେ ଅମୃତପାଲ ସିଂ ସଂଗଠନକୁ ଆର୍ଥିକ ସହାୟତା ଯୋଗାଉଛନ୍ତି । ଗୁପ୍ତଚର ବିଭାଗ ରିପୋର୍ଟ ମୁତାବକ ଅମୃତପାଲ ଓ ପାକିସ୍ତାନରେ ଆତ୍ମଗୋପନ କରିଥିବା ବାବର ଖାଲସା ଇଂଟରନ୍ୟାସନାଲ (ବିଏଆଇ) ପ୍ରମୁଖ ପରମଜିତ ସିଂ ପମ୍ମା ମଧ୍ୟରେ ଗୁପ୍ତ ସଂପର୍କ ରହିଛି ।

କାନାଡ଼ା, ଜର୍ମାନୀ ଓ ଇଂଲଣ୍ଡରେ ବାବର ଖାଲସା ସଂଗଠନ ସକ୍ର୍ରିୟ ରହିଛି । ପାକିସ୍ତାନ ଗୁପ୍ତଚର ସଂସ୍ଥା ଆଇଏସ୍‌ଆଇ ସହିତ ଅମୃତପାଲର ସଂପର୍କ ରହିଛି ବୋଲି ଶୁଣିବାକୁ ମିଳୁଛି । ଏହା ମଧ୍ୟ ଶୁଣିବାକୁ ମିଳୁଛି ଯେ ଆଇଏସ୍‌ଆଇ ଓ ବିଏଆଇ ମିଳିତ ଭାବେ ଅମୃତପାଲକୁ ଭାରତ ପଠାଇଛନ୍ତି । ଦେଖାଯାଉ, ଅମୃତପାଲ କେତେଦିନ ଲୁଚକାଳି ଖେଳୁଛି?