ଭାରତର ସବୁ ଉପଗ୍ରହକୁ ନଷ୍ଟ କରିଦେବ ଚୀନ

ଆମେରିକାର ଗୁପ୍ତ ଦଲିଲରୁ ଖୁଲାସା

୨୦୨୦ ଅକ୍ଟୋବର ୧୨ ତାରିଖ ସକାଳ, ମୁମ୍ବାଇରେ ଅଚାନକ ବିଜୁଳି ଯୋଗାଣ ବନ୍ଦ ହୋଇଗଲା । ଅଫିସ, ଘର, କଳକାରଖାନାରେ ଅଚଳାବସ୍ଥା । ହସ୍ପିଟାଲରେ ଭେଂଟିଲେଟର ଚଲାଇବାକୁ ଜେନେରେଟର ଚଲାଇବାକୁ ପଡ଼ିଲା । ଷ୍ଟକ ମାର୍କେଟ ବନ୍ଦ ହୋଇଗଲା । ଏଭଳି ଅଚଳାବସ୍ଥା ପଛରେ ଥିଲା ଚୀନ ହ୍ୟାକର୍ସ ଗୋଷ୍ଠୀର ଚାଲ । ଭାରତର ପାୱାର ଗ୍ରୀଡକୁ ହ୍ୟାକ୍‌ କରିଥିଲା ଚୀନ । ଏପରି କୁଚକ୍ରୀ ଦେଶକୁ ସାବାଡ କରିବା ପାଇଁ ଭାରତ ପାଖରେ ଦମ୍‌ ଅଛି ତ? ଏବେ ଚୀନ ଆହୁରି ଦୁଇ ପାହୁଣ୍ଡ ଆଗକୁ ଯିବାକୁ ଚେଷ୍ଟା କରୁଛି।

କୌଣସି କାରଣରୁ ଭାରତ ସହ ଯୁଦ୍ଧ ଆରମ୍ଭ ହେଲେ ଚୀନ ଭାରତର ସବୁ ଉପଗ୍ରହ ବ୍ୟବସ୍ଥାକୁ ସଂପୂର୍ଣ୍ଣ ଅଚଳ କରିବାକୁ ଉପାୟ ପାଂଚୁଛି । ସେ ବିଷୟରେ ଗବେଷଣା ଚାଲୁ ରଖିଛି ବୋଲି ଆମେରିକାରୁ ଲିକ୍‌ ହୋଇଥିବା ଗୁପ୍ତଚର ଦଲିଲରୁ ସ୍ପଷ୍ଟ ହୋଇଛି ।
ଆମେରିକାରୁ ଗାଏବ ହୋଇ ଯାଇଥିବା ପ୍ରତିରକ୍ଷା ଦଲିଲରେ ଚୀନର କଳା କାରନାମା ଲିଖିତ ଥିଲା । ଆମେରିକାର ଜଣେ ପ୍ରତିରକ୍ଷା ଅଧିକାରୀଙ୍କ ସୂଚନା ମୁତାବକ ଚୀନର ପ୍ରତିରକ୍ଷା ବିଭାଗ ମହାକାଶ ବୈଷୟିକ ଜ୍ଞାନକୌଶଳକୁ ଅଧିକ ବିକଶିତ କରିପାରିଛି ।

ଆମେରିକାର ମହାକାଶ ବାହିନୀ ମୁଖ୍ୟ ବି ଚାନ୍ସ ସାଲଟଜମେନ ଆମେରିକାର ସଂସଦକୁ ଜଣାଇଛନ୍ତି ଯେ ଚୀନ ଭୟଙ୍କର ଭାବେ ମହାକାଶ କ୍ଷମତାକୁ ବିକଶିତ କରୁଛି ଯାହାର ପରିଣାମ ଅତ୍ୟନ୍ତ ଭୟଙ୍କର । ଚୀନ ଆଂଟି-ସାଟେଲାଇଟ୍‌ ମିସାଇଲ, ଇଲେକ୍‌ଟ୍ରୋନିକ୍‌ ଜାମର, ଲେଜର ଓ ଟେକ୍ନୋଲୋଜିକୁ ବିକଶିତ କରିଛି ଯାହା ଶତ୍ରୁପକ୍ଷର ଉପଗ୍ରହକୁ ଅକାମୀ କରି ଦେଇପାରିବ ।

୨୦୪୫ ସୁଦ୍ଧା ସାରା ମହାକାଶକୁ କବ୍‌ଜା କରିବା ଚୀନର ଆଉ ଏକ ପ୍ରଧାନ ଉଦ୍ଦେଶ୍ୟ । ଚୀନର ପ୍ରତିରକ୍ଷା ବିଭାଗ ଏବେସୁଦ୍ଧା ମହାକାଶକୁ ୩୪୭ଟି ଉପଗ୍ରହ ପଠାଇ ସାରିଲାଣି । ତା’ ଭିତରୁ ଗତ ୬ ମାସ ଭିତରେ ୩୫ଟି ଉପଗ୍ରହ ପଠାଇଛି । ଏହିସବୁ ଉପଗ୍ରହ ଜରିଆରେ ଭାରତ ଓ ଆମେରିକା ସମେତ ସବୁ ଶତ୍ରୁଦେଶର ସେନାବାହିନୀ ଉପରେ ତୀକ୍ଷ୍ଣ ନଜର ରଖିଛି ।