ଗରିବ ପରିବାରକୁ ମାଗଣା ରାସନ ଯୋଗାଣ ବ୍ୟବସ୍ଥାକୁ ଆଉ ୫ ବର୍ଷ ବଢ଼ାଇବା ପାଇଁ କେନ୍ଦ୍ର ସରକାର ନିଷ୍ପତି ନେଇଛନ୍ତି । ଶନିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ନିର୍ବାଚନ ସଭାରେ ଏହି ବିଷୟ ଜଣାଇ କହିଛନ୍ତି ଯେ କେନ୍ଦ୍ର ସରକାରଙ୍କ ଏହି ପଦକ୍ଷେପ ଫଳରେ ଦେଶର ୮୦ କୋଟି ଲୋକ ଉପକୃତ ହେବେ ।
ଲୋକଙ୍କ ହାତକୁ କାମ ଯୋଗାଇ ଦେଲେ ସେମାନେ ଆଉ ସରକାରଙ୍କ ହାତଟେକାକୁ ଅନାଇବେ ନାହିଁ; ଫଳରେ ରାଜନୈତିକ ଦଳର ନେତାମାନଙ୍କ ସାମାଜିକ ପତିଆରା କ୍ଷୁର୍ଣ୍ଣ ହୋଇଯିବ । ଏପରି ହୀନ ଭାବନା ମନରେ ରଖି କ୍ଷମତାସୀନ ବିଜେପି ମେଂଟ ଦେଶର ୮୦ କୋଟି ଗରିବଙ୍କ ଜୀବନ ଜୀବିକା ସହିତ ଖେଳୁଛି । ରାଷ୍ଟ୍ରୀୟ ପଛୁଆ ବର୍ଗ ସାମ୍ମୁଖ୍ୟ, ଅନୁସୂଚୀତ ଜାତି/ଜନଜାତି ଓ ସଂଖ୍ୟାଲଘୁ ପରିଷଦ (ଏନୟୁବିସି) ପକ୍ଷରୁ କେନ୍ଦ୍ର ସରକାରଙ୍କ ମାଗଣା ରାସନ ବୃଦ୍ଧିକୁ ସମାଲୋଚନା କରାଯାଇଛି ।
ପରିଷଦର ରାଜ୍ୟ ମୁଖପାତ୍ର ସନାତନ ବେହେରା କହିଛନ୍ତି, ସବୁ ଦଳ ଭୋଟ ରାଜନୀତି କରୁଛନ୍ତି । ବିଜେପି ଓ କଂଗ୍ରେସ ଗୋଟିଏ ଟଙ୍କାର ଦୁଇପାଖ । କାହାଠାରୁ ଭଲ ଶାସନ ଆଶା କରିବା ବୃଥା ।
ଦେଶକୁ ଦୁର୍ନୀତି ଓ ଭ୍ରଷ୍ଟାଚାର ମୁକ୍ତ କରିବାର ପ୍ରତିଶ୍ରୁତି ଦେଇ ବିଜେପି ମେଂଟ କ୍ଷମତାକୁ ଗଲା । ମାତ୍ର କଂଗ୍ରେସ ମେଂଟର ଦୁର୍ନୀତି ଚିଠାକୁ ବଳିଗଲା ।
ନରେନ୍ଦ୍ର ମୋଦିଙ୍କ ଭଳି ଜଣେ କ୍ଷମତାପାଗଳ ଲୋକଠାରୁ ଦୁର୍ନୀତି ଓ ଭ୍ରଷ୍ଟାଚାର ମୁକ୍ତ ଶାସନ ଆଶା କରିବା ବୃଥା । ୧୦ ବର୍ଷ ଭିତରେ ଦେଶରେ ଦୁର୍ନୀତି ଓ ଭ୍ରଷ୍ଟାଚାର ମାତ୍ରା ଏତେ ମାତ୍ରାରେ ବଢ଼ିଯାଇଛି ଯାହା ମନମୋହନ ସିଂହଙ୍କ ୯ ବର୍ଷର ଶାସନ ଭିତରେ ହୋଇ ନଥିଲା ।
ଦେଶରେ ବିକାଶ ଧାରା ଦ୍ରୁତଗତିରେ ଆଗକୁ ଯାଉଥିଲେ, ଗରିବ ଲୋକଙ୍କ ସଂଖ୍ୟା ୮୦ କୋଟି ନଥାନ୍ତା । କଂଗ୍ରେସ ମେଂଟ ଅମଳରେ ଗରିବଙ୍କ ସଂଖ୍ୟା ଯେତିକି ଥିଲା, ଏବେ ସେତିକି ଅଛି । କିନ୍ତୁ ସେତିକି ସମୟ ଭିତରେ ମୁକେଶ ଅମ୍ବାନୀଙ୍କ ପାଣ୍ଠି ଢେରଗୁଣା ବଢ଼ିଛି ।