ୟୁକ୍ରେନ ସହ ଲଢେ଼ଇରେ ରୁଷସେନାକୁ ପୂର୍ଣ୍ଣ ସହଯୋଗ କରିଥିବା ଅର୍ଦ୍ଧସାମରିକ ବାହିନୀ ଏବେ ରାଷ୍ଟ୍ରପତି ପୁଟିନଙ୍କ ବିରୋଧରେ ଅସ୍ତ୍ର ଧାରଣ କରିଛି । ରୁଷ ରାଷ୍ଟ୍ରପତି ଅର୍ଦ୍ଧସାମରିକ ବାହିନୀର ଏପରି ଆଭିମୁଖ୍ୟକୁ ‘ପିଠିରେ ଛୁରାମାଡ଼’ କହି ତୀବ୍ର ସମାଲୋଚନା କରିଛନ୍ତି।
ରୁଷିଆ ମିଡିଆରେ ପ୍ରକାଶିତ ଖବର ଓ ଫଟୋ ଅନୁସାରେ ରୁଷ୍ ସହର ରୋସ୍ତୋଭ ସଡ଼କରେ ବେଗନର (ଘରୋଇ ସେନା) ଟ୍ୟାଙ୍କ ଓ କମାଣ ଦେଖିବାକୁ ମିଳିଛି । ସହର ବାସିନ୍ଦାଙ୍କୁ ଘର ଭିତରେ ରହିବାକୁ ରୋସ୍ତୋଭ ମେୟର ପରାମର୍ଶ ଦେଇଛନ୍ତି । ରୋସ୍ତୋଭ ସହର ଓ ସେଠାରେ ମହଜୁଦ ସେନା ମୁଖ୍ୟାଳୟକୁ ଦଖଲ କରି ନିଆଯିବା ଘୋଷଣା କରିଛି ବେଗନର।
ଏହି ଖବର ପ୍ରଚାରିତ ହେବାକ୍ଷଣି ରୁଷିଆ ରାଷ୍ଟ୍ରପତି ଭ୍ଲାଡିମୀର ପୁଟିନ ଦେଶବାସୀଙ୍କୁ ଉଦ୍ବୋଧନ ଦେଇ କହିଛନ୍ତି ଯେ ବେଗନର ଦେଶବାସୀଙ୍କ ପ୍ରତି ବିଶ୍ୱାସ ଘାତକତା କରିଛି । ରୁଷିଆ ସେନାକୁ ଚାଲେଂଜ କରିଛି । ଆମେ ଯେକୌଣସି ଭାବେ ରୁଷିଆ ନାଗରିକଙ୍କୁ ପୂର୍ଣ୍ଣ ସୁରକ୍ଷା ପ୍ରଦାନ କରିବୁ । ବେଗନର ମୁଖ୍ୟ ଯେବଗେନି ପ୍ରିଗୋଜିନ ରୁଷସେନାର ଗୋଟିଏ ହେଲିକପ୍ଟରକୁ ଖସାଇ ଦିଆ ଯାଇଥିବା କହିଛନ୍ତି।
ପୁଟିନ କହିଛନ୍ତି, ଯିଏ ଜାଣିଶୁଣି ଦେଶଦ୍ରୋହ ରାସ୍ତା ଆଦରି ନେଇଛି । ତା’ ବିରୋଧରେ କଡ଼ା ପଦକ୍ଷେପ ଗ୍ରହଣ କରାଯିବ । ସବୁ ବିପଦକୁ ସାମ୍ନା କରିବାକୁ ଆମେ ପ୍ରସ୍ତୁତ ଅଛୁ । ବେଗନର ମୁଖ୍ୟ ପ୍ରିଗୋଜିନଙ୍କ ବିରୋଧରେ ଦେଶଦ୍ରୋହ ମାମଲା ରୁଜୁ କରିଛି ରୁଷ ତଦନ୍ତ ସଂସ୍ଥା ଏଫ୍ଏସ୍ବି । ସଶସ୍ତ୍ର ବିଦ୍ରୋହ ଉଦ୍ୟମ ଅଭିଯୋଗରେ ପ୍ରିଗୋଜିନଙ୍କୁ ଦାୟୀ କରାଯାଇଛି । ତା’ ସହିତ ପ୍ରିଗୋଜିନଙ୍କ ସହିତ ହାତ ମିଳାଇଥିବା ଅଧିକାରୀଙ୍କୁ ଗିରଫ କରିବା ପାଇଁ ପୁଟିନ ଘୋଷଣା କରିଛନ୍ତି।