ଆପଣଙ୍କ କାର ମୂଷାଙ୍କ ଆଡ୍ଡା ପାଲଟିଛି କି? କରନ୍ତୁ ନିରାକରଣ

କିଛି ଗୋଟିଏ ଅସ୍ୱାଭାବିକ ଗନ୍ଧ ନାକରେ ….

ଲମ୍ବା ଡ୍ରାଇଭରେ ଯାଉଛନ୍ତି । କିଛି ଗୋଟିଏ ଅସ୍ୱାଭାବିକ ଗନ୍ଧ ନାକରେ ବାଜିଲା । ଭାବୁଥିବେ, ଇଲେକ୍‌ଟ୍ରୋନିକ୍ସ ଡିଭାଇସ୍‌ କାମ କରୁନି । କିନ୍ତୁ ଅସଲରେ ତା’ ନୁହେଁ । ଆପଣଙ୍କ କାର ପାଲଟି ଯାଇଥିବ ମୂଷାଙ୍କ ଇଲାକା । କାର ୱେୟାରିଂକୁ ନଷ୍ଟ କରି ଦେଇଥିବେ ମୂଷାପଲ । କେମିତି କାମ କରିବ ଡିଭାଇସ୍‌ । ମୂଷାପଲ କାରଣରୁ କାର ଭିତରେ ଦୁର୍ଗନ୍ଧ ଅନୁଭବ କରୁଛନ୍ତି । ଗାଡ଼ି ଚଳାଉଥିବା ଭିତରେ ମୂଷା କାଟୁଥିବାର ଆବାଜ ଶୁଣିବାକୁ ପାଉଛନ୍ତି । କୁଶନ, ଫ୍ଲୋର ମ୍ୟାଟ୍‌କୁ ମୂଷା କାଟି ଦେଇଥିବା ଦୃଷ୍ଟିରେ ପଡ଼ିବ । ମୂଷା ଦାଉରୁ କାରକୁ ରକ୍ଷା କରିବା ଏକ ବିରାଟ ସମସ୍ୟା । ଏଭଳି ସମସ୍ୟା ପ୍ରତି ସାମାନ୍ୟ ଅବହେଳା କରନ୍ତୁ ନାହିଁ । ଚଟାପଟ୍‌ ନିରାକରଣ କରନ୍ତୁ ।

୧. କାର କ୍ୟାବିନକୁ ସର୍ବଦା ସଫା ରଖନ୍ତୁ । କାର ୱାଶ୍‌ ସମୟରେ କ୍ୟାବିନକୁ ସର୍ବାଧିକ ଗୁରୁତ୍ୱ ଦିଅନ୍ତୁ ।
୨. କାରକୁ ମୂଷା ଚଳପ୍ରଚଳ ସ୍ଥାନରେ ଛିଡା କରନ୍ତୁ ନାହିଁ । ବିଶେଷ କରି କାରକୁ ସାମାନ୍ୟ ଅନ୍ଧାରିଆ ନିକାଂଚନ ସ୍ଥାନକୁ ଏଡାଇ ଯାଆନ୍ତୁ । ଡଷ୍ଟବିନ୍‌ ରଖା ଯାଇଥିବା ସ୍ଥାନରେ କାର ଠିଆ କରନ୍ତୁ ନାହିଁ । କାର ପାର୍କିଂ ସ୍ଥାନ ସଫାସୁତରା ରହିବା ଜରୁରୀ ।
୩. କାର ଭିତରେ ଖାଦ୍ୟପାନୀୟ ସେବନ କରନ୍ତୁ ନାହିଁ । ସାମାନ୍ୟ ଖାଦ୍ୟକଣିକା, ବିସ୍କୁଟ ପାଉଁରୁଟି ଟୁକୁଡ଼ା, ଚିପ୍ସ କୁରକୁରି, ମୁଗଫଲି, ଚିନାବାଦାମ, ପନିପରିବା ବାସ୍ନା ମୂଷାପଲକୁ ଆକୃଷ୍ଟ କରିଥାଏ । ତେଣୁ କାର ଭିତରେ ଖାଦ୍ୟପାନୀୟ ସେବନ କରିବା ପରେ ତୁରନ୍ତ ଭଲ କରି ସଫା କରନ୍ତୁ । କାରକୁ ‘ନୋ ଫୁଡ୍‌’ ଜୋନ୍‌ କରିବା ଅତି ଉତମ ।
୪. କାର ଭିତରେ ପିପରମେଂଟ ଅଏଲ୍‌ ବ୍ୟବହାର କରନ୍ତୁ । କିଛି ତୁଳାକୁ ଗୋଲ ଗୋଲ କରି ତା’ ଉପରେ କିଛି ପିପରମେଂଟ ଅଏଲ ପକାଇ କାର ଭିତର ପାଖରେ ଏକାଧିକ ସ୍ଥାନରେ ରଖି ଦିଅନ୍ତୁ । ମୂଷାକୁ ପିପରମେଂଟ ଗନ୍ଧ ଭଲ ଲାଗେନା ।
୫. ତାଲିମପ୍ରାପ୍ତ ମେକାନିକ୍‌ ଜରିଆରେ କାରଟିକୁ ଭଲ ଭାବରେ ସିଲ୍‌ କରିଦିଅନ୍ତୁ ଯେପରି କୌଣସି କୀଟପତଙ୍ଗ କାର ଭିତରକୁ ପ୍ରବେଶ କରି ପାରିବନି ।
୬. ବଜାରରେ ବହୁ ପ୍ରକାରର ଇଲେକ୍‌ଟ୍ରୋନିକ୍ସ ଡିଭାଇସ୍‌ ମିଳୁଛି । ଆପଣ ମୋଶନ-ସେନ୍‌ସିଟିଭ ଡିଭାଇସ୍‌ କିଣନ୍ତୁ ଯୋଉଥିରୁ ବାହାରୁଥିବା ଶବ୍ଦ କେବଳ ମୂଷା ଶୁଣିପାରିବ । ଉକ୍ତ ଶବ୍ଦ ଶୁଣିବା ମାତ୍ରେ ମୂଷା କାର ଭିତରକୁ ପ୍ରବେଶ କରିବନି ।
୭. କାରକୁ ନିୟମିତ ଚଲାନ୍ତୁ । କାର ଭିତରକୁ ନିୟମିତ ଯାଂଚ କରନ୍ତୁ । କୌଣସି ସ୍ଥାନରେ କାରକୁ ଲମ୍ବା ସମୟ ପାଇଁ ଠିଆ କରନ୍ତୁ ନାହିଁ । ଏହା ଫଳରେ କାର ଇଂଜିନ ମୂଷା ଆଡ୍ଡା ପାଲଟି ଯିବାର ନଜିର ରହିଛି ।
୮. ମୂଷାଙ୍କୁ ଅସହ୍ୟ ଓ ଆପଣଙ୍କୁ ମନକୁ କିଣି ପାରୁଥିବା ଦାମୀ କାର ସ୍ପ୍ରେ ବ୍ୟବହାର କରିପାରନ୍ତି ।