‘ଦେଶଦ୍ରୋହୀକୁ ଦଣ୍ଡ ମିଳିବା ଦରକାର’

ଆତଙ୍କୀ କାର୍ଯ୍ୟକଳାପରେ ଲିପ୍ତ ଅଭିଯୋଗରେ ଦୁଇଜଣ ବ୍ୟକ୍ତିଙ୍କୁ ଧରାଯାଇଛି । ସେମାନଙ୍କ ଭିତରୁ ଜଣକର ପତ୍ନୀ ଗଣମାଧ୍ୟମ ଆଗରେ କହିଛନ୍ତି ଯେ ପ୍ରକୃତରେ ଯଦି ତାଙ୍କ ପତି #ଦେଶଦ୍ରୋହ କାର୍ଯ୍ୟରେ ଲିପ୍ତ ରହିଛନ୍ତି, ତେବେ ତାକୁ କଠୋର ଦଣ୍ଡ ମିଳୁ ।

ୟୁପି ଏଟିଏସ ରବିବାର ଦିନ ଦୁଇଜଣ ସନ୍ଦିଗ୍ଧଙ୍କୁ ଧରିଥିଲା । ସେମାନଙ୍କ ଭିତରୁ ଜଣେ ଗୋଣ୍ଡା ନିବାସୀ ସଦ୍ଦାମ ଶେଖ । ସେ ପଠାନପୁରୱା ଗାଁରେ ରହୁଥିଲା । ତା’ର ତିନୋଟି ପିଲା ଅଛନ୍ତି । ସଦ୍ଦାମର ଶାଶୁ ଓ ପତ୍ନୀ ରୁବିନା ସମସ୍ତଙ୍କୁ ଆଶ୍ଚର୍ଯ୍ୟଚକିତ କରିବା ଭଳି ବୟାନ ଦେଇ କହିଛନ୍ତି, ସେ ଗୋଣ୍ଡାନିବାସୀ ନୁହନ୍ତି । ୨୦୦୫ରେ ଗୁଜରାଟର ଲାଲପୁରୱା ନିବାସୀ ରାକେଶ ତାକୁ ସାଙ୍ଗରେ ଧରି ୟୁପିକୁ ଆସିଥିଲା । ସେବେଠାରୁ ସେ ଉକ୍ତ ଗାଁରେ ରହୁଥିଲା । ପରେ ତାକୁ ଜାଗା ଯୋଗାଇ ଦିଆଗଲା । ୨୦୧୦ରେ ସେ ଗାଁର ପୂର୍ବତନ ମୁଖିଆଙ୍କ ରେଶମ ବଗିଚାରେ କାମ କରୁଥିଲା । ତାଙ୍କରି ମାର୍ଫତରେ ସେମାନଙ୍କର ବିବାହ ସଂପନ୍ନ ହୋଇଥିଲା ।

ସଦ୍ଦାମର ଆଧାର କାର୍ଡ ଓ ରାଶନ କାର୍ଡ ସମେତ ଅନ୍ୟାନ୍ୟ ସରକାରୀ କାଗଜପତ୍ରଗୁଡ଼ିକ ଗାଁର ମୁଖିଆ ଗୁଡୁ ସିଂ କରିଛି । ଗୋଣ୍ଡାରେ ରହୁଥିଲା ବେଳେ ସଦ୍ଦାମ ବେଶ ସାଧାସିଧା ଥିଲା । ତା’ର ଆଚରଣର ସେଭଳି କିଛି ସନ୍ଦେହ ପରିଲକ୍ଷିତ ହୋଇ ନଥିଲା । କର୍ଣ୍ଣାଟକରେ ଗାଡ଼ି ଚଲାଉଥିଲା । ଅକ୍ଟୋବରରେ ଗାଁକୁ ଆସିଥିଲା ।