ନୂଆଦିଲ୍ଲୀ: ରାମନବମୀ ପାଳନ ଅବସରରେ ଦେଶର ବିଭିନ୍ନ ଅଂଚଳରେ ଛୋଟବଡ଼ ହିଂସା ଘଟିଯାଇଛି । ଗୁଜରାଟର ବଡେ଼ାଧାରାରେ ରାମନବମୀ ଅବସରରେ ଅନୁଷ୍ଠିତ ଶୋଭାଯାତ୍ରାରେ ଯୋଗଦାନ କରିଥିବା ଲୋକଙ୍କ ଉପରକୁ ପଥରମାଡ଼ କରାଯାଇଛି । ପଶ୍ଚିମବଙ୍ଗର ହାୱଡାରେ ବହୁ ଶୋଭାଯାତ୍ରାକାରୀ ଆକ୍ରମଣର ଶିକାର ହୋଇଛନ୍ତି । ଉତ୍ୟକ୍ତ ଲୋକମାନେ ବହୁ ଗାଡ଼ିରେ ନିଆଁ ଲଗାଇ ଦେଇଛନ୍ତି ।
ସୂଚନା ମୁତାବକ ବଡେ଼ାଧାରାର ଫତେପୁରା ଇଲାକାରେ ସକାଳେ ବାହାରିଥିବା ଶୋଭାଯାତ୍ରା ଉପରକୁ ଅଜଣା ଲୋକମାନେ ପଥରମାଡ଼ କରିଛନ୍ତି । ସନ୍ଧ୍ୟା ସମୟରେ ସେହି ଇଲାକାରେ ପୁଣି ଥରେ ଶୋଭାଯାତ୍ରା ବାହାରିଥିଲା । ତା’ ଉପରକୁ ମଧ୍ୟ ପଥରମାଡ଼ କରାଯାଇଛି ।
ପଥରମାଡ଼ କରାଯାଇଥିବାର ଭିଡିଓ ଫୁଟେଜ ସୋସିଆଲ ମିଡିଆରେ ଛଡ଼ାଯାଇଛି । ଗୁଜରାଟ ଗୃହମନ୍ତ୍ରୀ ପଥରମାଡ଼ରେ ସାମିଲ ଲୋକଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି । ସେହିପରି ହାୱଡାର ଶିବପୁରୀରେ ଅନୁଷ୍ଠିତ ରାମନବମୀ ଶୋଭାଯାତ୍ରାରେ ବ୍ୟାପକ ହିଂସାକାଣ୍ଡ ଘଟିଛି । ହିଂସାକାଣ୍ଡ ଘଟିବାର କାରଣ ସାମ୍ନାକୁ ଆସିନି । ସୋସିଆଲ ମିଡିଆରେ ପ୍ରସାରିତ ଭିଡିଓରେ ବହୁ ଯାନବାହନ ଜଳୁଥିବାର ଦେଖିବାକୁ ମିଳିଛି ।