‘ଆଦିପୁରୁଷ’ ନିଆଁରୁ ୩୪୦ କୋଟି ରୋଜଗାର

ଲୋକଙ୍କ ମାନସିକତାକୁ ଠଉରାଇବା କଷ୍ଟକର । ନିକଟରେ ମୁକ୍ତିଲାଭ କରିଥିବା ଚଳଚ୍ଚିତ୍ର ‘ଆଦିପୁରୁଷ’ ଓ ବାଲ୍ମିକିଙ୍କ ରାମାୟଣ ଭିତରେ ଆକାଶ ପାତାଳ ଫରକ । ତଥାପି ଆଦିପୁରୁଷ’ର କୋଉ ଡାଇଲଗ ବାସ୍ତବ ରାମାୟଣକୁ ଅପମାନିତ କରୁଛି, ତାହା ଜାଣିବା ପାଇଁ ଦର୍ଶକମାନେ ଚଳଚ୍ଚିତ୍ରଟିକୁ ଦେଖିବାକୁ ସିନେମା ଘର ଆଗରେ ଭିଡ଼ ଜମାଇଛନ୍ତି । ତା’ ମାନେ ଯେକୌଣସି ଚଳଚ୍ଚିତ୍ରର ବ୍ୟବସାୟିକ ସଫଳତା ପାଇଁ ତାକୁ ବିବାଦୀୟ ମୋଡ଼ରେ ନିର୍ମାଣ କରାଯିବା ଜରୁରୀ । ଶାହରୁଖ ଓ ଦୀପିକାଙ୍କ ଅଭିନୀତ ଏକ ଚଳଚ୍ଚିତ୍ରରେ ଗେରୁଆ ରଙ୍ଗକୁ ବିବାଦୀୟ ଢଙ୍ଗରେ ପ୍ରଦର୍ଶନ କରାଯାଇ ଥିବାରୁ ତାହା ଭଲ ବ୍ୟବସାୟ କରିଥିଲା ।

ପ୍ରଭାସ ଓ କୃତି ସାନୋନଙ୍କ ଅଭିନୀତ ଚଳଚ୍ଚିତ୍ର ‘ଆଦିପୁରୁଷ’କୁ କେନ୍ଦ୍ର କରି ନାନା ବିବାଦ ମୁଣ୍ଡ ଟେକିଛି । ଅନ୍ୟ ପକ୍ଷରେ ଚଳଚ୍ଚିତ୍ରଟି ବକ୍ସ ଅଫିସରେ ନୂଆ ନୂଆ ରେକର୍ଡ ସୃଷ୍ଟି କରୁଛି । ପ୍ରଥମ ଦିନ ଚଳଚ୍ଚିତ୍ରଟି ବିଶ୍ୱ ଦରବାରରୁ ୧୪୦ କୋଟି ରୋଜଗାର କରିଥିଲା ବେଳେ ଦ୍ୱିତୀୟ ଦିନ ୧୦୦ କୋଟି ରୋଜଗାର କରିଛି । ତୃତୀୟ ଦିନ ମଧ୍ୟ ୧୦୦ କୋଟି ଟଙ୍କା ଆୟ କରି ସାରିଲାଣି । ପହିଲି ସପ୍ତାହର ମାତ୍ର ତିନିଟି ଦିନରେ ୩୪୦ କୋଟିରୁ ଅଧିକ ଆୟ କରି ଚଳଚ୍ଚିତ୍ରଟି ଅନନ୍ୟ ଇତିହାସର ଅଧିକାରୀ ହୋଇପାରିଛି ।

ବିବାଦର ସମ୍ମୁଖୀନ ହୋଇ ଚଳଚ୍ଚିତ୍ରର ସଂଳାପ ଲେଖକ ମନୋଜ ମୁଂତଶିର ପୁଲିସକୁ ଭେଟି ସୁରକ୍ଷା କାମନା କରିଛନ୍ତି । ପୁଲିସ ତାଙ୍କୁ ସୁରକ୍ଷା ପ୍ରଦାନ କରିବାରୁ ରାଜି ହୋଇଛନ୍ତି । ଶାହରୁଖଙ୍କ ଅଭିନୀତ ‘ପଠାନ’ ପହିଲି ସପ୍ତାହରେ ୩୫୧ କୋଟି ବେପାର କରିଥିଲା ବେଳେ ‘ଆଦିପୁରୁଷ’ ତା’ଠାରୁ ୧୧ କୋଟି ଟଙ୍କା ପଛରେ ରହିଛି ।

ଦେଶର ବହୁ ସହରରେ ଆଦିପୁରୁଷ ନିଆଁ ଲାଗିଛି । ଚଳଚ୍ଚିତ୍ର ରାଜଧାନୀ ମୁମ୍ବାଇର ନାଲାସୋପାରାରେ ହିନ୍ଦୁ ସଂଗଠନର କର୍ମୀମାନେ ରବିବାର ସନ୍ଧ୍ୟାରେ ଚଳଚ୍ଚିତ୍ର ପ୍ରଦର୍ଶନକୁ ଅଟକାଇ ଦେଇଛନ୍ତି । ସିନେମା ହଲ ସାମ୍ନାରେ ପହଂଚି ବୟାନବାଜି କରିବା ସହିତ ଦର୍ଶକଙ୍କୁ ହଲରୁ ବାହାରିଯିବା ପାଇଁ ଆହ୍ୱାନ କଲେ । ଫଳରେ ହଲ ପକ୍ଷରୁ ଚଳଚ୍ଚିତ୍ର ପ୍ରଦର୍ଶନ ବାତିଲ କରି ଦିଆଗଲା ।

ଛତିଶଗଡ଼ର ବିଳାସପୁରରେ ରବିବାର ସନ୍ଧ୍ୟାରେ ହିନ୍ଦୁ ସଂଗଠନ ଏକ ଶୋଭାଯାତ୍ରାର ଆୟୋଜନ କରିଥିଲା । ଲୋକମାନେ ନାରାବାଜି କରି ମ୍ୟାଗନେଟ୍‌ ମଲ ଭିତରେ ପଶିଲେ । ପୁଲିସର ବ୍ୟାରିକେଡ୍‌କୁ ଭାଙ୍ଗିଦେଲେ । ହଲ ସାମ୍ନାରେ ବସି ହନୁମାନ ଚାଳିଶା ପାଠ କଲେ । ପୁଲିସ ଶୋଭାଯାତ୍ରାକାରୀଙ୍କୁ ଗିରଫ କରି ହଟାଇଥିଲା ।

ସେହିଭଳି ଲକ୍ଷେ୍ନରେ ହଜରତଗଂଜ କଲୋନୀରେ ଭାରତୀୟ କିସାନ ୟୁନିୟନ ପକ୍ଷରୁ ଆଦିପୁରୁଷ ନିର୍ଦ୍ଦେଶକ ଓମ୍‌ ରାଉତ ଓ ଲେଖକ ମନୋଜ ମୁଂତଶିରଙ୍କ ପିତୁଳା ଜଳାଇ ଦିଆଗଲା । ୟୁନିୟନ କହିଛି, କେବଳ ଚଳଚ୍ଚିତ୍ରର ସଂଳାପ ବଦଳାଇଦେଲେ ଚଳିବନି । ଚଳଚ୍ଚିତ୍ରଟିକୁ ସଂପୂର୍ଣ୍ଣ ନିଷେଧ କରାଯିବା ଜରୁରୀ ।