ରାମମନ୍ଦିରରେ ଯଜ୍ଞ ବେଳେ ଭୁଶୁଡ଼ିଲା ଛାତ, ୧୩ ମୃତ

ମୃତ୍ୟୁସଂଖ୍ୟା ଆହୁରି ବଢ଼ିବାର ସମ୍ଭାବନା ରହିଛି….

ଇନ୍ଦୋର: ଇନ୍ଦୋରସ୍ଥିତ ବେଲେଶ୍ୱର ମହାଦେବ ଝୁଲେଲାଲ ମନ୍ଦିରରେ ଦୁର୍ଘଟଣା ଘଟିଛି । ରାମନବମୀ ଭଳି ପବିତ୍ର ଦିନରେ ଯଜ୍ଞ ଚାଲିଥିବା ସମୟରେ ଏକ ପୁରୁଣା କୂଅ ଉପରେ ଥିବା ନିର୍ମାଣାଧୀନ ଛାତ ଭୁଶୁଡ଼ି ପଡ଼ିବାରୁ ଲୋକମାନେ ୪୦ ଫୁଟ ତଳକୁ ଖସିପଡ଼ିଲେ । ଅଧିକାଂଶ ଲୋକ କୂଅ ଭିତରକୁ ଖସିପଡ଼ି ମରିଛନ୍ତି । ଅଗ୍ନିଶମ ବାହିନୀ ଓ ପୁଲିସ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜୋରଦାର ଚାଲିଛି ।

ସୂଚନା ମୁତାବକ ଏ ଯାଏ ୧୩ ଜଣଙ୍କର ମୃତଦେହ ଉଦ୍ଧାର କରାଗଲାଣି । ମୃତ୍ୟୁସଂଖ୍ୟା ଆହୁରି ବଢ଼ିବାର ସମ୍ଭାବନା ରହିଛି । ୧୯ ଜଣଙ୍କୁ ଖଣ୍ଡିଆ ଖାବରା ଅବସ୍ଥାରେ ଉଦ୍ଧାର କରାଯାଇଛି ।

ଭୁଶୁଡ଼ି ଯାଇଥିବା ନିର୍ମାଣାଧୀନ ଛାତ ତଳପାଖରେ ରହିଥିବା କାଠବହ୍ଲା, ବାଉଁଶ ଭିତରେ ବହୁତ ଲୋକ ପେଶି ହେଉଛନ୍ତି । ନଗର ନିଗମ ପକ୍ଷରୁ ତିନୋଟି ପମ୍ପ ଲଗାଯାଇ କୂଅରୁ ପାଣି କଢ଼ାଯାଉଛି । କୂଅକୁ ଶୁଖାଇବା ପରେ ବାସ୍ତବିକ ଚିତ୍ର ସାମ୍ନାକୁ ଆସିବ ।