୬ ତାରିଖରେ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ,୪୮ ଘଣ୍ଟାରେ ନେବ ଲଘୁଚାପର ରୂପ

ଭୁବନେଶ୍ୱର: ଆସନ୍ତା ୬ ତାରିଖରେ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାକୁ ଯାଉଛି । ଏନେଇ ପାଣିପାଗ ବିଭାଗ ସୂଚନା ଦେଇଛି । ୪୮ ଘଣ୍ଟା ଭିତରେ ଏହା ଲଘୁଚାପର ରୂପ ନେଇ ଘନୀଭୂତ ହେବା ସହ ବାତ୍ୟାର ରୂପ ନେବା ସମ୍ଭାବନା ରହିଛି । ଏପରିକି ଏହା ଅବପାତର ରୂପ ନେଲେ ମଧ୍ୟ ଏହାର ପ୍ରଭାବ ଓଡ଼ିଶା ଉପରେ ପଡ଼ିବ କି ନାହିଁ ସେ ନେଇ କିଛି ନିର୍ଦ୍ଦିଷ୍ଟ ସୂଚନା ମିଳିପାରି ନାହିଁ । ବିଦେଶୀ ପାଣିପାଗ ସଂସ୍ଥା ସ୍କାଏମେଟ୍ କହିଛି ଯେ ୧୧ ତାରିଖ ବେଳକୁ ଏହି ଲଘୁଚାପ କ୍ଷେତ୍ର ଅଧିକ ସକ୍ରିୟ ହେବାର ସମ୍ଭାବନା ରହିଛି ।

ତେବେ ଏହାର ଗତିପଥ କୁଆଡ଼କୁ ରହିବ ତାହା ଲଘୁଚାପ କ୍ଷେତ୍ର ସୃଷ୍ଟି ପରେ ସ୍ପଷ୍ଟ ହେବ । ଅନ୍ୟପକ୍ଷରେ କାଳବୈଶାଖୀ ନେଇ ୪ଟି ଜିଲ୍ଲାକୁ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି । ଏହି ଜିଲ୍ଲାଗୁଡ଼ିକ ହେଲା ମାଲକାନଗିରି, କୋରାପୁଟ, ରାୟଗଡ଼ା ଓ ଗଜପତି । ଏହିସବୁ ଜିଲ୍ଲାରେ ଝଡ଼ ପବନ ସହ ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି । ଏପରିକି ୩୦ରୁ ୪୦ କି.ମି ବେଗରେ ପବନ ବୋହିବା ନେଇ ମଧ୍ୟ ଆକଳନ କରାଯାଇଛି ।