ଗଣତନ୍ତ୍ରର ରାଜା ପାଇବେ ଦିନକୁ ୨୩୭ ଟଙ୍କା, ସେବକଙ୍କୁ ମାସିକ ଦେଢ଼ଲକ୍ଷ

ଭୁବନେଶ୍ୱର: ମନରେଗା ହେଉଛି କେନ୍ଦ୍ର ସରକାରଙ୍କର ଏକ ଲୋକପ୍ରିୟ ଯୋଜନା । ଏହି ଯୋଜନା ଅନୁସାରେ ଗରିବ ପରିବାରର ପ୍ରାପ୍ତବୟସ୍କ ସଦସ୍ୟଙ୍କୁ ବର୍ଷକୁ ହାରାହାରି ୧୦୦ ଦିନର କାମ ନିଶ୍ଚିତ ଦେବା ଲାଗି ବ୍ୟବସ୍ଥା କରାଯାଇଛି । ମନରେଗା ଆଇନ ୨୦୦୫ ଧାରା ୬(୧) ଅନୁସାରେ ହିତାଧିକାରୀଙ୍କର ଦୈନିକ ମଜୁରୀ ନିର୍ଦ୍ଧାରଣ କରନ୍ତି କେନ୍ଦ୍ର ସରକାର । ଗରିବ ହିତାଧିକାରୀମାନେ ଦେଶର ଜଣେଜଣେ ଭୋଟର । ଗଣତନ୍ତ୍ରରେ ଭୋଟରମାନେ ହେଉଛନ୍ତି ଜଣେଜଣେ ରାଜା । ଆମେ ଏମିତି ଏକ ଶାସନକୁ ଆଦରି ନେଇଛେ ଯୋଉଠି ରାଜାଙ୍କୁ ଦୈନିକ ମଜୁରୀ ଦିଆଯିବାର ବ୍ୟବସ୍ଥା ରହିଛି । କିନ୍ତୁ ସେବକ ବା ଚାକରଙ୍କୁ ମାସିକ ଦରମା ଦିଆଯିବାର ବ୍ୟବସ୍ଥା ରହିଛି ।

ଏଠି ରାଜାଙ୍କ ବଂଚିବା ଓ ମରିବାକୁ ନିର୍ଦ୍ଧାରଣ କରିବେ ମାସିକ ଏକଲକ୍ଷ ଟଙ୍କାରୁ ଅଧିକ ଦରମା ନେଉଥିବା ଚାକରଗଣ । ଗଣତନ୍ତ୍ରର ଚାକର ଗଣଙ୍କ ଭିତରେ ଅଛନ୍ତି ଆଇଏଏସ୍‌, ଆଇପିଏସ୍‌, ଆଇଏଫ୍‌ଏସ୍‌ ଭଳି ପ୍ରଥମ ଶ୍ରେଣୀର ଚାକର । ଏହି ଚାକରମାନେ ହିଁ ଗଣତନ୍ତ୍ରର ରାଜାଙ୍କର ଦୈନନ୍ଦିନ ଜୀବନଧାରଣ ପଦ୍ଧତିକୁ ନିୟନ୍ତ୍ରଣ କରୁଛନ୍ତି । ଗଣତନ୍ତ୍ରରେ ରାଜପ୍ରତିନିଧିମାନେ ହେଉଛନ୍ତି ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀ, ମନ୍ତ୍ରୀ, ବିଧାୟକ ଓ ସାଂସଦମାନେ । ଦେଶର ୧୩୦ କୋଟି ଜନତାଙ୍କ ରକ୍ତମାଂସ ଅସ୍ଥିକୁ ଝୁଣୁଛନ୍ତି ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀ, ମନ୍ତ୍ରୀ, ବିଧାୟକ, ସାଂସଦ, ଆଇଏଏସ୍‌, ଆଇଏଫ୍‌ଏସ୍‌, ଆଇପିଏସ୍‌, ସମସ୍ତ କେନ୍ଦ୍ର କର୍ମଚାରୀ ଓ ରାଜ୍ୟ କର୍ମଚାରୀ । ଦେଶର ୧୩୦ କୋଟି ଜନତା ନିୟମିତ ଗଧ ଭଳି ଖଟୁଛନ୍ତି ଓ ବିଭିନ୍ନ ଦ୍ରବ୍ୟ କିଣିବା ଜରିଆରେ କୋଟିକୋଟି ଟଙ୍କା ରାଜକୋଷକୁ ପଠାଉଛନ୍ତି । ମାତ୍ର ସେମାନଙ୍କ ଟିକସ ଟଙ୍କାକୁ ଲୁଟୁଛନ୍ତି ପ୍ରାୟ ୫ କୋଟି କର୍ମଚାରୀ ।

ନିକଟରେ କେନ୍ଦ୍ର ସରକାର ବିଭିନ୍ନ ରାଜ୍ୟ ପାଇଁ ମନରେଗା ମଜୁରି ନିର୍ଦ୍ଧାରଣ କରିଛନ୍ତି । ଲୋକପ୍ରିୟ ଯୋଜନାର ଦୈନିକ ମଜୁରୀ ସବୁ ରାଜ୍ୟ ପାଇଁ ସମାନ ନୁହେଁ; ଏ ବିଷୟରେ ଆମ ମୁଖ୍ୟମନ୍ତ୍ରୀ ପାଟି ଫିଟାଉନାହାନ୍ତି କାରଣ କଙ୍କଡ଼ାକୁ ଗୋଳିପାଣି ସୁହାଇଛି । ଏ ବିଷୟରେ ବିଜେପିର କର୍ମୀମାନେ ମଧ୍ୟ ଚୁପ ରହୁଛନ୍ତି । ସବୁ ରାଜ୍ୟରେ ମନରେଗା ମଜୁରୀ ସମାନ ହୋଇପାରିବନି ଏହାକୁ ଯଥାର୍ଥ କରିବା ପାଇଁ କେନ୍ଦ୍ର ସରକାର ଯୋଉ କାରଣ ଦର୍ଶାଇବେ, ତାହା ଧର୍ମକୁ ଆଖିଠାର ଭଳି ।

ସୂଚନା ମୁତାବକ ଓଡ଼ିଶାରେ ମନରେଗା ମଜୁରୀ ଦିନକୁ ୨୩୭ ଟଙ୍କା ଧାର୍ଯ୍ୟ କରାଯାଇଛି । ଝାଡ଼ଖଣ୍ଡରେ ମନରେଗା ମଜୁରୀ ୨୨୮ ଟଙ୍କା, ଛତିଶଗଡ଼ ଓ ମଧ୍ୟପ୍ରଦେଶରେ ମନରେଗା ମଜୁରୀ ୨୨୧ ଟଙ୍କା । ଆନ୍ଧ୍ର ପ୍ରଦେଶରେ ମନରେଗା ମଜୁରୀ ୨୭୨ ଟଙ୍କା, ଅରୁଣାଚଳ ପ୍ରଦେଶରେ ୨୨୪, ଆସାମରେ ୨୩୮ ଟଙ୍କା, ଗୁଜରାଟରେ ୨୫୬, ହରିଆଣାରେ ୩୫୭ ଟଙ୍କା, କର୍ଣ୍ଣାଟକରେ ୩୧୬ ଟଙ୍କା, ପଞ୍ଜାବରେ ୩୦୩ ଟଙ୍କା, ମହାରାଷ୍ଟ୍ରରେ ୨୭୩ ଟଙ୍କା, ରାଜସ୍ଥାନରେ ୨୫୫ ଟଙ୍କା, ୟୁପିରେ ୨୩୦ ଟଙ୍କା ଧାର୍ଯ୍ୟ କରାଯାଇଛି ।