Rath Yatra 2023 : ଶ୍ରୀକ୍ଷେତ୍ରରେ ମହାପ୍ରଭୁଙ୍କ ରଥଯାତ୍ରା

ପୁରୀ : ଆଜି ବିଶ୍ବପ୍ରସିଦ୍ଧ ରଥଯାତ୍ରା । ନନ୍ଦିଘୋଷଣା ବସି ଶ୍ରୀଗୁଣ୍ଡିଚା ମନ୍ଦିର ଅଭିମୁଖେ ବାହାରିବେ ଜଗତର ନାଥ ଶ୍ରୀଜଗନ୍ନାଥ । ଶ୍ରୀମନ୍ଦିର ସିଂହଦ୍ୱାର ସମ୍ମୁଖରେ ଦାରୁବ୍ରହ୍ମଙ୍କୁ ଅପେକ୍ଷା କରିଛନ୍ତି ତିନିରଥ । ଆଷାଢ ଶୁକ୍ଲପକ୍ଷ ଦ୍ୱିତୀୟା ତିଥିରେ ମଙ୍ଗଳବାର ବଡଭାଇ ଶ୍ରୀବଳଭଦ୍ର ଏବଂ ଭଉଣୀ ସୁଭଦ୍ରାଙ୍କ ସହ ଶ୍ରୀଗୁଣ୍ଡିଚା ମନ୍ଦିର ଅଭିମୁଖେ ବିଜେ କରିବେ ଶ୍ରୀଜଗନ୍ନାଥ। ମହାପ୍ରଭୁଙ୍କ ଏହି ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା ଦେଖିବାକୁ ପ୍ରବଳ ଉତ୍କଣ୍ଠାର ସହ ଅପେକ୍ଷା କରିଛନ୍ତି ଲକ୍ଷ ଲକ୍ଷ ଭକ୍ତ। ରଥ, ପଥ, ଭକ୍ତ ଓ ପ୍ରଶାସନ ସମସ୍ତେ ପ୍ରସ୍ତୁତ।

ରଥଗୁଡ଼ିକୁ ଆକର୍ଷଣୀୟ ଫୁଲରେ ସଜ୍ଜିତ କରାଯାଇଛି । ଶ୍ରୀକ୍ଷେତ୍ରକୁ ଛୁଟିବାରେ ଲାଗିଛି ଭକ୍ତଙ୍କ ସୁଅ। ହରିବୋଲ, ହୁଳହୁଳି ଏବଂ ସଂକୀର୍ତ୍ତନରେ ପ୍ରକମ୍ପିତ ହେଉଛି ସମଗ୍ର ପୁରୀ ସହର। ଶ୍ରୀକ୍ଷେତ୍ରର ଆଧ୍ୟାତ୍ମିକ ପରିବେଶ ବହୁ ଗୁଣରେ ବୃଦ୍ଧି ପାଇଛି। ଜଳ, ସ୍ଥଳ ଓ ଆକାଶ ପଥରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଶୃଙ୍ଖଳିତ ଓ ସମୟାନୁବର୍ତ୍ତି ରଥଯାତ୍ରା ପାଇଁ ପ୍ରଶାସନ ଉଦ୍ୟମ ଚଳାଇଛି।