ପ୍ରଧାନମନ୍ତ୍ରୀ ମୋଦୀଙ୍କ ତେଲ ରାଜନୀତି: ୧୨୦ କୋଟି ଜନତା କଲବଲ

ଆର୍ଥିକ ବାସନ୍ଦ ସମ୍ମୁଖୀନ ହେବା ପରେ ରୁଷିଆର ଆର୍ଥିକ ସ୍ଥିତି ଦୟନୀୟ ହୋଇପଡ଼ିଛି…

ନୂଆଦିଲ୍ଲୀ: ସାଧାରଣ ଜନତା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଛଳନାକୁ ସହଜରେ ବୁଝି ପାରୁନାହାନ୍ତି । ବିଜେପି କର୍ମୀମାନେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଅମଳକୁ ସ୍ୱାଧୀନ ଭାରତର ସୁବର୍ଣ୍ଣ ଯୁଗ ଭାବେ ପ୍ରଚାର କରୁଛନ୍ତି । କିନ୍ତୁ ସୁବର୍ଣ୍ଣ ଯୁଗରେ ରନ୍ଧନ ଗ୍ୟାସ ଦର ସିଲିଣ୍ଡର ପିଛା ୧୧୦୦ ଟଙ୍କାରେ ମିଳିବା ଟିକେ ଅଡୁଆ ଲାଗୁଛି । ଭୁବନେଶ୍ୱରରେ ପେଟ୍ରୋଲ ଲିଟର ପିଛା ୧୦୪ ଟଙ୍କାରେ ମିଳିବା ହଜମ ହେଉନି ।

ୟୁକ୍ରେନ ଉପରେ ରୁଷିଆର ହମ୍‌ଲାକୁ କଡ଼ା ବିରୋଧ କରି ଯୁକ୍ତରାଷ୍ଟ୍ର ଆମେରିକା ସମେତ ବହୁ ପଶ୍ଚିମ ଦେଶ ମିଳିତ ଭାବେ ରୁଷିଆ ସହିତ ବ୍ୟବସାୟ ବାରଣ କରିଛନ୍ତି । ମାତ୍ର ଭାରତ ଚତୁରତାର ସହିତ ଆମେରିକାର କଟକଣାକୁ ଅଣଦେଖା କରି ରୁଷିଆଠାରୁ ଅଶୋଧିତ ପେଟ୍ରୋଲିୟମ କିଣୁଛି । ଆର୍ଥିକ ବାସନ୍ଦ ସମ୍ମୁଖୀନ ହେବା ପରେ ରୁଷିଆର ଆର୍ଥିକ ସ୍ଥିତି ଦୟନୀୟ ହୋଇପଡ଼ିଛି ।

ତା’ର ସୁଯୋଗ ନେଇ ପ୍ରଧାନମନ୍ତ୍ରୀ ମୋଦୀ ରୁଷିଆଠାରୁ ମାମୁଲି ଦରରେ ଅଶୋଧିତ ପେଟ୍ରୋଲିୟମ କିଣୁଛନ୍ତି; ମାତ୍ର ତାକୁ ଚଢ଼ାଦରରେ ଭାରତର ୧୨୦ କୋଟି ଜନତାଙ୍କୁ ବିକୁଛନ୍ତି । ରୁଷିଆର ଉପ-ପ୍ରଧାନମନ୍ତ୍ରୀ ଆଲେକଜାଣ୍ଡାର ନୋବାକ କହିଛନ୍ତି ଯେ ଭାରତ ରୁଷିଆଠାରୁ ପୂର୍ବାପେକ୍ଷା ୨୨ ଗୁଣ ଅଧିକ ପେଟ୍ରୋଲିୟମ କିଣିଛନ୍ତି । ଅବଶ୍ୟ ଭାରତ କେତେ ପରିମାଣର ଅଶୋଧିତ ତୈଳ କିଣିଛି, ତାହା ସାର୍ବଜନୀନ କରିନାହାନ୍ତି ।

ୟୁକ୍ରେନ ଉପରେ ରୁଷିଆର ହମ୍‌ଲା ପରେ ୟୁରୋପୀୟ ୟୁନିଅନ୍‌ ରୁଷିଆ ନିକଟରୁ ତେଲ କିଣିବାକୁ ମନା କରିଦେଲା । ଅନ୍ୟ ଉପାୟ ନପାଇ ରୁଷିଆ ତା’ର ସବୁ ପେଟ୍ରୋଲିୟମକୁ ଚୀନ ଓ ଭାରତକୁ ପଠାଇଦେଲା । ୨୦୨୨ ଡିସେମ୍ବରରେ ୟୁରୋପୀୟ ୟୁନିଅନ୍‌ ରୁଷିଆର ପେଟ୍ରୋଲିୟମର ଦର ନିର୍ଦ୍ଧାରଣ କଲା । ଉକ୍ତ ଦରକୁ ଜି-୭ ଦେଶ ସମର୍ଥନ କଲା । ତା’ ସତ୍ୱେ ଚୀନ ଓ ଭାରତ ରୁଷିଆ ନିକଟରୁ ପ୍ରଚୁର ପରିମାଣର ତେଲ କିଣୁଛନ୍ତି ।

ରୁଷିଆଠାରୁ ମାମୁଲି ଦରରେ ପେଟ୍ରୋଲିୟମ କିଣିବା ପରେ ମୋଦୀ ସରକାର ଦେଶବାସୀଙ୍କୁ ଭୁଆଁ ବୁଲାଇ କହୁଛନ୍ତି, ରୁଷିଆ-ୟୁକ୍ରେନ ଯୁଦ୍ଧ କାରଣରୁ ବିଦେଶରୁ ଅଧିକ ଟଙ୍କାରେ ପେଟ୍ରୋଲିୟମ କିଣିବାକୁ ପଡୁଛି । ତେଣୁ ରନ୍ଧନ ଗ୍ୟାସ, ପେଟ୍ରୋଲ, ଡିଜେଲ ଦର ବୃଦ୍ଧି ପାଉଛି । ସବୁଠାରୁ ବଡ଼ ଛଳନା ହେଉଛି, ପେଟ୍ରୋଲ, ଡିଜେଲ, ରନ୍ଧନ ଗ୍ୟାସ ଦର ନିର୍ଦ୍ଧାରଣ ଆଉ କେନ୍ଦ୍ର ସରକାରଙ୍କ ହାତରେ ନାହିଁ ।

କିନ୍ତୁ ନିର୍ବାଚନ ସମୟରେ ପେଟ୍ରୋଲ, ଡିଜେଲ, ରନ୍ଧନ ଗ୍ୟାସ ଦର ବୃଦ୍ଧି ନପାଇବାର କାରଣ କ’ଣ? କୋଉ ଦିନଠାରୁ ମୁକେଶ ଅମ୍ବାନୀ, ଇଣ୍ଡେନ ଗ୍ୟାସ୍‌, ହିନ୍ଦୁସ୍ଥାନ ପେଟ୍ରୋଲିୟମ ଓ ଭାରତ ଗ୍ୟାସ ଭାରତୀୟ ରାଜନୀତିରେ ଭାଗ ନେଲେଣି; ତା’ର ଜବାବ ପ୍ରଧାନମନ୍ତ୍ରୀ ମୋଦୀ ଦେବେ କି?