ମା’ ହେବାର ସମୟ ଜାଣନ୍ତିନି ୮୦% ମହିଳା

ଆମେରିକାର ଏକ ସର୍ବେକ୍ଷଣ ସଂସ୍ଥା ‘ଫର୍ଟିଲିଟି ଆଣ୍ଡ ଷ୍ଟେରିଲିଟି’ ପକ୍ଷରୁ ପ୍ରକାଶିତ ରିପୋର୍ଟ ମୁତାବକ ୪୦% ଅ।।ମେରିକୀୟ ମହିଳା ଗର୍ଭବତୀ ହେବାର ପ୍ରକୃତ ସମୟ ଜାଣନ୍ତି ନାହିଁ । ଏପରିକି ମାସିକ ଋତୁ ସଂପର୍କୀତ ହିସାବ ରଖନ୍ତି ନାହିଁ । ଭାରତରେ ୮୫% ମହିଳା ଗର୍ଭବତୀ ହେବା ପାଇଁ ପ୍ରକୃଷ୍ଟ ସମୟ ଜାଣନ୍ତି ନାହିଁ । ମାସିକ ଧର୍ମର କେଉଁ ସମୟରୁ କେଉଁ ସମୟ ଭିତରେ ସ୍ୱାମୀସଙ୍ଗ ଲାଭ କଲେ, ଗର୍ଭବତୀ ହେବାର ଅଧିକା ସମ୍ଭାବନା ରହିଛି, ତା’ର ଜବାବରେ ବହୁ ମହିଳା ଭୁଲ ତଥ୍ୟ ପ୍ରଦାନ କରିଥିଲେ । ଟିକେ ଭିନ୍ନ ଅର୍ଥରେ ପ୍ରକାଶ କଲେ, ଭାରତରେ ପ୍ରତି ୫ ଜଣ ମହିଳାଙ୍କ ଭିତରୁ ଜଣେ ମହିଳା ତାଙ୍କ ମାସିକ ଋତୁଚକ୍ର ସଂପର୍କରେ କହିପାରନ୍ତି ।

ଭାରତରେ ପ୍ରାୟ ସବୁ ମହିଳା ମା’ ହେବାକୁ ଚାହାନ୍ତି । କିନ୍ତୁ ଗର୍ଭବତୀ ହେବାର ଉପଯୁକ୍ତ ସମୟ କାହାକୁ ମାଲୁମ ନାହିଁ । ଏହାର କାରଣ ହେଉଛି, ଅଧିକାଂଶ ମହିଳା ତାଙ୍କର ମାସିକ ଋତୁଚକ୍ର ପ୍ରତି ଧ୍ୟାନ ଦିଅନ୍ତିନି । ଜରାୟୁରେ କୋଉ ସମୟରେ ଡିମ୍ବାଣୁ ସୃଷ୍ଟି ହୋଇଥାଏ, ସେ ସଂପର୍କରେ କିଛି ଜାଣନ୍ତି ନାହିଁ ।
ଖାସ ସେହି କାରଣରୁ ବହୁତ ମହିଳା ମା’ ହେବାକୁ ଚାହୁଁଥିଲେ ମଧ୍ୟ ସନ୍ତାନସମ୍ଭବା ହୋଇପାରନ୍ତି ନାହିଁ ।

ସ୍ତ୍ରୀରୋଗ ବିଶେଷଜ୍ଞ ଡକ୍ଟର ରୁମା ସାତ୍ୱିକ କହନ୍ତି, ପ୍ରତି ମହିଳାଙ୍କ ପିରିଅଡ୍ସ ୩ରୁ ୫ ଦିନ ଅବା ୭ ଦିନ ଯାଏ ରହେ । ପିରିୟଡ ଆରମ୍ଭ ହେବାଠାରୁ ଋତୁଚକ୍ର ଗଣାଯାଏ । ମାସିକ ଚକ୍ର ୨୬ରୁ ୩୫ ଦିନ ହୁଏ । ପ୍ରତି ମହିଳାଙ୍କର ମାସିକ ଚକ୍ର ଅଲଗା ଅଲଗା । କିଛି ମହିଳାଙ୍କର ମାସିକ ଚକ୍ର ୨୬ ଦିନ ପାଇଁ ହୁଏ ତ କିଛି ମହିଳାଙ୍କର ୨୮ ଅବା ୩୫ ଦିନ ହୋଇଥାଏ । ଏହି ମାସିକ ଚକ୍ର ଭିତରେ ଡିମ୍ବାଣୁ ସୃଷ୍ଟି ହୁଏ । ଯଦି କୌଣସି ମହିଳାଙ୍କର ମାସିକ ଚକ୍ର ୨୮ ଦିନ ହୋଇଥାଏ, ସେହି ମହିଳାଙ୍କର ଶରୀରରେ ଋତୁସ୍ରାବ ବନ୍ଦ ହେବାର ୧୪ ଦିନଠାରୁ ଡିମ୍ବାଣୁ ଜାତ ହୋଇଥାଏ । ମୋଟ ଉପରେ କହିଲେ, ଡିମ୍ବାଣୁ ଜାତ ହେବା ମାତ୍ରେ ଗର୍ଭବତୀ ହେବା ପାଇଁ ପ୍ରକୃଷ୍ଟ ସମୟ । ଡିମ୍ବାଣୁ ତିଆରି ହେବା ଫଳରେ କିଛି ମହିଳା ତଳିପେଟରେ ସାମାନ୍ୟ ଯନ୍ତ୍ରଣା ଅନୁଭବ କରିଥାନ୍ତି । ଯନ୍ତ୍ରଣା ଅଧିକ ମାତ୍ରାରେ ହେଲେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନେବା ଉଚିତ ।

ସାଧାରଣତଃ ଋତୁସ୍ରାବ ହେବାର ଗୋଟିଏ ଦିନ ପୂର୍ବରୁ ତଳିପେଟରେ ଯନ୍ତ୍ରଣା ଅନୁଭୂତ ହୋଇଥାଏ, ମାତ୍ର ତାହା ଗୋଟିଏ ଦିନ ପାଇଁ ହୋଇଥାଏ । କିନ୍ତୁ ଡିମ୍ବାଣୁ ଜାତ ହେବାକ୍ଷଣ ତଳିପେଟ ଅଧିକ ଯନ୍ତ୍ରଣାଦାୟକ ହେବା ଟିକେ ଗଡ଼ବଡ଼ । ତେଣୁ ଡାକ୍ତରଙ୍କ ପରାମର୍ଶ ଜରୁରୀ ।