ଦାମିକିଆ ପ୍ରଧାନମନ୍ତ୍ରୀ: ୯ ବର୍ଷରେ ୧୦୦ ଲକ୍ଷ କୋଟି ଲଦିଦେଲେ ମୋଦିଜୀ

ମା’ ପେଟରେ ବଢୁଥିବା ଭ୍ରୁଣ ମୁଣ୍ଡରେ ୧ ଲକ୍ଷ ଟଙ୍କାର କରଜ

ଦେଶର ୧୪ ଜଣ ପ୍ରଧାନମନ୍ତ୍ରୀ ମିଶି ୬୭ ବର୍ଷ ଭିତରେ ପ୍ରାୟ ୫୫ ଲକ୍ଷ କୋଟି ଟଙ୍କା କରଜ କରିଥିଲେ । ମାତ୍ର ୯ ବର୍ଷ ଭିତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତର କରଜ ବୋଝକୁ ତିନିଗୁଣ କରିଛନ୍ତି । ୯ ବର୍ଷର ଶାସନ ଭିତରେ ୧୦୦ ଲକ୍ଷ କୋଟିରୁ ଅଧିକ ଟଙ୍କା ଋଣ କରିବା ମୋଦିଙ୍କର ଶ୍ରେଷ୍ଠ ସଫଳତା । ୨୦୧୪ରେ ଭାରତ ମୁଣ୍ଡରେ ଋଣଭାର ଥିଲା ୫୫ ଲକ୍ଷ କୋଟି ଯାହା ଏବେ ବୃଦ୍ଧି ପାଇ ୧୫୫ କୋଟି ଟପିଲାଣି ।
ସୂଚନା ମୁତାବକ ୨୦୨୩ ମାର୍ଚ୍ଚ ୩୧ ତାରିଖ ସୁଦ୍ଧା ଭାରତ ସରକାରଙ୍କ ମୁଣ୍ଡରେ ୧୫୫ କୋଟି ଟଙ୍କାର ଋଣବୋଝ । ଆସନ୍ତା ବର୍ଷ ମାର୍ଚ୍ଚ ସୁଦ୍ଧା ଋଣଭାର ବୃଦ୍ଧି ପାଇ ୧୭୨ କୋଟି ଟଙ୍କାକୁ ଛୁଇଁବାର ଆଶଙ୍କା କରାଯାଉଛି ।

୨୦୨୩ ମାର୍ଚ୍ଚ ୨୦ ତାରିଖରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସାଂସଦ ନାଗେଶ୍ୱର ରାଓଙ୍କ ପ୍ରଶ୍ନର ଲିଖିତ ଜବାବ ଦେଇଛନ୍ତି । ସାଂସଦ ନାଗେଶ୍ୱର ସରକାରଙ୍କ ଋଣବୋଝ ସଂପର୍କରେ ପ୍ରଶ୍ନ ପଚାରିଥିଲେ ।
ହିସାବକୁ ଅନୁଧ୍ୟାନ କଲେ ୯ ବର୍ଷରେ ଦେଶ ଉପରେ ଶତକଡ଼ା ୧୮୧ ଭାଗ କରଜ ବଢ଼ିଛି । ୨୦୦୪ରେ ମନମୋହନ ସିଂହ ପ୍ରଧାନମନ୍ତ୍ରୀ ହେଲାବେଳେ କରଜ ଭାର ୧୭ ଲକ୍ଷ କୋଟି ଥିଲା । ୨୦୧୪ ସୁଦ୍ଧା ଋଣଭାର ତିନିଗୁଣ ଅର୍ଥାତ୍‌ ୫୫ ଲକ୍ଷ କୋଟି ହୋଇଗଲା । ୨୦୧୪ରୁ ୨୦୨୩ ଭିତରେ ଋଣଭାର ୧୫୫ ଲକ୍ଷ କୋଟି ହୋଇଛି । ଏଇଆ ହେଉଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ଐତିହାସିକ ସଫଳତା ।

ସଂକ୍ଷେପରେ କହିଲେ, ୨୦୧୪-୧୫ରେ ଭାରତ ସରକାରଙ୍କ କରଜ ଭାର ଥିଲା ୫୫ ଲକ୍ଷ କୋଟି । ୨୦୧୪ ସୁଦ୍ଧା ଦେଶର ଜନସଂଖ୍ୟା ପ୍ରାୟ ୧୩୦ କୋଟି । ସେହି ଦୃଷ୍ଟିରୁ ସେ ସମୟରେ ପ୍ରତି ଭାରତୀୟଙ୍କ ମୁଣ୍ଡରେ କରଜ ଭାର ପ୍ରାୟ ୪୨ ହଜାର ଟଙ୍କା ଥିଲା ।
ଏବେ ୨୦୨୩ରେ ଭାରତ ସରକାରଙ୍କ ମୁଣ୍ଡରେ ୧୫୫ ଲକ୍ଷ କୋଟିର କରଜ । ଏବେ ଭାରତର ଜନସଂଖ୍ୟା ପ୍ରାୟ ୧୪୦ କୋଟି । ଅତଏବ ଆଜି ପ୍ରତି ଭାରତୀୟଙ୍କ ମୁଣ୍ଡରେ ୧ ଳକ୍ଷରୁ ଅଧିକ ଟଙ୍କାର କରଜ ।
ସେହିଭଳି ବୈଦେଶିକ କରଜ କଥା କହିଲେ, ୨୦୧୪-୧୫ରେ ଭାରତ ମୁଣ୍ଡରେ ୩୧ ଲକ୍ଷ କୋଟିର ବୈଦେଶିକ ଋଣ ଥିଲା । ୨୦୨୩ ସୁଦ୍ଧା ତାହା ୫୦ ଲକ୍ଷ କୋଟିକୁ ବଢ଼ିଯାଇଛି ।

୨୦୧୪ରେ ସରକାର ଗଠନ କରିବା ପୂର୍ବରୁ ବିଜେପି କହିଥିଲା ଯେ ତାଙ୍କ ସରକାର ଭାରତ ସରକାରଙ୍କ କରଜ ଭାର କମାଇଦେବ । ମାତ୍ର ଗତ ୯ ବର୍ଷ ଭିତରେ ଦେଶର କରଜ ଭାର କମିବା ବଦଳରେ ବଢ଼ିଯାଇଛି ।
୨୦୧୪ରୁ ଏ ଯାଏ ମୋଦି ସରକାର ବିଦେଶରୁ ପ୍ରାୟ ୧୯ ଲକ୍ଷ କୋଟି ଟଙ୍କା କରଜ କରିଛନ୍ତି । ଉପା ସରକାର ୨୦୦୫ରୁ ୨୦୧୩ ପର୍ଯ୍ୟନ୍ତ ବିଦେଶୀ ରାଷ୍ଟ୍ର ନିକଟରୁ ପ୍ରାୟ ୨୧ ଲକ୍ଷ କୋଟି ଟଙ୍କା କରଜ କରିଥିଲେ । ୨୦୦୫ରେ ବୈଦେଶିକ ଋଣ ଭାର ୧୦ ଲକ୍ଷ କୋଟି ଟଙ୍କା ଥିଲା ଯାହା ୨୦୧୩ରେ ୩୧ ଲକ୍ଷ କୋଟିକୁ ବୃଦ୍ଧି ପାଇଥିଲା ।
୨୦୧୪ରୁ ୨୦୨୨ ସୁଦ୍ଧା ବୈଦେଶିକ ଋଣଭାର ୩୧ ଲକ୍ଷ କୋଟିରୁ ବଢ଼ି ୫୦ ଲକ୍ଷ କୋଟିକୁ ଛୁଇଁଛି, ଯାହାର ଅର୍ଥ ୯ ବର୍ଷରେ ବୈଦେଶିକ ଋଣଭାର ୧୯ ଲକ୍ଷ କୋଟି ବୃଦ୍ଧି ପାଇଛି । ଏଥିରୁ ଗୋଟିଏ କଥା ସ୍ପଷ୍ଟ ହୋଇଛି, ମୋଦିଙ୍କ ଶାସନ ସମୟରେ ଦେଶର କରଜ ଭାର କମିନାହିଁ ।