୧୩୦୦ କିମିକୁ ୨୪ ଘଂଟାରେ ଅତିକ୍ରମ କଲା ବାହୁବଳି ଅତିକ

ଲକ୍ଷେ୍ନଉ: ବାହୁବଳି ନେତା ଅତିକ ଅହମଦକୁ ଗୁଜରାଟର ସାବରମତୀ ଜେଲରୁ ବାହାର କରି ୨୪ ଘଂଟାର ସଡ଼କ ଯାତ୍ରା ପରେ ପ୍ରୟାଗରାଜରେ ନୈନୀ ଜେଲରେ ପହଂଚିଛି ପୁଲିସ । ରବିବାର ସନ୍ଧ୍ୟା ପ୍ରାୟ ୫ଟା ୪୦ ମିନିଟରେ ସାବରମତୀ ଜେଲରୁ ଅତିକକୁ ଧରି ନୈନୀ ଅଭିମୁଖେ ବାହାରିଥିଲା ପୁଲିସ । ଦୀର୍ଘ ୧୩୦୦ କିଲୋମିଟର ଯାତ୍ରା କରିବା ପରେ ସୋମବାର ପ୍ରାୟ ସାଢେ଼ ଚାରିଟାରେ ପ୍ରୟାଗରାଜ ସୀମାରେ ପ୍ରବେଶ କରିଥିଲା । ଦିନ ସାଢେ଼ ୫ଟାରେ ନୈନୀ ଜେଲରେ ପହଂଚିଛି ଅତିକ ।

୬ଟି ଗାଡ଼ିର ପଟୁଆର ଜରିଆରେ ଅତିକକୁ ୟୁପିର ପ୍ରୟାଗରାଜକୁ ଅଣାଯାଇଛି । ବଛାବଛା ପୁଲିସ ଅଧିକାରୀଙ୍କ ସମେତ ୪୫ ଜଣିଆ ଟିମ ତାକୁ କଡ଼ା ସୁରକ୍ଷା ଭିତରେ ଆଣିଛି । ଅତିକକୁ ମଙ୍ଗଳବାର ଦିନ କୋର୍ଟରେ ହାଜର କରାଯିବ । ଉମେଶ ପାଲଙ୍କୁ ଅପହରଣ ମାମଲାରେ ଅତିକକୁ ମୁଖ୍ୟ ଅଭିଯୁକ୍ତ କରାଯାଇଛି । ମାର୍ଚ୍ଚ ୨୮ ତାରିଖରେ କୋର୍ଟ ବିଚାର କରିବ । ଅତିକର ଭାଇ ଅସରଫକୁ ମଧ୍ୟ କୋର୍ଟରେ ହାଜର କରାଯିବ । ପୁଲିସ ଅସରଫକୁ ବରେଲୀ ଜେଲରୁ ପ୍ରୟାଗରାଜକୁ ଆଣୁଛି ।