ଲକ୍ଷେ୍ନø: ୨୨ ଫେବୃଆରୀ ୨୦୨୩ । ନୋଏଡାସ୍ଥିତ ଡାକ୍ତର ସିଦ୍ଧାର୍ଥ ଚୌଧୁରୀ ସପରିବାର ପହଂଚିଲେ କାନପୁରସ୍ଥିତ କରୋଲୀ ବାବାଙ୍କ ବିଳାସମୟ ଆଶ୍ରମରେ । ୨୬୦୦ ଟଙ୍କିଆ ଟିକେଟ୍ କାଟି ବାବାଙ୍କୁ ଅପେକ୍ଷା କଲେ । ଅପରାହ୍ଣ ୪ଟାରେ କରୋଲୀ ବାବା ଦରବାରରେ ପ୍ରବେଶ କଲେ । ମାଇକ୍ରୋଫୋନ୍ ଆଗରେ ଠିଆ ହୋଇ ବାବା କହିଲେ, ଓମ୍ ଶିବ ବାଲାନ୍ସ ।
ଭକ୍ତଙ୍କ ଆଡକୁ ଅନାଇ ଡାକ୍ତର ସିଦ୍ଧାର୍ଥଙ୍କୁ ପଚାରିଲେ, କ’ଣ କିଛି ଅନୁଭବ କରିପାରୁଛ? ହାତଯୋଡ଼ି କହିଲେ ଡାକ୍ତର ସିଦ୍ଧାର୍ଥ, ନା ବାବା, କିଛି ଅନୁଭବ କରିପାରୁନି । କରୋଲୀ ବାବା ଟିକେ ଉପରକୁ ଅନାଇଲେ ଓ ମାଇକ୍ ଆଗରେ କହିଲେ, ‘ଓମ୍ ଶିବ ବାଲାନ୍ସ’ । ପୁଣି ଡାକ୍ତର ସିଦ୍ଧାର୍ଥଙ୍କୁ ସମାନ ପ୍ରଶ୍ନ, କ’ଣ କିଛି ଅନୁଭବ କରିପାରୁଛ? ଡାକ୍ତର ସିଦ୍ଧାର୍ଥଙ୍କର ସମାନ ଉତର- ନା ବାବା, କିଛି ଅନୁଭବ କରିପାରୁନି । ଏଥର ବାବା ସେମାନଙ୍କ ସେବାୟତଙ୍କୁ ଅନାଇ କିଛି ଇଶାରା କଲେ । ସେବାୟତମାନେ ଆସିଲେ, ସିଦ୍ଧାର୍ଥଙ୍କୁ ସାଙ୍ଗରେ ଧରି ଗୋଟିଏ କୋଠରୀକୁ ନେଇଗଲେ । କୋଠରୀରେ ଆଗରୁ ପ୍ରସ୍ତୁତ ହୋଇ ରହିଥିଲେ କିଛି ବାହୁବଳି ସେବାୟତ । ଆରମ୍ଭ ହୋଇଗଲା ସିଦ୍ଧାର୍ଥଙ୍କ ଉପରେ ବିଧା, ଗୋଇଠା, ଲାତ, ଧକ୍କା । ନିର୍ଘାତ ମାଡ଼ରେ ତାଙ୍କର ମୁଣ୍ଡ ଫାଟିଗଲା । ନାକଦଣ୍ଡି ଫାଟିଗଲା । ଲହୁଲୁହାଣ ହୋଇ ରୁମ୍ ଭିତରୁ ବାହାରିଲେ ଡାକ୍ତର ସିଦ୍ଧାର୍ଥ । ପରିବାରକୁ ଧରି ଆଗ ଡାକ୍ତରଖାନା ଗଲେ । ସେଠାରୁ ଫୋନ୍ କଲେ ପୁଲିସକୁ ।
ଅଭିଯୋଗ ପାଇ ପୁଲିସ ପହଂଚିଗଲା ଆଶ୍ରମରେ । ୟୁଟୁବ ଚାନେଲରେ ଭକ୍ତଙ୍କୁ ଦର୍ଶନ ଦେଉଥିବା କରୋଲି ବାବା ଅଚାନକ ଟିଭି ପରଦାକୁ ଛାଇଗଲେ । ଦେଖୁଦେଖୁ କରୋଲୀ ବାବା ସାରାଦେଶରେ ଲୋକପ୍ରିୟ ହୋଇଗଲେ । ଅତୀତରେ ବାବାଙ୍କଠାରୁ ମାଡ଼ ଖାଇ ଲହୁଲୁହାଣ ହୋଇଥିବା ଲୋକମାନେ ଏବେ ଥାନାରେ ଲମ୍ବା ଲାଇନ ଲଗାଇଛନ୍ତି । ତଥାପି ପୁରା ଦମରେ ଚାଲିଛି ବାବାଙ୍କ ଦୋକାନ ।
ଉନାବ ଗାଁର ସାଧାରଣ ଗରିବ ପରିବାରରେ ଜନ୍ମିତ ସନ୍ତୋଷ ସିଂ ଭଦୌରିଆ ମାତ୍ର ୧୦ ବର୍ଷ ଭିତରେ ବନିଗଲେ କୋଟିପତି କରୋଲୀ ବାବା । ପେଟ ପୋଷିବା ପାଇଁ ଦିନେ ଅଟୋ ଚଳାଉଥିଲେ ସନ୍ତୋଷ । ଆଜି ୧୮ ଏକର ଜମିରେ ସୁରମ୍ୟ ଆଶ୍ରମ । ଦୈନିକ ଲକ୍ଷାଧିକ ଟଙ୍କା ରୋଜଗାର ।
ସନ୍ତୋଷ ଓରଫ କରୋଲୀ ବାବାଙ୍କ ପିଲାଦିନଟି ବଡ଼ କଷ୍ଟରେ କଟିଛି । ରାତାରାତି ବଡ଼ଲୋକ ହେବାର ନିଶାରେ ସନ୍ତୋଷ ନାନା ଧନ୍ଦାରେ ହାତ ମାରିଛନ୍ତି । କେରଳ ମାଟିରେ ପାଦ ଦେବା ପରଠାରୁ ସନ୍ତୋଷ ବନିଗଲେ କରୋଲୀ ବାବା । ଅନ୍ୟ ବାବାଙ୍କ ଭଳି କରୋଲୀ ବାବାଙ୍କର ‘ଓମ୍ ଶିବ ବାଲାନ୍ସ’ ଅତି ଲୋକପ୍ରିୟ ଡାଇଲଗ । କୁହନ୍ତି, ତାଙ୍କର ଏହି ଗୁରୁଗମ୍ଭୀର ଧ୍ୱନି କାନରେ ପଡ଼ିବା ମାତ୍ରେ ଜଟିଳ ରୋଗରେ ପୀଡ଼ିତ ଲୋକଟିର ମନପ୍ରାଣ ଓ ଶରୀରରେ ଭରିଯାଏ ଅପୂର୍ବ ଶକ୍ତି । ରୋଗୀ ଛାଏଁଛାଏଁ ଭଲ ହୋଇଯାଏ । ମାତ୍ର କେମିତି କେଜାଣି ଡାକ୍ତର ସିଦ୍ଧାର୍ଥଙ୍କ କ୍ଷେତ୍ରରେ ବାବାଙ୍କ ମନ୍ତ୍ର କାମ କଲାନି ।
ବିବାହ କଲେ ଭାଗ୍ୟ ବଦଳିବ ଭାବି ଯୁବ ବୟସରେ କରୋଲୀ ବାବା ଓରଫ ସନ୍ତୋଷ ଜଣେ ସାଧାରଣ ମଧ୍ୟବିତ ପରିବାରର କନ୍ୟାକୁ ବିବାହ କଲେ । ଭାଗ୍ୟଦେବୀ ପ୍ରସନ୍ନ ନ ହେବାରୁ ପତ୍ନୀକୁ ହତଲକ୍ଷ୍ମୀ କହି ଘରୁ ବାହାର କରିଦେଲେ । ଦ୍ୱିତୀୟ ବିବାହ କଲେ । ଦ୍ୱିତୀୟ ପତ୍ନୀଙ୍କ ବାପଘରୁ ଆର୍ôଥକ ସାହାଯ୍ୟ ପାଇ ସନ୍ତୋଷ କିଣିଲେ ଅଟୋଟିଏ । ଅଟୋ ଚଳାଇବା ଭିତରେ ତାଙ୍କର ଦୁଇଟି ପୁଅ ହେଲେ । ରାତାରାତି କୋଟିପତି ହେବା ଚକ୍କରରେ ସନ୍ତୋଷ ଜମିବାଡ଼ି ବିକିବା ଧନ୍ଦାକୁ ଆଦରିଲେ । ଜଣେ ଠିକାଦାରଙ୍କ ହତ୍ୟା ଅଭିଯୋଗରେ ଅଭିଯୁକ୍ତ ହୋଇ କିଛିମାସ ଜେଲରେ ରହିଲେ । ଜେଲରୁ ବାହାରିବା ପରେ ସନ୍ତୋଷ ସିଧା ଚାଲିଗଲେ କେରଳକୁ । କେରଳରୁ ୫ ବର୍ଷ କଟାଇବା ଭିତରେ କିଛି ଆୟୁର୍ବେଦ ଚିକିତ୍ସା ପଦ୍ଧତି ଶିଖି ଫେରିଲେ କାନପୁର । ନିଜ ଘରେ ଆରମ୍ଭ କରିଦେଲେ ବାବାଗିରି । ବେପାର ଭଲ ଜମିଲା । ଭଲ ରୋଜଗାର ହେଲା । ଦୁଇପୁଅଙ୍କ ନାମରେ ଛୋଟ ଜମିଟିଏ କିଣିଲେ । ତିଆରି କଲେ ଆଶ୍ରମ । କରୋଲୀ ସରକାରଙ୍କ ଦରବାର । ଧୀରେଧୀରେ ବାବା ଖେଦିଗଲେ ୟୁଟୁବ ଚାନେଲକୁ । ବାସ୍ ଆଉ ପଛକୁ ଅନାଇ ନାହାନ୍ତି କରୋଲୀ ବାବା । ଡର କାହାକୁ ଭୟ କାହାକୁ ମୁଖ୍ୟମନ୍ତ୍ରୀ ଯୋଗୀ ଚଉବାହାକୁ ।